ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭୁବନେଶ୍ୱର ଭିଜିଲାନସ୍ ସ୍ୱତନ୍ତ୍ର ଭିଜିଲାନସ୍ କୋର୍ଟ ଆଜି ଚାର୍ଜଫ୍ରେମ୍ କରିଛନ୍ତି । ବିଧାୟକଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ୍ ହୋଇଛି । ଏହି ପତି ପତ୍ନୀଙ୍କ ନାଁରେ ୯ କୋଟି ୧୮ ଲକ୍ଷ ୧୩ ହଜାର ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରହିଛି ।
ବିଧାୟକ ଶ୍ରୀ ପାଣିଗ୍ରାହୀ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଲୋକାୟୁକ୍ତଙ୍କ ପାଖରେ ୨୦୨୧ ମସିହାରେ ଅଭିଯୋଗ ହୋଇଥିଲା । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନସ୍ ପକ୍ଷରୁ ସେହିବର୍ଷ ଅକ୍ଟୋବର ୪ ତାରିଖରେ ବିଧାୟକଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଏବଂ ୧୨ ରେ ମାମଲା ରୁଜୁ କରି ତଦନ୍ତ କରିଥିଲା । ବିଧାୟକଙ୍କ ଘର ସର୍ଚ୍ଚ ବେଳେ ତାଙ୍କ ପାଖରୁ ୯ କୋଟି ୧୮ ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ ହୋଇଥିଲା । ଯାହାର ସେ ହିସାବ ଦେଇ ପାରିନ ଥିଲେ । ବିଧାୟକଙ୍କ ପତ୍ନୀ ମଧ୍ୟ ତାଙ୍କର ଏହି ବେନାମୀ ସମ୍ପତ୍ତି ଆହରଣରେ ଭାଗିଦାର ଥିବା ଜଣାପଡ଼ିଥିଲା ।
୯.୬.୨୦୨୨ ତାରିଖରେ ଭିଜିଲାନସ୍ ପକ୍ଷରୁ ଏହି ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରାଯାଇଥିଲା । ଲୋକାୟୁକ୍ତ ଏହି ରିପୋର୍ଟର ଅନୁଧ୍ୟାନ କଲା ପରେ ବିଧାୟକ ପାଣିଗ୍ରାହୀ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଭୁବନେଶ୍ୱର ଭିଜିଲାନସ୍ ସ୍ୱତନ୍ତ୍ର କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ପାଖରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ଭିଜିଲାନସ୍ ଉଭୟଙ୍କ ବିରୋଧରେ ସମସ୍ତ ତଥ୍ୟ ପ୍ରମାଣ ସହ ୩୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ।
୨୨.୪.୨୦୨୩ ରେ ଭିଜିଲାନସ୍ ସ୍ୱତନ୍ତ୍ର କୋର୍ଟର ସ୍ୱତନ୍ତ୍ର ବିଚାରପତି ଏହାକୁ କଗନିଜାନସ୍ ଭାବେ ଗ୍ରହଣ କରିଥିଲେ । ବିଧାୟକ ଏବଂ ପତ୍ନୀଙ୍କ ବିରୋଧରେ ଟ୍ରାଏଲ୍ ଆରମ୍ଭ ପାଇଁ ଆଜି ଚାର୍ଜ ଫ୍ରେମ୍ କରିଛନ୍ତି ।
ସୂଚନାଥାଉକି, ଏକଦା ବିଜେଡିର ଏହି ପାୱାରଫୁଲ୍ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଠକେଇ ଭଳି ଗୁରୁତର ଅଭିଯୋଗ ଆସିଥିଲା । ଟାଟା ମୋଟର୍ସରେ ଚାକିରି କରାଇଦେବାର ଲୋଭ ଦେଖାଇ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ୬ଟି ମାମଲା ରୁଜୁ ହୋଇଥିଲା । ଜନବିରୋଧୀ ଆଖ୍ୟାରେ ବିଜେଡି ତାଙ୍କୁ ତତକ୍ଷଣାତ୍ ଦଳରୁ ବହିଷ୍କୃତ କରିଥିଲା । ଏହି ଠକେଇ ମାମଲାରେ ବିଧାୟକ କ୍ରାଇବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ । ୭ ମାସ ଝାରପଡ଼ା ଜେଲ୍ ରେ ରହିଲା ପରେ ଜାମିନ୍ ରେ ଆସିଥିଲେ ।