ଭୁବନେଶ୍ୱର: ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମନା କରି ଶାସନଗାଦି ହରାଇଛି । ୧୧୦ରୁ ୧୧୫ ଆସନ ପାଇ ଷଷ୍ଠଥର ସରକାର ଗଢ଼ିବାର ଦମ୍ଭ ଦେଖାଉଥିବା ଏହି ଦଳ ୫୧ ଆସନରେ ସୀମିତ ରହିଯାଇଛି । ପୱନ୍ ଚାମଲିଙ୍ଗଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକଙ୍କ ନାଁରେ ଲମ୍ବା ସମୟର ମୁଖ୍ୟମନ୍ତ୍ରୀ ରେକର୍ଡ ଆଶା ମଧ୍ୟ ଧୂଳିସାତ୍ ହୋଇଛି । ମାତ୍ର ଆଶ୍ଚର୍ଯ୍ୟର କଥା ଯେ ନିର୍ବାଚନ ଫଳାଫଳ ବାହାରିବାର ୩ ସପ୍ତାହ ପରେ ବି ବିଜେଡିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିନି । ପ୍ରଥମ ଥର ପାଇଁ ନିର୍ବାଚନ ବିପର୍ଯ୍ୟୟର ସାମନା କରିଥିବା ଏହି ୨୭ ବର୍ଷର ଦଳ ମୁଖିଆଙ୍କ ପାଖରେ ପରାଜୟର ସାମାନ୍ୟ ଲକ୍ଷଣ ମଧ୍ୟ ଦେଖାଯାଉନାହିଁ । ଏହି ବିପର୍ଯ୍ୟୟର କାରଣ ହୋଇଥିବା ଭି କେ ପାଣ୍ଡିଆନ୍ ଓ ବବି ଦାସଙ୍କୁ ସେ ଛାଡ଼ି ପାରୁନାହାନ୍ତି । ସମ୍ଭବତଃ ସେଇ ସୁଯୋଗରେ ଜଣେ ନବୀନ ନିବାସରୁ ଓ ଆଉ ଜଣେ ଶଙ୍ଖ ଭବନରୁ ଦଳ ଉପରେ ପ୍ରଭାବ ଜାରି ରଖିଛନ୍ତି ।
ବିଜେଡି ବିପର୍ଯ୍ୟୟ ପଛର ମୁଖ୍ୟ ଖଳନାୟକ ଯେ ପାଣ୍ଡିଆନ୍ ତାହା ଏବେ ସର୍ବଜନବିଦିତ । ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଭାବେ ନିଜକୁ ଉପସ୍ଥାପିତ କରିବାର କୌଣସି ସୁଯୋଗ ସେ ହାତଛଡ଼ା କଲେନାହିଁ । ତାଙ୍କର ଇମେଜ୍ ବିଲଡିଂ ପାଇଁ ରାଜ୍ୟ ରାଜକୋଷ ଓ ବିଜେଡି ପାଣ୍ଠିରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଅଭିଯୋଗମାନ ଆସିଲାଣି । ନବୀନ ବାବୁଙ୍କ ଜାଗାରେ ନିଜକୁ ରଖି ପରୋକ୍ଷରେ ସବୁ କାମର ଶ୍ରେୟ ନେବାକୁ ଚାହିଁଲେ । ନିର୍ବାଚନ ପ୍ରଚାର ସମୟରେ ତାଙ୍କର ଆଚରଣ ସମସ୍ତଙ୍କୁ ଅତିଷ୍ଠ କଲା । ଷ୍ଟାର୍ ପ୍ରଚାରକ ତାଲିକାରେ ଥିବା ଜଣେ ବି ଦଳୀୟ ନେତାଙ୍କୁ ସେ ପ୍ରଚାରର ସୁଯୋଗ ଦେଲେନାହିଁ । ନବୀନ ପଟ୍ଟନାୟକଙ୍କୁ ନାଁକୁ ମାତ୍ର ଆଗରେ ରଖି ଏକା ପ୍ରଚାରକ ସାଜିଲେ । ନବୀନଙ୍କ ମୁହଁରେ ଦୁଇଧାଡ଼ି କୁହାଇ ନିଜେ ଲମ୍ବା ଭାଷଣ ଦେଲେ । ନବୀନଙ୍କୁ ଅସୁସ୍ଥ, ଦୁର୍ବଳ ଓ ଏକ ପୋଷା ଶୁଆ ପରି ସମସ୍ତଙ୍କ ଆଗରେ ଉପସ୍ଥାପିତ କରାଗଲା । ସବୁ ସଭାରେ ତାଙ୍କ ମାଇକକୁ ପାଣ୍ଡିଆନ୍ ଜବରଦସ୍ତ ଭିନ୍ନ ଚାହାଣିରେ ଧରିଲେ । ସତେ ଯେମିତି ନବୀନ ବାବୁ କିଛି କରିବାକୁ କି କହିବାକୁ ଅକ୍ଷମ । ଏସବୁ ଦୃଶ୍ୟ ଦେଖି ଲୋକ ଚିଡ଼ିଗଲେ । ବିଜେଡିକୁ ଏଥର ଭୋଟ ଦେଇ ଅଣଓଡ଼ିଆ ପାଣ୍ଡିଆନଙ୍କ ହାତରେ କ୍ଷମତା ଅର୍ପଣ କରିବାକୁ ଲୋକେ ଚାହିଁଲେନି ।
ବିଜେଡି ବିପର୍ଯ୍ୟୟର ଦ୍ୱିତୀୟ ଖଳନାୟକ ଚେହେରା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କୁ କୁହାଯାଉଛି । ନିର୍ବାଚନ ସମୟରେ ବବିଙ୍କ କାର୍ଯ୍ୟକଳାପ ମାରାତ୍ମକ ଥିଲା ଏବଂ କିଛି ନେତାଙ୍କ ବିରୋଧରେ ଅନ୍ତର୍ଘାତୀ କାର୍ଯ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି । ଦଳର ଅନେକ ବରିଷ୍ଠ ନେତା ଏହି ଅଭିଯୋଗ ସିଧା ନବୀନ ପଟ୍ଟନାୟକଙ୍କ ପାଖରେ କରିଛନ୍ତି । ସେମାନଙ୍କର ଅଭିଯୋଗ ହେଉଛି, ବବିଙ୍କ ଦାୟିତ୍ୱରେ ଥିବା ନିର୍ବାଚନ ପରିଚାଳନା ଓ ପାଣ୍ଠି ବଣ୍ଟନରେ ମନମାନି କରାଯାଇଥିଲା । ସାଂସଦ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଖର୍ଚ୍ଚ ବାବଦରେ ମାତ୍ର କୋଟିଏରୁ ଦେଢ଼କୋଟି ଦିଆଗଲା । ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ଖାମଖିଆଲି ଢ଼ଙ୍ଗରେ ଅର୍ଥ ଦିଆଗଲା । ଦଳର କିଛି ପ୍ରଭାବଶାଳୀ ନେତାଙ୍କୁ ହରାଇବାକୁ ବବି ଷଡ଼ଯନ୍ତ୍ର ରଚି ସେ ବାବଦରେ ବିପୁଳ ଅର୍ଥ ଖଟାଇଥିଲେ । ପାଣ୍ଡିଆନ-ବବିଙ୍କ ମଧୁଚନ୍ଦ୍ରିକାରେ ଏ ସବୁ ହୋଇଥିବା କିଛି ନେତା କହିଛନ୍ତି ।
ତେବେ ନବୀନ ବାବୁ ଏସବୁ ଅଭିଯୋଗକୁ ମନପ୍ରାଣ ଦେଇ ଶୁଣିଥିଲେ ମଧ୍ୟ ତାଙ୍କର ସେଭଳି ଗମ୍ଭୀର ପ୍ରତିକ୍ରିୟା ନ ଥିବା ଦଳୀୟ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି । ଯାହା ସମସ୍ତଙ୍କୁ ବିସ୍ମିତ କରିଛି । ଉଲ୍ଲେଖଥାଉକି, ନିର୍ବାଚନ ଫଳାଫଳ ଆସିବାର ୪ ଦିନ ପରେ ନବୀନ ବାବୁ ଗଣମାଧ୍ୟମକୁ ଆସି ପାଣ୍ଡିଆନଙ୍କୁ ସୁରକ୍ଷା ଦେଇଥିଲେ । ବିଜେଡି ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ବୋଲି ସେ ମନ୍ତବ୍ୟ ଦେବା ସହ ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ।
ଏବେକାର ସ୍ଥିତି ହେଉଛି, ପାଣ୍ଡିଆନ୍ ସର୍ବସମ୍ମୁଖକୁ ନ ଆସିଲେ ମଧ୍ୟ ନବୀନ ନିବାସରେ ରହି କୁଆଡ଼େ ମନ୍ତ୍ରଣା ଜାରି ରଖିଛନ୍ତି । ସୁତରାଂ ବିଜେଡି ବିପର୍ଯ୍ୟୟର ଏହି ମୁଖ୍ୟ ଖଳନାୟକଙ୍କୁ ନବୀନ ଦୂରେଇ ଦେବାକୁ ଚାହୁଁ ନ ଥିବା ସ୍ପଷ୍ଟ ହୋଇଛି । ଯେଉଁ ନବୀନ ପଟ୍ଟନାୟକ କ୍ଷମତା ଓ ନିଜର ଭାବମୂର୍ତ୍ତି ପାଇଁ କାହାରିକୁ ଛାଡ଼ିବା ଲୋକ ନୁହଁନ୍ତି, ସେଇ ନବୀନଙ୍କର ଏହି ପରିବର୍ତ୍ତିତ ଆଚରଣ ଦଳୀୟ ନେତାଙ୍କୁ ଚକିତ କରିଛି । ପ୍ୟାରୀମୋହନ ମହାପାତ୍ରଙ୍କୁ ବେଇମାନ କହି ଗୋଟିଏ ମୁହୂର୍ତ୍ତରେ ମାଟି ଚଟାଇଥିବା ସେଇ ନବୀନ ବାବୁଙ୍କ ଏବେକାର ପାଣ୍ଡିଆନ୍ ପ୍ରୀତି ପଛର ରହସ୍ୟ କେହି ବୁଝିପାରୁନାହାନ୍ତି ।
ସେହିଭଳି ବବିଙ୍କ ବିଭୀଷଣ କାର୍ଯ୍ୟକଳାପକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବ୍ୟାପିଥିଲେ ମଧ୍ୟ ନବୀନ ବାବୁ ତାଙ୍କୁ ସୁରକ୍ଷା ଦେବା ପଛର ରହସ୍ୟ କେହି ବୁଝିପାରୁନାହାନ୍ତି । ବବିଙ୍କ ବିରୋଧରେ ଅର୍ନ୍ତଘାତୀ କାର୍ଯ୍ୟ ଓ ଅର୍ଥ ହଡ଼ପର ମାଳ ମାଳ ଅଭିଯୋଗ ସତ୍ତ୍ୱେ ପୂର୍ବଭଳି ସେ ନିୟମିତ ଶଙ୍ଖ ଭବନ ଆସୁଛନ୍ତି ଏବଂ ଦଳୀୟ ବ୍ୟାପାର ବୁଝୁଛନ୍ତି । ଏମିତିକି ନିର୍ବାଚନ ପରାଜୟର କାରଣ ଖୋଜିବାର ନେତୃତ୍ୱ ନେବାକୁ ସେ କୁଆଡ଼େ ପ୍ରସ୍ତୁତ ରହିଛନ୍ତି ।
ଏଭଳିସ୍ଥିତିରେ ଦଳ ଯେ ପୂର୍ବଭଳି ଶକ୍ତିଶାଳି ଓ ସଂଗଠିତ ହୋଇ ରହିବ ତାହା ଅନେକଙ୍କୁ ଆଶଙ୍କିତ କରିଛି । ପାଣ୍ଡିଆନ ଓ ବବିଙ୍କ ପ୍ରତି ନବୀନ ପଟ୍ଟନାୟକଙ୍କର ଅତୁଟ ବିଶ୍ୱାସ ଆଗକୁ ଭୟଙ୍କର ରୂପ ନେବ ବୋଲି ଜଣାପଡ଼ିଲାଣି । ନିକଟ ଭବିଷ୍ୟତରେ ଦଳ ଖଣ୍ଡ ବିଖଣ୍ଡିତ ହୋଇଗଲେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଜଣେ ବରିଷ୍ଠ ବିଧାୟକ କହିଛନ୍ତି ।
ଇତିମଧ୍ୟରେ ଦଳର କିଛି ପ୍ରଭାବଶାଳୀ ନେତା ଏକାଠି ହୋଇ ଦଳର ଭବିଷ୍ୟତ ସଂକ୍ରାନ୍ତରେ ଆଲୋଚନା ଜାରି ରଖିଛନ୍ତି । କୌଣସି ପରିସ୍ଥିତିରେ ପାଣ୍ଡିଆନଙ୍କ ହସ୍ତକ୍ଷେପ ଓ ବବିଙ୍କ ମାମଲତିକୁୁ ସେମାନେ ସହ୍ୟ କରିବେ ନାହିଁ ବୋଲି ଶପଥ ନେଇଛନ୍ତି । ନବୀନ ବାବୁଙ୍କ ଉପରେ ପରବର୍ତ୍ତୀ ନିଷ୍ପତ୍ତି ଛାଡ଼ି ସେଇ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ବାର୍ତ୍ତା ଦେଇଛନ୍ତି ।
ସୂଚନାଥାଉକି, ନିର୍ବାଚନ ବିପର୍ଯ୍ୟୟର କାରଣ ଖୋଜିବା ପାଇଁ ମୁଖିଆ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ ଆଗ୍ରହ ଦେଖାଇନାହାନ୍ତି । ନବନିର୍ବାଚିତ ବିଧାୟକ ଦଳ ବୈଠକରେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ପ୍ରସଙ୍ଗ ଉତଥାନ କରିଥିଲେ ମଧ୍ୟ ନବୀନ ବାବୁ କଥା ବାଆଁରେଇ ଦେଇଥିଲେ । ବିଜେଡି ପରାଜୟର କାରଣ ମୋଦି ହାୱା ବୋଲି ଶୁଣାଇଥିଲେ । ଯାହାକୁ ବିଧାୟକମାନେ ଗ୍ରହଣ କରିପାରି ନ ଥିଲେ ମଧ୍ୟ ପାଟି ଖୋଲି ନ ଥିଲେ । ଏଥିରୁ ସ୍ପଷ୍ଟ ଯେ ବିଜେଡି ପରାଜୟର ପ୍ରକୃତ କାରଣ ପଦାକୁ ଆଣିବାକୁ ନବୀନ ବାବୁ ଚାହୁଁନାହାନ୍ତି । ଏହାପଛରେ ପାଣ୍ଡିଆନ୍ ସିଣ୍ଡୋ୍ରମ୍ ଥିବା ଚର୍ଚ୍ଚା ହେଉଛି ।
Continue Reading