ଭୁବନେଶ୍ୱର: ୨୦୨୪ ନିର୍ବାଚନକୁ ଆଖିରେ ରଖି ବିଜେପି ସାଂଗଠନିକ ସ୍ତରରେ ଅଦଳବଦଳ ପ୍ରକ୍ରିୟା ଆରମ୍ଭ କରିଛି । ଆଜି ୪ଟି ରାଜ୍ୟରେ ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ୱରେ ଥିବା ଡି.ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟ ସଭାପତି ଭାବେ ନିଯୁକ୍ତି ମିଳିଛି । ସେହିଭଳି କେନ୍ଦ୍ରମନ୍ତ୍ରୀ ଜି.କିଷାନ ରେଡ୍ଡୀଙ୍କୁ ତେଲେଙ୍ଗାନା, ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କୁ ଝାଡ଼ଖଣ୍ଡ ଏବଂ ସୁନୀଲ ଝାକରଙ୍କୁ ପଞ୍ଜାବ ରାଜ୍ୟ ସଭାପତି ଭାବେ ନିଯୁକ୍ତି ମିଳିଛି । ଏତାଲା ରାଜେନ୍ଦରଙ୍କୁ ତେଲେଙ୍ଗାନା ରାଜ୍ୟ ନିର୍ବାଚନ ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଆଜି ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ।
ଏଥିସହ କେନ୍ଦ୍ରମନ୍ତ୍ରୀମଣ୍ଡଳର ଅଦଳବଦଳ ଆସନ୍ନ ବୋଲି ସ୍ପଷ୍ଟ ହୋଇଯାଇଛି । ପର୍ଯ୍ୟଟନ, ସଂସ୍କୃତି ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କୁ ତେଲେଙ୍ଗାନା ବିଜେପି ମୁଖିଆ ଭାବେ ନିଯୁକ୍ତି ମିଳିଥିବାରୁ ସେ ମନ୍ତ୍ରୀପଦ ଛାଡ଼ିବା ନିଶ୍ଚିତ ହୋଇଯାଇଛି । ମନ୍ତ୍ରିମଣ୍ଡଳରୁ ଇସ୍ତଫା ପର୍ବ ଆଜି ସଂଧ୍ୟା କିମ୍ବା ଆସନ୍ତାକାଲିଠାରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।
ଶ୍ରୀ ରେଡ୍ଡୀଙ୍କୁ ମିଶାଇ ୧୫ ମନ୍ତ୍ରୀ ବାଦ୍ ପଡ଼ିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯିବ । ଏହି ତାଲିକାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ବେଶୀ ଚର୍ଚ୍ଚା ହେଉଛି । ତାଙ୍କୁ ଉତ୍ତରପ୍ରଦେଶର ସାଂଗଠନିକ ଦାୟିତ୍ୱ ମିଳିପାରେ । ଅନ୍ୟପକ୍ଷରେ ନଭେମ୍ବରରେ ହେବାକୁ ଥିବା ୫ଟି ରାଜ୍ୟର ନିର୍ବାଚନକୁ ଫୋକସ୍ ରେ ରଖି ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ । ପ୍ରଫୁଲ୍ଲ ପଟେଲଙ୍କ ଭଳି କିଛି ନେତା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ।