ଭୁବନେଶ୍ୱର: ୨୦୦୯ ବ୍ୟାଚ୍ ର ଆଇପିଏସ୍ ବ୍ରିଜେଶ କୁମାର ରାୟ ଭୁବନେଶ୍ୱର-କଟକ କମିସନରେଟ୍ କୁ ବଦଳି ହୋଇଛନ୍ତି । ଉମାଶଙ୍କର ଦାଶଙ୍କ ଜାଗାରେ ତାଙ୍କୁ ଅତିରିକ୍ତ ପୁଲିସ କମିସନର(ଏସିପି) ଭାବେ ନିଯୁକ୍ତି ମିଳିଛି ।
ଗତ ଅଗଷ୍ଟ ୨୨ ତାରିଖରେ ଏକ ବିବାଦୀୟ ପରିସ୍ଥିତିରେ ରାଜ୍ୟ ସରକାର ଡିଆଇଜି ବ୍ରିଜେଶଙ୍କୁ ଅନୁଗୁଳରୁ କଟକ ପୁଲିସ ମୁଖ୍ୟାଳୟକୁ ବଦଳି କରିଥିଲେ । ଘରୋଇ କାମରେ ନିଯୁକ୍ତ ଜଣେ ମହିଳା ହୋମଗାର୍ଡଙ୍କୁ ତାଙ୍କ ପତ୍ନୀ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିଲା । ନିର୍ଯ୍ୟାତନାରେ ଅତିଷ୍ଠ ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରି ଦୁଇଟି ଯାକ ଗୋଡ଼ ହରାଇବା ଖବର ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଘଟଣାରେ ତକ୍ରାଳ କାର୍ଯ୍ୟାନୁଷ୍ଠାନସ୍ୱରୂପ ବ୍ରିଜେଶଙ୍କୁ କଟକ ମୁଖ୍ୟାଳୟକୁ ବଦଳି କରାଯାଇଥିଲା ।
ଏଥିସହ ଆଇପିଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ଅଦଳବଦଳ କରିଛନ୍ତି । ୧୯୮୮ ବ୍ୟାଚ୍ ର ଅଧିକାରୀ ଅରୁଣ କୁମାର ରାୟଙ୍କୁ ସରକାରୀ ପ୍ରେସ୍ ନିର୍ଦ୍ଦେଶକ ଭାବେ କଟକକୁ ବଦଳି କରାଯାଇଛି । ଗୃହ ବିଭାଗରେ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି(ଓଏସଡି) ଭାବେ ସେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।
୧୯୮୯ ବ୍ୟାଚ୍ ର ଅଧିକାରୀ ଏ.ଏମ୍.ପ୍ରସାଦ ଜେଲ୍ ବିଭାଗର ଡିଜି ଭାବେ ନିଯୁକ୍ତି ପାଇଛନ୍ତି । ମାନବାଧିକାର ସୁରକ୍ଷା ସେଲ୍ (ଏଚଆରପିସି)ର ସ୍ୱତନ୍ତ୍ର ଡିଜି ଭାବେ ସେ ଏବେ କାର୍ଯ୍ୟ କରୁଛନ୍ତି ।
୧୯୯୨ ବ୍ୟାଚ୍ ର ଅଧିକାରୀ ଲଳିତ ଦାସ, ଶ୍ରୀ ପ୍ରସାଦଙ୍କ ଜାଗାରେ ଏଚଆରପିସି ସ୍ୱତନ୍ତ୍ର ଡିଜି(ଏଡିଜି) ଭାବେ ବଦଳି ହୋଇଛନ୍ତି । ସରକାରୀ ପ୍ରେସ୍ ନିର୍ଦ୍ଦେଶକ ଭାବେ ସେ ଅବସ୍ଥାପିତ ଥିଲେ ।
୨୦୦୮ ବ୍ୟାଚ୍ ର ଅଧିକାରୀ ଉମାଶଙ୍କର ଦାଶ ଏସଆଇଡବ୍ଲୁ ଡିଆଇଜି ଭାବେ ବଦଳି ହୋଇଛନ୍ତି । କମିସନରେଟ୍ ପୁଲିସରେ ସେ ଅତିରିକ୍ତ କମିସନର ଭାବେ ଅବସ୍ଥାପିତ ଥିଲେ । ଉମାଶଙ୍କରଙ୍କ ଜାଗାରେ ବ୍ରିଜେଶ ରାୟ ନିଯୁକ୍ତି ପାଇଛନ୍ତି ।