ଭୁୁବନେଶ୍ୱର: ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ତଥା ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କର ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ଅସୁସ୍ଥ ଥିବା ଶ୍ରୀ ସାହୁ ଗତ ସପ୍ତାହରେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା । ମାତ୍ର ଆଜି ଭୋର ୫ଟା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । କଟକ ପିଠାପୁରସ୍ଥିତ ବାସଭବନରେ ରହୁଥିଲେ ।
ଆସାମ କ୍ୟାଡରର ଆଇପିଏସ୍ ଶ୍ରୀ ସାହୁ ଅତିରିକ୍ତ ଡିଜି ପଦରେ ଥିଲା ବେଳେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଓଡ଼ିଶା ଫେରି ଆସିଥିଲେ । ବିଜେପିରେ ଯୋଗଦେଇ ସେ ବିଭିନ୍ନ ପଦବଦବୀରେ କାର୍ଯ୍ୟ କରିଥିଲେ । ୨୦୦୯ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ୨୦୧୪ ରେ ପୁନଶ୍ଚ ସେ ପୁରୀ ଲୋକସଭା ଆସନରୁ ଲଢ଼ିଥିଲେ । ମାତ୍ର ଦୁଇଥରଯାକ ପରାଜୟ ବରଣ କରିଥିଲେ ।
ଅତ୍ୟନ୍ତ ସ୍ପଷ୍ଟବାଦୀ ଥିଲେ ଶ୍ରୀ ସାହୁ । ନିଜର ଏହି ଗୁଣ ପାଇଁ ବିବାଦ ତାଙ୍କ ପିଛା ଛାଡ଼ି ନ ଥିଲା । ଅନେକ ପ୍ରସଙ୍ଗରେ ଦଳୀୟ ନେତୃତ୍ୱକୁ ସମାଲୋଚନା କରିବାକୁ ପଛାଉ ନ ଥିଲେ । ୨୦୧୪ ରେ କନ୍ଧମାଳ ଉପନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀତ୍ୱରୁ ବଞ୍ଚିତ କରିବାରୁ ସେ କ୍ଷୁବ୍ଧ ହୋଇଥିଲେ । ସେଥିରେ ରୁଦ୍ରମାଧବ ରାୟ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ନିର୍ବାଚନ ଫଳ ଆସିଲା ପରେ ଶ୍ରୀ ସାହୁ ସୋସିଆଲ୍ ମିଡ଼ିଆରେ ବିଷୋଦଗାର କରିଥିଲେ । ଓଡ଼ିଶାରେ ମୋଦି ମ୍ୟାଜିକ୍ କାହିଁକି କାମ କରୁନାହିଁ ଦଳ ତାହାର ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ଟିପ୍ପଣୀ ଦେଇଥିଲେ । ଏହି ଟିପ୍ପଣୀ ତାଙ୍କୁ ମହଙ୍ଗା ପଡ଼ିଥିଲା । ଦଳର ରାଜ୍ୟ ଉପସଭାପତି ପଦରୁ ତଡ଼ା ଖାଇବା ସହ ଦଳରୁ ସସପେଣ୍ଡ ହୋଇଥିଲେ ।
ଶ୍ରୀ ସାହୁଙ୍କ ମୃତ୍ୟୁରେ ରାଜ୍ୟ ବିଜେପି ସମେତ ବିଭିନ୍ନ ମହଲରୁ ଗଭୀର ଶୋକପ୍ରକାଶ ପାଇଛି ।