ଭୁବନେଶ୍ୱର: ଗୋଠପାଟଣା, ମଳିପଡ଼ା ଓ ଦାଶପୁର ଅଞ୍ଚଳର ୮୦୦ ଏକର ଜମିରେ ଗଢ଼ି ଉଠିବ ନୂଆ ଭୁବନେଶ୍ୱର ସହର । ଏହି ପ୍ରକଳ୍ପ ପାଇଁ ୧୫ ବର୍ଷରେ ଖର୍ଚ୍ଚ ହେବ ୮,୧୭୯ କୋଟି ଟଙ୍କା । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏହି ଅର୍ଥ ଖର୍ଚ୍ଚ କରିବ । ନ୍ୟୁ ଭୁବନେଶ୍ୱର ସିଟି ପାଇଁ ମାଷ୍ଟର୍ ପ୍ଲାନ୍ ଉପରେ କ୍ୟାବିନେଟ୍ ମୋହର ଲାଗିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାକୁ ମିଶାଇ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଗଣମାଧ୍ୟମକୁ ଏହାର ସୂଚନା ଦେଇଛନ୍ତି ।
ଓଡ଼ିଶା ନିଯୁକ୍ତି ଫିସ୍ ପ୍ରଦାନ ଏବଂ ଫେରସ୍ତ ନିୟମାବଳୀ ପ୍ରଣୟନ କରାଯାଇଛି । ଏହି ନିୟମ ଅନୁଯାୟୀ ଏସଟି, ଏସସି ଓ ଭିନ୍ନକ୍ଷମ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ପରୀକ୍ଷା ଫିସ୍ ଦେବାକୁ ପଡ଼ିବ ।
ସେହିଭଳି ପଞ୍ଚାୟତ ସମିତି ହିସାବ ପ୍ରଣାଳୀ ନିୟମାବଳୀର ସଂଶୋଧନ କରାଯାଇଛି । ଏଥିରେ ପଞ୍ଚାୟତ ସମିତି କାର୍ଯ୍ୟର ବିଲ୍ ପାସ୍ ବିଡିଓଙ୍କ ଆର୍ଥିକ କ୍ଷମତାକୁ ବୃଦ୍ଧି କରାଯାଇଛି ।
ମୋଟର ଯାନ ଅଧିନିୟମରେ ସଂଶୋଧନ କରାଯାଇ ଚାଲାଣ ଏକକାଳୀନ ସମାଧାନକୁ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ କୋର୍ଟକୁ ପଠାଯାଇଥିବା ଚାଲାଣର ଫଇସଲା ପାଇଁ କମିଟି ଗଠନ କରାଯିବ ଏବଂ ବକେୟା ଜରିମାନା ଦୃଢ଼ତାର ସହ ଆଦାୟ କରାଯିବ ।
ରାଜ୍ୟ ସରକାର ୪୨୮ ଗୋଟି ନୂଆ ଆମ୍ବୁଲାନ୍ସ କିଣିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଖର୍ଚ୍ଚ ହେବ ୧୧୮.୯୮ କୋଟି ଟଙ୍କା ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଲୋକସେବା ଭବନରେ ଆୟୋଜିତ ୨୬ତମ କ୍ୟାବିନେଟ୍ ବୈଠକରେ ପୂର୍ବର ୨୫ଟି କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ମୁଖ୍ୟ ନିଷ୍ପତ୍ତିଗୁଡ଼ିକର ଏକ ସଂକଳନ ପ୍ରକାଶ କରିଛନ୍ତି । ଏହି ସଂକଳନରେ ୩୪ଟି ବିଭାଗର ୧୪୯ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିବରଣୀ ସାମିଲ ରହିଛି । ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକର ମୁଖ୍ୟ ନିଷ୍ପତ୍ତିଗୁଡ଼ିକ ରହିଛି । ଏହି ପଦକ୍ଷେପ ଓଡ଼ିଶା ସରକାରଙ୍କ ପାରଦର୍ଶୀ ଶାସନର ଏକ ଉଦାହରଣ ଭାବେ ଦେଖାଯାଉଛି । ଜନସାଧାରଣଙ୍କୁ ଏହି ସଂକଳନ ଶୀଘ୍ର ଉପଲବ୍ଧ କରାଯିବାରୁ ଅପେକ୍ଷା ରହିଛି ।