ଭୁବନେଶ୍ୱର: ଚଳିତବର୍ଷର ମାଟ୍ରିକ୍ ପରୀକ୍ଷାଫଳ ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ । ଦିନ ଗୋଟାଏ ବେଳେ କଟକ ବୋର୍ଡ ଅଫିସ୍ ଠାରେ ଏହି ପରୀକ୍ଷାଫଳ ପ୍ରକାଶ କରିବାକୁ ବ୍ୟବସ୍ଥା ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । କୋଭିଡ୍ ଯୋଗୁଁ ଦୁଇବର୍ଷ ହେଲା ପିଲାମାନେ ସ୍କୁଲରେ ବସି ପରୀକ୍ଷା ଦେଇପାରି ନ ଥିଲା । ଦୁଇବର୍ଷ ପରେ ସ୍ୱାଭାବିକ ପରୀକ୍ଷା ହୋଇଥିବାରୁ ପରୀକ୍ଷାଫଳକୁ ନେଇ ବିଶେଷ ଉତ୍ସାହ ସୃଷ୍ଟି ହୋଇଛି ।
ଚଳିତବର୍ଷ ୫ ଲକ୍ଷରୁ ଅଧିକ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ଏପ୍ରିଲ୍ ୨୯ରେ ପରୀକ୍ଷା ଆରମ୍ଭ ହୋଇ ମେ’ ୭ ରେ ଶେଷ ହୋଇଥିଲା । ମେ’ ୨୧ ରୁ ୫୮ ଟି ମୂଲ୍ୟାଙ୍କନ କେନ୍ଦ୍ରରେ ଖାତାଦେଖା ହୋଇଥିଲା । ସୂଚନା ଅନୁଯାୟୀ, ଆସନ୍ତା ୬ ତାରିଖ ଦିନ ୧ଟା ବେଳେ କଟକ ବୋର୍ଡ ଅଫିସରେ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ପ୍ରକାଶ କରାଯିବ । ତେବେ ଦିନ ୨ଟା ପରେ ଛାତ୍ରଛାତ୍ରୀମାନେ ୱେବ୍ ସାଇଟ୍ ରୁ ପରକ୍ଷା ଫଳ ଜାଣିପାରିବେ ।
ଅନ୍ୟପକ୍ଷରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶନ ବିଳମ୍ବ ପଛରେ କିଛି ତ୍ରୁଟି ବିଚ୍ୟୁତିକୁ ମନ୍ତ୍ରୀ ସ୍ୱୀକାର କରିଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ଫଳ ପ୍ରକାଶ କରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛନ୍ତି ।