ଭୁବନେଶ୍ୱର: ମହିଳା ଓ ଶିଶୁ ବିରୋଧୀ ହିଂସା ପାଇଁ ଓଡ଼ିଶା ପୁଲିସରେ ଏକ ସ୍ୱତନ୍ତ୍ର ୱିଙ୍ଗ୍ କାର୍ଯ୍ୟ କରିବ । ୬୨ତମ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି ।
ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଥିଲା ବେଳେ ବିଭିନ୍ନ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହାର କମ୍ ଥିବାରୁ ଚିନ୍ତାପ୍ରକଟ କରିଛନ୍ତି । ଏହି ହାର ବଢ଼ାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିବାକୁ ପଡ଼ିବ । ସେଥିପାଇଁ ତଦନ୍ତ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ, ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ପୁଲିସ ଉପଯୁକ୍ତ ସମ୍ମାନ ଦେବା ହେଉଛି ‘ମୋ ସରକାର’ର ଲକ୍ଷ୍ୟ । ଏହାର ଫିଡ଼ବ୍ୟାକ୍ ସନ୍ତୋଷଜନକ ଥିଲେ ମଧ୍ୟ ଓଡ଼ିଶା ପୁଲିସ ଆପଣେଇଥିବା ୫-ଟି କାର୍ଯ୍ୟକ୍ରମରେ ଆହୁରି ଉନ୍ନତି ଆଣିବାର ଆବଶ୍ୟକତା ଅଛି ।
ତେବେ ସର୍ବୋପରି ରାଜ୍ୟରେ ଶାନ୍ତିପୂର୍ଣ୍ଣ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିବା ସହ ମାଓ ପରିସ୍ଥିତିରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବାରୁ ପୁଲିସକୁ ସାଧୁବାଦ ଜଣାଇଥିଲେ । ଚଳିତବର୍ଷ ମାଓବାଦୀଙ୍କ ସହ ମୁକାବିଲା ବେଳେ ଚଳିତବର୍ଷ ୨ ଜଣ ବୀର ଯବାନ ବଳିଦାନ ଦେଇଛନ୍ତି । ମାଓ ମୁକାବିଲା କ୍ଷେତ୍ରରେ ମାଲକାନଗିରି ଏବଂ କନ୍ଧମାଳ ଏସପିଙ୍କ କାର୍ଯ୍ୟ ପ୍ରଶଂସନୀୟ । ଅନୁକୂଳ ଶିଳ୍ପ ପରିବେଶ ସୃଷ୍ଟି କ୍ଷେତ୍ରରେ କେନ୍ଦୁଝର ଏବଂ ଅନୁଗୁଳ ଏସପିଙ୍କ ଉଦ୍ୟମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ସାରା ରାଜ୍ୟରେ ନିଶା କାରବାରକୁ ରୋକିବାରେ ଏସଟିଏଫ ବିଶେଷ ସଫଳତା ହାସଲ କରିଛି । ଏଥିପାଇଁ ଏସଟିଏଫ ଡିଆଇଜି ଏବଂ କୋରାପୁଟ ଏସପିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।
କରୋନା ମହାମାରୀର ମୁକାବିଲାରେ ଓଡ଼ିଶା ପୁଲିସର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ । କରୋନା ଯୋଦ୍ଧାରେ ପ୍ରାଣ ହରାଇଥିବା ପୁଲିସମାନଙ୍କ ଆତ୍ମାର ସଦଗତି କାମନା କରି ସେମାନଙ୍କ ପରିବାରକୁ ସବୁ ପ୍ରକାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ୩୮ ଜଣ ଦିବଙ୍ଗତ ପୁଲିସ ପରିବାରକୁ ସ୍ୱତନ୍ତ୍ର ଫ୍ୟାମିଲି ପେନସନ୍ ମଂଜୁର ହୋଇସାରିଛି । ୨୯ ଦିବଙ୍ଗତ ପୁଲିସ ପରିବାରକୁ ୫୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ପାଇଁ ପ୍ରକ୍ରିୟା ଅବିଳମ୍ବେ ସାରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬ ଟି ନୂଆ ଥାନାର ଶୁଭାରମ୍ଭ ଘୋଷଣା କରିଥିଲେ । ଥାନାଗୁଡ଼ିକରେ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟ ସରକାର ୯୦୫ ଅତିରିକ୍ତ ପଦବୀକୁ ମଞ୍ଜୁର କରିଛନ୍ତି । ପୁଲିସମାନଙ୍କ ପାଇଁ ବାସଗୃହ ଅଭାବ ପୂରଣ ପାଇଁ ଅଧିକ ପାଣ୍ଠି ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଦୁର୍ଦ୍ଦଶାଗ୍ରସ୍ତ ଲୋକ ଏବଂ ସେମାନଙ୍କ ପରିବାର ପ୍ରତି ଯତ୍ନବାନ ଏବଂ ସମ୍ବେଦନଶୀଳ ହୁଅନ୍ତୁ । ସମାଜର ସବୁ ବର୍ଗର ଲୋକଙ୍କୁ ନ୍ୟାୟ ଦେବା ଲକ୍ଷ୍ୟ ରହୁ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶେଷରେ ପରାମର୍ଶ ଦେଇଥିଲେ ।