ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରୁ ଆସିଛି ଭୟାନକ ଖବର । ବ୍ଲକ୍ ଅଫିସ୍ ଭିତରେ ଜଣେ ମହିଳା ସରପଞ୍ଚଙ୍କୁ ଶାସକ ଦଳର ଗୁଣ୍ଡାମାନେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଛନ୍ତି । ଗଣ୍ଡଗୋଳ ଖବର ପାଇ ସେଠାକୁ ଆସିଥିବା ପୁଲିସ ବାହିନୀ ସଂପୃକ୍ତ ଗୁଣ୍ଡାଙ୍କୁ ଧରିବା ବଦଳରେ ସରପଞ୍ଚଙ୍କୁ ଥାନାକୁ ଉଠାଇ ନେଲେ । ମୋବାଇଲ୍ ରେ ରେକର୍ଡ କରିଥିବା ଦୃଶ୍ୟକୁ ଡିଲିଟ୍ କରିବାକୁ ବାଧ୍ୟ କରି ଅକଥନୀୟ ନିର୍ଯ୍ୟାତନା ଦେଲେ । ଚୁଟିକୁ ଧରି ବିଧା ଗୋଇଠା ମାରିଲେ । ଛାତିରେ ଗୋଇଠା ବାଜିବାରୁ ସରପଞ୍ଚ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ । ଶାସକ ଦଳର ଗୁଣ୍ଡା ଓ ପୁଲିସଙ୍କଠାରୁ ମାଡ଼ଗାଳି ଖାଇଥିବା ମହିଳାଜଣଙ୍କ ପୁଣି ଯାହିତାହି ସରପଞ୍ଚ ନୁହଁନ୍ତି । ଅନ୍ୟାୟ ବିରୋଧରେ ସ୍ୱର ଉଠାଇ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ଥିବା ଚାମେଲି ଓଝା । ତିଖିରି ପଞ୍ଚାୟତର ସେ ହେଉଛନ୍ତି ଯୁବ ସରପଞ୍ଚ ।
ଚାମେଲିଙ୍କ ଅଭିଯୋଗ ଅନୁଯାୟୀ, ମହାକାଳପଡ଼ା ବ୍ଲକ୍ ରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ୬ ମାସ ଧରି ବିଲ୍ ପଡ଼ି ରହିଛି । ଏ ସମ୍ପର୍କରେ ବିଡିଓଙ୍କ ସହ ଆଲୋଚନା କରିବା ପାଇଁ ନିଜ ଭାଇକୁ ଧରି ଆଜି ବ୍ଲକ୍ ଅଫିସ ଆସିଥିଲେ । ତାଙ୍କ ସାଙ୍ଗରେ ଅନ୍ୟ ୩ ସରପଞ୍ଚ ମଧ୍ୟ ଥିଲେ । ବିଡିଓଙ୍କ ସହ କଥା ହେଲା ବେଳେ ସ୍ଥାନୀୟ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କ ୮/୧୦ ଜଣ ସମର୍ଥକ ଭିତରକୁ ପଶି ତାଙ୍କୁ ଗାଳିମନ୍ଦ ଆରମ୍ଭ କରିଦେଲେ । ଏହି ଦୃଶ୍ୟକୁ ସେ ମୋବାଇଲ୍ ରେ ରେକର୍ଡିଂ କରିବାରୁ ସେମାନେ ଅଧିକ ଉତକ୍ଷିପ୍ତ ହୋଇ ମୋବାଇଲ୍ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ଭାଇ ବିରୋଧ କରିବାରୁ ତାକୁ ତଣ୍ଟିଆ ଧକ୍କା ମାରିଥିଲେ । ତତେ ଗ୍ୟାଙ୍ଗରେପ୍ କରିଦେବୁ ବୋଲି ଜଣେ ଧମକ ଦେଲା ବେଳେ ଆଉ ଜଣେ ତତେ ଭଡ଼ାରେ ଲଗାଇବୁ ବୋଲି କହୁଥିଲେ । ପଇସା ସରିଗଲା ବୋଲି ଏଠି ଆସି ନାଟକ କରୁଛୁ କହି ବହୁ କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।
ସେତେବେଳକୁ ବିଡିଓ ପଳାଇ ଯାଇଥିଲେ ଏବଂ ଖବର ପାଇ ପୁଲିସ ପହଞ୍ଚିଗଲା । ଗାଳିମନ୍ଦ କରୁଥିବା ଯୁବକଙ୍କୁ ଆକଟ କରିବା ବଦଳରେ ତାଙ୍କଠାରୁ ମୋବାଇଲ୍ ନେଇଯିବାକୁ ଚେଷ୍ଟା କରିଥିଲା । ପୁଲିସକୁ ସେଥିରୁ ବାରଣ କରି ବାଇକରେ ଭାଇ ସହ ଘରକୁ ଫେରୁଥିଲା ବେଳେ ପୁଲିସ ତାଙ୍କୁ ଅଧା ବାଟରେ ଅଟକାଇଥିଲା । କାରଣ ପଚାରିବାରୁ କିଛି କହି ନ ଥିଲେ । ପୁଲିସ ଗାଡ଼ି ପଛରେ ବିଧାୟକଙ୍କର ସେଇ ସମର୍ଥକମାନେ ଥିଲେ । ଖବର ପାଇ ସେଠାରେ ପହଞ୍ଚିଥିବା ତାଙ୍କ ବାପାଙ୍କୁ ସେହି ଗୁଣ୍ଡାମାନେ ଧକ୍କା ମାରି ପାଟି ଚୁପ୍ କରାଇଥିଲେ । ପୁଲିସ ସାମନାରେ ତାଙ୍କଠାରୁ ମୋବାଇଲ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ଏହାପରେ ପୁଲିସ ତାଙ୍କୁ ଜବରଦସ୍ତ ଗାଡ଼ିରେ ବସାଇ ଥାନାକୁ ନେଇଆସିଲେ । ସେଠାରେ ଆଇଆଇସି ଖରାପ ଭାଷାରେ ଗାଳିଗୁଲଜ ଆରମ୍ଭ କରିଦେଲେ । ତୁ ବେଶ୍ୟା କାମ କରୁଛୁ, ଏସା କରୁଛୁ ତେସା କରୁଛୁ ବୋଲି କହିଥିଲେ । ବିଧାୟକଙ୍କ ପଛରେ କାହିଁକି ଲାଗିଛୁ ବୋଲି ପଚାରିବା ସହ ସହ ସାଙ୍ଗରେ ମିଶି କାମ କରିବାକୁ ଧମକାଇଥିଲେ ।
ଏହାପରେ ତାଙ୍କ ମୋବାଇଲ୍ ନେଇଯିବାକୁ ଚେଷ୍ଟା କରାଯାଇଥିଲା । ମାତ୍ର ସେ ନ ଦେବାରୁ ତିନିଜଣ ମହିଳା କନେଷ୍ଟବଳ ଚୁଟି ଧରି ଘୋଷାଡ଼ି ନେଇଥିଲେ ଏବଂ ପିଠିକୁ ବିଧା ଗୋଇଠା ମାରିଥିଲେ । ଗୋଟିଏ ବିଧା ଛାତିରେ ବସିବାରୁ ଯନ୍ତ୍ରଣାରେ ସେ ଖସିପଡ଼ିଥିଲେ । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲ୍ ଅଣାଯାଇଥିଲା ।
ଚାମେଲିଙ୍କ ଅଭିଯୋଗ ସଂକ୍ରାନ୍ତରେ ମହାକାଳପଡ଼ା ଆଇଆଇସି ଏବଂ ବିଧାୟକଙ୍କ ପ୍ରତିକ୍ରିୟା ମିଳିନାହିଁ ।
ସୂଚନାଥାଉକି, ଦୁଇମାସ ତଳେ ତିଖିରି ପଞ୍ଚାୟତରେ ଏକ ଅନ୍ୟାୟ କାର୍ଯ୍ୟକୁ ବିରୋଧ କରି ତହସିଲଦାରଙ୍କ ବାଟ ଓଗାଳିଥିଲେ । ପ୍ରଶାସନ ବିରୋଧରେ ତାଙ୍କର ରୋକଠୋକ୍ କାର୍ଯ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଚାମେଲିଙ୍କୁ ବିପୁଳ ସମର୍ଥନ ମିଳିଥିଲା । ଇତିମଧ୍ୟରେ ସୋସିଆଲ୍ ମିଡିଆରେ ତାଙ୍କର ଖ୍ୟାତି ବହୁତ ବଢ଼ିଯାଇଛି । ପ୍ରମୁଖ ଟିଭି ଚାନେଲ୍ ତାଙ୍କର ସାକ୍ଷାତକାର ନେଇଛନ୍ତି । ସେ କେଉଁ ଦଳର ସମର୍ଥକ ବୋଲି ଏକ ପ୍ରଶ୍ନର ଉତ୍ତରକୁ ସେ ଏଡ଼ାଇ ଦେଇଥିଲେ ମଧ୍ୟ ସାଂସଦ ବୈଜୟନ୍ତ ପଣ୍ଡାଙ୍କର ଦୃଢ଼ ସମର୍ଥକ ବୋଲି ପ୍ରକାଶ କରିଥିଲେ ।