ଭୁବନେଶ୍ୱର: ସରକାରକୁ ଆସିବାର ଶହେ ଦିନ ଭିତରେ ରାଜ୍ୟରେ ଆଖିଦୃଶିଆ କାର୍ଯ୍ୟ କରି ଦେଖାଇବୁ ବୋଲି କହିଥିବା ବିଜେପି ସରକାରକୁ ତିନିଶହ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟହୋଇ ପାରିନାହିଁ ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।
ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୭ତମ ଜୟନ୍ତୀ ଅବସରରେ ଆଜି ଶଙ୍ଖଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓଡ଼ିଆ ଅସ୍ମିତା ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରର ବିଫଳତାକୁ ନେଇ ପ୍ରଶ୍ନ କରିଥିଲେ । ଦେବୀ ପ୍ରସାଦ ମିଶ୍ର କହିଥିଲେ, ଆଜି ଭଳି ପବିତ୍ର ଦିବସରେ, ଗୋଟିଏ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଆମେ ରାଜ୍ୟବାସୀଙ୍କ ତରଫରୁ ପ୍ରଶ୍ନ କରୁଛୁ ଯେ, ସରକାରକୁ ଆସିବାର ୩୦୦ ଦିନର ଉପଲବ୍ଧି କ’ଣ ? ସ୍ୱତନ୍ତ୍ର ଓଡିଶା ଗଠନର ଶହେବର୍ଷ ପୂର୍ତ୍ତି ଅର୍ଥାତ ୨୦୩୬ ବେଳକୁ ଓଡିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ, ଆଗାମୀ ୪ ବର୍ଷର ରୋଡମ୍ୟାପ ପ୍ରକାଶ କରିବେକି ? ଓଡିଶା ଲଗାତର ଭାବେ କେନ୍ଦ୍ର ଅବହେଳାର ଶିକାର ହୋଇ ଆସୁଥିବା ବେଳେ, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବାଫୋକସଷ୍ଟେଟ୍ର ମାନ୍ୟତା ପାଇଁ ବିଜୁ ଜନତା ଦଳ ଦାବି କରିଆସୁଛି । ୨୦୧୩ ମସିହାରେ ମଧୁବାବୁଙ୍କ ପବିତ୍ର ଜନ୍ମତିଥିରେ ଆରମ୍ଭ ହୋଇଥିଲା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନର ଦାବି । ପରବର୍ତ୍ତୀ ସମୟରେ ନବୀନ ବାବୁଙ୍କ ନେତୃତ୍ୱରେ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବିଶାଳ ସମାବେଶ ଆୟୋଜିତ ହେବା ସହିତ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ବିଜେପି ୨୦୧୪ ମସିହା ନିର୍ବାଚନ ଇସ୍ତାହାରରେ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ କରିବ ?
ଡ଼ ଅରୁଣ ସାହୁ କହିଥିଲେ, ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ସରକାରକୁ ଆସିଥିବା ବିଜେପିଠାରୁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁଦାନ ପାଇଁ ଆଶା କରାଯାଉଥିଲା । କିନ୍ତୁ, କେନ୍ଦ୍ର ସରକାର ଓଡିଶାକୁ ମିଳୁଥିବା ଅନୁଦାନରେ ଟଙ୍କାଟିଏ ମଧ୍ୟ ବୃଦ୍ଧି କରିନାହାନ୍ତି । ଦୁଃଖ ଓ ପରିତାପର ବିଷୟ ଯେ, ରାଜ୍ୟ ସରକାର ଦାୟିତ୍ୱରେ ଥିବା ବିଜେପିର ନେତୃତ୍ୱ କେନ୍ଦ୍ର ଆଗରେ ଓଡିଶାକୁ ଅନୁଦାନ ବୃଦ୍ଧି ପାଇଁ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରିନାହାନ୍ତି । ବିଗତ ୨ ଦଶନ୍ଧି ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏକ ଅଭାବୀ ରାଜ୍ୟରୁ ପ୍ରଭାବୀ ରାଜ୍ୟରେ ପରିଣତ ହୋଇଥିଲା । ଅନ୍ୟ ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ମିଳୁଥିଲା ବେଳେ ଓଡ଼ିଶା ପାଇଁ କେନ୍ଦ୍ରୀୟ ଅନୁଦାନ କେବେ ବୃଦ୍ଧିହେବ ?
ପୂର୍ବରୁ ନବୀନ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ମଧ୍ୟରୁ ଅନେକ ଯୋଜନାକୁ ଅନ୍ୟ ରାଜ୍ୟମାନେ ଲାଗୁ କରିଛନ୍ତି । କିନ୍ତୁ ନିକଟରେ ପୁରୀଠାରେ ବିଜେପିର ଏକ କାର୍ଯ୍ୟକ୍ରମରେ ରାଜ୍ୟରେ ୟୁପି ମଡେଲ ଲାଗୁ କରାଯିବ ବୋଲି ବିଜେପି ନେତୃତ୍ୱ କହିଥିଲେ । ନବୀନ ସରକାର ସମୟରେ ଶିଶୁ ଓ ମାତୃ ମୃତ୍ୟୁହାରକୁ କମାଇବା ପାଇଁ ମମତା ଯୋଜନା ଲାଗୁ କରାଯାଇଥିଲା ଓ ଏହାର ସଫଳତା ପରେ ସମଗ୍ର ଦେଶରେ କେନ୍ଦ୍ର ସରକାର ଏହାକୁ ଲାଗୁ କରିଥିଲେ । ଦେଶରେ ଗ୍ରାମାଞ୍ଚଳରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରଥମେ ନବୀନ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ସମଗ୍ର ଦେଶରେ ଲାଗୁ ହୋଇଥିଲା । ନବୀନଙ୍କ ସମୟରେ ସାରା ଦେଶରେ ଓଡିଶା ପଥ ପ୍ରଦର୍ଶକ ଥିଲା ବେଳେ ଆଜି ଓଡ଼ିଆ ଅସ୍ମିତା ନାରା ଦେଇ ଆସିଥିବା ବିଜେପି ସରକାରଙ୍କୁ ୟୁପି ମଡେଲର ଆବଶ୍ୟକତା ପଡୁଛି । ଆଜି ଓଡ଼ିଆ ସ୍ୱାଭିମାନର ପ୍ରତୀକ ମଧୁବାବୁଙ୍କ ପବିତ୍ର ଜନ୍ମତିଥିରେ ଆମେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛୁ ଯେ, ଓଡ଼ିଆ ଅସ୍ମିତା ଏବେ କେଉଁଠି?