ଭୁବନେଶ୍ୱର: ରାଜ୍ୟରେ ଘରୋଇ ଡାକ୍ତରଖାନା ଓ ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ସିଜେରିଆନ୍ ଡେଲିଭରି କେସ୍ କୁ ନେଇ ଏକ ଚମକପ୍ରଦ ତଥ୍ୟ ଆସିଛି । ନ୍ୟାସନାଲ୍ ଫ୍ୟାମିଲି ହେଲଥ୍ ସର୍ଭେ ବା NFHS-4 ଅନୁଯାୟୀ ସିଜେରିଆନ୍ ଡେଲିଭରିରେ ଜାତୀୟ ହାର ୪୭.୪ % ଥିଲା ବେଳେ ଓଡ଼ିଶାରେ ଏହି ହାର ଥିଲା ୫୩. ୭% । ତେବେ ସର୍ଭେ(NFHS-5 )ରେ ଓଡ଼ିଶାର ଏହି ହାର ୭୦.୭% କୁ ବୃଦ୍ଧି ପାଇଛି । ଅର୍ଥାତ୍ ଘରୋଇ ହସ୍ପିଟାଲ୍ ଗୁଡ଼ିକରେ ହେଉଥିବା ଡେଲିଭରିର ୭୦ ରୁ ଅଧିକ ପ୍ରତିଶତ କେସ୍ ସିଜେରିଆନ୍ ।
ଗରିବ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ହରିଲୁଟ୍ ର ଏହା ଆଉ ଏକ ଫନ୍ଦି ବୋଲି ଜଣାପଡ଼ିଛି । ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ରାକେଟ୍ ସାରା ରାଜ୍ୟରେ କାୟା ବିସ୍ତାର କରି ଯୋଜନାବଦ୍ଧ ଭାବେ ଟଙ୍କା ହରିଲୁଟ୍ କରୁଥିବା ସ୍ୱାସ୍ଥ୍ୟ ବିଭାଗ ଜାଣିବାକୁ ପାଇଛି । ବିଏସକେୱାଇ କାର୍ଡଧାରୀ ମହିଳା ପ୍ରସବ ପାଇଁ ସରକାରୀ ଡାକ୍ତରଖାନାକୁ ଗଲେ ସେମାନଙ୍କୁ ଘରୋଇ ଡାକ୍ତରଖାନାକୁ ପଠାଇ ଦିଆଯାଉଛି । ସେଠାରେ ଆବଶ୍ୟକ ନ ଥାଇ ସିଜେରିଆନ୍ ଡେଲିଭରି କରାଯାଉଛି ଏବଂ ଲକ୍ଷ ଲକ୍ଷ ଟଙ୍କା ବିଲିଂ କରାଯାଉଛି । ବିଏସକେୱାଇ କାର୍ଡରୁ ଏହି ଟଙ୍କା କଟୁଥିବାରୁ ହିତାଧିକାରୀଙ୍କୁ ବାଧୁନାହିଁ । ସରକାରୀ ବାବୁଙ୍କୁ ତାଙ୍କ ଭାଗ ଦେଇ ମାଲେମାଲ୍ ହେଉଛନ୍ତି ଘରୋଇ ହସ୍ପିଟାଲ୍ ।
ବିଏସକେୱାଇ କେଳେଙ୍କାରିର ଏହି ନୂଆ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖରେ ପହଞ୍ଚିଲା ପରେ ବିଭାଗ ସଜାଗ ହୋଇଛି । ଆସନ୍ତା ମାସରୁ ରାଜ୍ୟର ସବୁ ଘରୋଇ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ସିଜେରିଆନ୍ ସେକ୍ସନ୍ ଅଡିଟ୍ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଗତକାଲି ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।
କିଛି ମାସ ତଳେ କଟକର ସାଉଥପଏଣ୍ଟ ହସ୍ପିଟାଲ୍ ଏବଂ ଆଠଗଡ଼ର ପଣ୍ଡା ନର୍ସିଂହୋମ୍ ରେ ବିଏସକେୱାଇ ଜାଲିଆତିର ଗୁମର ଖୋଲିଥିଲା । ଦଲାଲ ଓ ସୁରକ୍ଷା କର୍ମୀଙ୍କୁ ଲଗାଇ କିଭଳି ସରକାରୀ ଅର୍ଥ ଲୁଟ୍ କରାଯାଉଥିଲା ତାହା ଧରାପଡ଼ିଥିଲା । ଗରିବ ହିତାଧିକାରୀଙ୍କୁ କିଛି ଟଙ୍କା ଦେଇ ତାଙ୍କଠାରୁ ବିଏସକେୱାଇ କାର୍ଡ ହାତେଇ ନିଆଯାଉଥିଲା ଏବଂ ମିଛ ବିବରଣୀ ପ୍ରସ୍ତୁତ କରାଯାଇ ସରକାରୀ ତହବିଲରୁ ଟଙ୍କା ଉଠାଯାଉଥିଲା । କେବଳ କଟକ କି ଆଠଗଡ଼ର ହସ୍ପିଟାଲ୍ କି ନର୍ସିଂହୋମ୍ ନୁହେଁ, ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏକାଧିକ ଅଭିଯୋଗ ଆସିଥିଲା ।
ଯୋଜନା ଟଙ୍କାକୁ ଲୁଟିବା ପାଇଁ ଏକ ବଡ଼ ଚେନ୍ ବା ରାକେଟ୍ କାମ କରୁଥିବା ସମସ୍ତେ ଜାଣିଲେଣି । ରାକେଟ୍ ର ଚେର ବହୁତ ଲମ୍ବା । ସ୍ୱାସ୍ଥ୍ୟ ବିଭାଗର ଅସାଧୁ ଅଧିକାରୀଙ୍କ ଏଥିରେ ବଡ଼ ଭାଗିଦାର ରହିଛି । ସେମାନଙ୍କ ବିନା ସଲାସୁତୁରାରେ ବିଏସକେୱାଇ ଯୋଜନାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହେବା ସମ୍ଭବ ନୁହେଁ । ରାଜ୍ୟ ସରକାରଙ୍କ ଏହି ଫ୍ଲାଗସିପ୍ ଯୋଜନାରୁ ଲକ୍ଷ ଲକ୍ଷ ଗରିବ ଲୋକ ଉପକୃତ ହେଉଥିବା ବେଳେ ସେମାନେ ଟଙ୍କା ଲୁଟିବା ପାଇଁ ଗଳାବାଟ ବାହାର କରିଛନ୍ତି ।
ସୂଚନାଥାଉକି, ବିଏସକେୱାଇ ଯୋଜନାର କାର୍ଯ୍ୟକାରିତା ସ୍ୱାସ୍ଥ୍ୟ ବିଭାଗ ଅଧୀନସ୍ଥ ଓଡ଼ିଶା ହେଲଥ୍ ଆସ୍ୟୁରାନ୍ସ ସୋସାଇଟି ଉପରେ ନ୍ୟସ୍ତ ଅଛି । ଏହି ସୋସାଇଟି ହେଉଛି ବିଏସକେୱାଇ ଯୋଜନା କାର୍ଯ୍ୟକାରିତାର ନୋଡାଲ୍ ଏଜେନ୍ସି । ଯୋଜନା ପ୍ରଚଳନ ଦିନଠାରୁ ଅତିରିକ୍ତ ଶାସନ ସଚିବ ଶୁବାନନ୍ଦ ମହାପାତ୍ର ରାଜ୍ୟ ନୋଡାଲ୍ ଅଫିସର ଦାୟିତ୍ୱରେ ଅଛନ୍ତି । ଅତିରିକ୍ତ ନିର୍ଦ୍ଦେଶକ ଭାବେ ଡକ୍ଟର ବିଷ୍ଣୁ ପ୍ରସାଦ ମହାପାତ୍ର ଏବଂ ଡେପୁଟି ସିଇଓ ଭାବେ ସମ୍ବିତ କୁମାର ବେହେରା କାର୍ଯ୍ୟ କରୁଛନ୍ତି ।
ବିଏସକେୱାଇ କେଳେଙ୍କାରୀର ବିଭିନ୍ନ ଦିଗ ପଦାକୁ ଆସିଲା ପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉଛି ସତ ମାତ୍ର ଦାୟିତ୍ୱରେ ଥିବା ଏହି ନିର୍ଦ୍ଦିଷ୍ଟ ଅଧିକାରୀମାନଙ୍କ ଦେହରେ ଧୂଳି ବାଜୁନି । ସତେ ଯେମିତି ସେମାନଙ୍କ ଉପରେ ବିଭାଗର ଉତ୍ତର ଦାୟିତ୍ୱ ନାହିଁ ।
ବିଏସକେୱାଇ ଯୋଜନାରେ ରାଜ୍ୟ ଓ ରାଜ୍ୟ ବାହାରର ୫୦୦ ଘରୋଇ ହସ୍ପିଟାଲ୍ ପ୍ୟାନେଲଭୁକ୍ତ ହୋଇଛନ୍ତି । ସେଥିମଧ୍ୟରୁ ରାଜ୍ୟ ବାହାରର ଅଛନ୍ତି ୯୮ ହସ୍ପିଟାଲ୍ । ତେବେ ଯୋଜନାରେ ପ୍ୟାନେଲଭୁକ୍ତ ହେବା ପାଇଁ ଘରୋଇ ହସ୍ପିଟାଲ୍ ଗୁଡ଼ିକ ଯେଉଁ ମାନଦଣ୍ଡ ପୂରଣ କରିବା କଥା ଅନେକ କ୍ଷେତ୍ରରେ ଚଞ୍ଚକତା ଅଭିଯୋଗ ଆସିଛି । ଏହି ଚଞ୍ଚକତା ଯୋଗୁଁ କଟକର ସାଉଥପଏଣ୍ଟ ହସ୍ପିଟାଲ୍, ଆଠଗଡ଼ର ପଣ୍ଡା ନର୍ସିଂହୋମ୍ ଭଳି ହସ୍ପିଟାଲ୍ ବିଏସକେୱାଇ ତାଲିକାକୁ ପଶି ଆସିଥିଲା ।
ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ, ବିଏସକେୱାଇ ଯୋଜନାରେ ଗତବର୍ଷ ୭୩ ହଜାର ରୋଗୀଙ୍କ ଚିକିତ୍ସା ପାଇଁ ମାସକୁ ହାରାହାରି ୧୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯୋଜନା ଆରମ୍ଭ ଦିନଠାରୁ ରାଜ୍ୟ ରାଜକୋଷରୁ ଏ ବାବଦରେ ୧,୧୯୧ କୋଟି ଟଙ୍କା ଖର୍ଚ୍ଚ ସରିଲାଣି । ଉପକୃତ ହୋଇଛନ୍ତି ୫.୪ ଲକ୍ଷ ରୋଗୀ । ତେବେ ସେଥିରେ ଭୂତ ରୋଗୀ କେତେ ଏବଂ ରାଜକୋଷରୁ କେତେ ହରିଲୁଟ୍ ହୋଇଛି ତାହାର ଉପଯୁକ୍ତ ତଦନ୍ତ ଦରକାର ।