ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରି ୧୭ ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଏପ୍ରିଲ ୮ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଏଥିରେ ସମୁଦାୟ ୨୮ ଟି କାର୍ଯ୍ୟଦିବସ ରହିଛି । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବ୍ରୁଆରି ୧୭ରୁ ୨୪ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ । ଫେବ୍ରୁଆରି ୨୦ରେ ରାଜ୍ୟ ବଜେଟ୍ ଆଗତ ହେବ । ଆଜି ବିଧାନସଭା ପକ୍ଷରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।
କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ଦିନ ଫେବ୍ରୁଆରି ୧୭ରେ ଗୃହରେ ଅଭିଭାଷଣ ରଖିବେ ରାଜ୍ୟପାଳ । ୧୮ ଓ ୧୯ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ । ୨୦ ତାରିଖରେ ୨୦୨୬-୨୦୨୭ ଆର୍ଥିକ ବର୍ଷର ବଜେଟ୍ ଆଗତ ହେବ । ୨୩ ଓ ୨୪ ତାରିଖରେ ବଜେଟ୍ ଉପରେ ସାଧାରଣ ଆଲୋଚନା ହେବ । ମାର୍ଚ୍ଚ ୧୦ରୁ ୩୦ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ । ମାର୍ଚ୍ଚ ୩୧ରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବ ।