ଭୁବନେଶ୍ୱର: ପଦ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୪୨ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କର ପରାଜୟ ବ୍ୟବଧାନ ଥିଲା ୫,୭୩୪ । ବିଜେପି ପ୍ରାର୍ଥୀଙ୍କର ଗତ ଥରର ଓ ଏଥରର ଭୋଟ ସଂଖ୍ୟା ସମାନ କହି ଯେତେ ମନ ବୁଝାଇଲେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କଠାରୁ ବିଶାଳ ବ୍ୟବଧାନରେ ହାରିବାକୁ ହାଲକା ଭାବେ ଗ୍ରହଣ କରାଯାଇପାରିବନି । ପଦ୍ମପୁର ପରାଜୟ ଓଡ଼ିଶା ବିଜେପିକୁ ପୁନର୍ବାର ଆତ୍ମସମୀକ୍ଷା ପାଇଁ ବାଧ୍ୟ କରିଥିବା କୁହାଯାଉଛି ।
ମାସକ ତଳେ ଅନୁଷ୍ଠିତ ଧାମନଗର ଉପନିର୍ବାଚନରେ ବିଜେଡିକୁ ମାତ୍ ଦେଇଥିଲା ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏହି ବିଜୟ ଦଳୀୟ କର୍ମୀଙ୍କ ମନରେ ଜୋସ୍ ଭରିବା ସହ ପ୍ରତିପକ୍ଷ ବିଜେଡି ଉପରେ ଚାପ ସୃଷ୍ଟି କରିଥିଲା । ପଦ୍ମପୁର ଉପନିର୍ବାଚନରେ ଦଳକୁ ଏହାର ନିଶ୍ଚିତ ଫାଇଦା ମିଳିବ ବୋଲି ମନେ କରାଯାଉଥିଲା । ମାତ୍ର ତାହା ହେଲା ନାହିଁ । ଧାମନଗର ବିଜୟରେ ଉତଫୁଲ୍ଲିତ ଥିବା ବିଜେପିର ସାଂଗଠନିକ ଦୁର୍ବଳତା, ଗୋଛିକଟା ରାଜନୀତି ଏବଂ ସର୍ବୋପରି ପଦ୍ମପୁର ରଣନୀତିରେ ବ୍ୟାପକ ବିଭ୍ରାଟ ପାଇଁ ବିଜେପି ଏକ ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିଦେଲା ବୋଲି କୁହାଯାଉଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପଦ୍ମପୁର ଉପନିର୍ବାଚନ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା । କେବଳ ତାଙ୍କ ସମ୍ମାନର ପ୍ରଶ୍ନ ନ ଥିଲା ବରଂ ଓଡ଼ିଶାରେ ତାଙ୍କ ଭବିଷ୍ୟତର ଏକ ୠୁରୁତ୍ୱପୂର୍ଣ୍ଣ ମୋଡ଼ ଥିଲା । ସେଥିପାଇଁ ଏହି ଉପନିର୍ବାଚନ କର ବା ମର ପରିସ୍ଥିତି ଛିଡ଼ା କରାଇଥିଲା । ଧର୍ମେନ୍ଦ୍ର ବି କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହିଁ ନ ଥିଲେ । ଭିନ୍ନ ମତବାଦୀ ସବୁ ନେତାଙ୍କୁ ଏକାଠି ସାଙ୍ଗରେ ଧରି ଉପନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ।
ପଦ୍ମପୁରରେ ଧର୍ମେନ୍ଦ୍ର ୪ ଦିନ ପ୍ରଚାର କରିଥିଲେ । ୩୦ ରୁ ଅଧିକ ଜନସଭା ଏବଂ ରୋଡ୍ ସୋ କରିଥିଲେ । ସବୁ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ନିଶାନା କରିଥିଲେ । କଠୋର ଭାଷା ପ୍ରୟୋଗ କରିଥିଲେ । ଏଭଳି ଭାବେ ବିଜେଡି ସହିତ ବିଜେପିର ଗୋପନ ସମ୍ପର୍କ ନେଇ ଲୋକମାନଙ୍କ ମଧ୍ୟରେ ରହିଥିବା ଧାରଣାକୁ ସେ ବଦଳାଇବାକୁ ଚେଷ୍ଟା କରିଥିଲେ । ଖାଲି ସେତିକି ନୁହେଁ, ବିଜେଡି ତରଫରୁ ଉଠାଯାଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଏବଂ ରେଳ ପ୍ରକଳ୍ପକୁ କାଉଣ୍ଟର କରିବା ଲାଗି ବିଭାଗର ଦୁଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ଅଣାଗଲା ।
ତେବେ ବିଭିନ୍ନ ପ୍ରସଙ୍ଗ ଉପରେ ଉପଯୁକ୍ତ ଦିଗଦର୍ଶନ ଓ ସହମତିର ଅଭାବ ବିଜେପିକୁ ଅସୁବିଧାରେ ପକାଇଥିଲା । ବିଜେଡି ବର୍ଷା ସିଂ ବରିହାଙ୍କୁ ପ୍ରାର୍ଥୀ କରି ମହିଳା ଓ ଅନୁକମ୍ପାର କାର୍ଡ ଖେଳିଲା ବେଳକୁ ବିଜେପି ନେତାମାନେ ତାହାକୁ ନିଶାନା କରିଥିଲେ । ବର୍ଷାଙ୍କୁ ପର ଓ ବିଦେଶିନୀ ଆଖ୍ୟା ଦିଆଯାଇଥିଲା । ନିଜେ ପ୍ରାର୍ଥୀ ଶ୍ରୀ ପୁରୋହିତ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ୍ ବର୍ଷାଙ୍କ ବିରୋଧରେ ଟିପ୍ପଣୀ ଦେବା ବୁମେରାଂ ହୋଇଗଲା । ଶେଷରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ନିଆଁରେ ଘିଅ ଢ଼ାଳିଥିଲେ । ଦିନକ ପାଇଁ ପ୍ରଚାର କରିବାକୁ ଯାଇଥିବା ଅପରାଜିତା, ବର୍ଷାଙ୍କୁ ସତ୍ୟବାଦୀର ବୋହୁ କହି ଛିଗୁଲେଇବା ବିଜେପି ଭୋଟବ୍ୟାଙ୍କକୁ ଦୋହଲାଇ ଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରର ତିନୋଟି ଯାକ ସଭାରେ ବିଜେପିର ଏଭଳି ଆଭିମୁଖ୍ୟକୁ ପ୍ରଶ୍ନ କରିବା ସହ ଜଣେ ମହିଳାଙ୍କୁ ଏହା ଘୋର ଅପମାନ ବୋଲି କହି ବର୍ଷାଙ୍କ ପାଇଁ ଭୋଟ ମାଗିଥିଲେ । ବିଜେପି ଉଠାଇଥିବା ଏହି ବିଦେଶିନୀ ପ୍ରସଙ୍ଗ ଯେ ଆଗକୁ ମହଙ୍ଗା ପଡ଼ିବ ତାହା ଦଳର ନିର୍ବାଚନ ବିଶାରଦମାନେ ଜାଣି ନ ପାରିବା ବିଡ଼ମ୍ବନା ବୋଲି କୁହାଯାଉଛି ।
ଅବଶ୍ୟ, କିଛି ବିଜେପି ନେତାଙ୍କ ମୁହଁରେ ବିଦେଶିନୀ ପ୍ରସଙ୍ଗକୁ ଧର୍ମେନ୍ଦ୍ରଙ୍କ ବିରୋଧରେ ଷଡ଼ଯନ୍ତ୍ରର ଅଂଶ ବୋଲି ଆଲୋଚନା ହେଉଛି । ପଦ୍ମପୁରରେ ବିଜେପି ପ୍ରାର୍ଥୀ ଜିତିଲେ ଧର୍ମେନ୍ଦ୍ରଙ୍କ ପତିଆରା ବଢ଼ିଯିବ ବୋଲି କାଳେ ଏହି ନେତା, ନେତ୍ରୀଙ୍କର ବିଶ୍ୱାସ ଥିବାରୁ ଉଦେ୍ଦଶ୍ୟମୂଳକ ନେଗେଟିଭ୍ ପ୍ରଚାର କରାଯାଇଥିଲା ।
ତୃଣମୂଳସ୍ତରେ ଲୋକଙ୍କ ସହ ସମ୍ପର୍କ ଯୋଡିବାରେ ବିଜେଡିର ରଣନୀତି ଏବଂ ବିଜେପିର ରଣନୀତି ମଧ୍ୟରେ ମଧ୍ୟ ଆକାଶ ପାତାଳ ପ୍ରଭେଦ ଥିଲା । ବିଜେଡି ନେତା ଓ କର୍ମୀମାନେ ଅଞ୍ଚଳରେ ପଡିରହି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଜାନ୍ ଲଗାଇ ଦେଇଥିଲେ । ନବୀନ ନିବାସରୁ ସିଧାସଳଖ ମୁଖିଆ ସେମାନଙ୍କ ଗତିବିଧିର ହିସାବ ନିକାଶ ରଖୁଥିଲେ । ନବୀନଙ୍କ ଶୃଙ୍ଖଳା ଛାଟ ଆଗରୁ କେହି ଖସି ପାରି ନ ଥିଲେ । ପଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡ଼ି ନେତା ଓ କର୍ମୀମାନେ ଆନ୍ତରିକତା ଲଗାଇଥିଲେ, ଯାହା ବିଜେପି ନେତା ଓ କର୍ମୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳି ନ ଥିଲା ।
ରାଜନୈତିକ ସମୀକ୍ଷକଙ୍କ ମତରେ ପ୍ରଦୀପ ପୁରୋହିତ ଯୋଗ୍ୟ ପ୍ରାର୍ଥୀ ଥିଲେ । ତାଙ୍କର ନିଜର ଦୃଢ଼ ସଂଗଠନ ଥିଲା । ଆରମ୍ଭରୁ ବିଜେଡି ସପକ୍ଷରେ ହାୱା ବି ନ ଥିଲା । ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଚାରି ଚାରି ଜଣ କେନ୍ଦ୍ରମନ୍ତ୍ରୀ ପ୍ରଚାର କରିଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ଅନେକ ପ୍ରସଙ୍ଗ ବି ଥିଲା । ମାତ୍ର ବିଜେପି ଏହାର ସଦୁପଯୋଗ କରିବାରେ ବିଫଳ ହେଲା । ଅଞ୍ଚଳର ସମସ୍ୟା, ଭୌଗୋଳିକ ସ୍ଥିତି, ଜାତି ସମ୍ପ୍ରଦାୟ ଆଦି ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗକୁ ଶୀର୍ଷ ନେତୃତ୍ୱ ଠିକ୍ ଭାବେ ବୁଝି ପାରି ନ ଥିଲେ । ତାହା ହୋଇଥିଲେ, କେନ୍ଦ୍ରମନ୍ତ୍ରୀ ତୋମାର ପଦ୍ମପୁର ସର୍କିଟ୍ ହାଉସ୍ ରେ ଚାଷୀ ସଂଗଠନର ନେତାମାନଙ୍କୁ ଉପେକ୍ଷା କରି ନ ଥାନ୍ତେ । ବର୍ଷା ସିଂ ବରିହାଙ୍କୁ ବିଜେପି ନେତାମାନେ ଲଗାତର ଆକ୍ଷେପ କରି ନ ଥାନ୍ତେ ।
ବିଜେପିର ଆଉ ଏକ ସମସ୍ୟା ହେଲା, ଭୁବନେଶ୍ୱରଠାରୁ ଆରମ୍ଭ କରି ପଦ୍ମପୁର ଯାଏ ନେତାମାନେ ଟିଭି ଭାଷଣରେ ଦୃଢ଼ ଥିଲେ ମଧ୍ୟ ମଇଦାନରେ କିନ୍ତୁ ପୂରା ଦୁର୍ବଳ । ଯେମିତି କି ପଦ୍ମପୁରରେ ବିଜେପିର ପ୍ରବାସୀ ନେତା ଓ କର୍ମୀ ମାଳ ମାଳ ଥିଲେ ମଧ୍ୟ ସେଠି ସ୍ଥାନୀୟ ନେତୃତ୍ୱର ସଙ୍କଟ ଦେଖିବାକୁ ମିଳିଥିଲା । କାହାରି ସହ କାହାର ତାଳମେଳ ନ ଥିଲା କି କାହାରି ପାଖରେ ଉତ୍ତର ଦାୟିତ୍ୱ ଥିବା ଭଳି ଜଣାପଡୁ ନ ଥିଲା । ପ୍ରଚାର କରିବାକୁ ଯାଇଥିବା ଅଧିକାଂଶ ଉପକୂଳିଆ ନେତା ସେଠି ପାଳି ତୁଲୋଉଥିଲେ ବୋଲି ଦଳର ଜଣେ ବରିଷ୍ଠ ନେତା କ୍ଷୋଭର ସହ କହିଛନ୍ତି । ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେମାନଙ୍କର ଆନ୍ତରିକତାଠାରୁ ସେମାନଙ୍କର ମଉଜ ମସ୍ତି ଅଧିକ ହୋଇଥିଲା । ସର୍ବୋପରି ସାଂଗଠନିକ ଦୁର୍ବଳତା ପାଇଁ ଲୋକଙ୍କ ପାଖରେ ପହଞ୍ଚିବା କଷ୍ଟକର ହୋଇଗଲା ବୋଲି ସେ କହିଛନ୍ତି ।
ପଦ୍ମପୁରରେ ବିଜେପିର ପରାଜୟର କାରଣ ସମ୍ପର୍କରେ ଦଳର ଜଣେ ସାଂସଦଙ୍କ ମତାମତ ଆମେ ପଚାରି ବୁଝିଥିଲୁ । ଉପରକୁ ସମସ୍ତେ ଏକାଠି ହୋଇ ଲଢ଼ୁଥିଲେ ମଧ୍ୟ ଭିତରେ ଥିବା କନ୍ଦଳ ଦଳ ପାଇଁ ବଡ଼ ସମସ୍ୟା ହୋଇଥିଲା ବୋଲି ସେ କହିଛନ୍ତି । ଦ୍ୱିତୀୟରେ ଆର୍ଥିକ ପରିଚାଳନାରେ ମଧ୍ୟ ବିଭ୍ରାଟ ରହିଥିଲା । ଖୋଦ୍ ପ୍ରାର୍ଥୀଙ୍କ ଅଧୀନକୁ ଟଙ୍କାଟେ ଆସି ନ ଥିଲା । ଅନେକ କ୍ଷେତ୍ରରେ ତାଙ୍କର ପରାମର୍ଶକୁ ଗୁରୁତ୍ୱ ଦିଆଯାଇ ନ ଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, ପଦ୍ମପୁରରେ ମନମୋହନ ସାମଲଙ୍କ ଭଳି ନେତାଙ୍କର ଅଭାବ ରହିଗଲା । ସେଭଳି ନେତା ଥିଲେ ହୁଏତ ଫଳାଫଳ ଭିନ୍ନ ହୋଇଥାନ୍ତା ବୋଲି ସେ କହିଛନ୍ତି ।






