ଭୁବନେଶ୍ୱର: ଖୋର୍ଦ୍ଧା ଶିଳ୍ପାଞ୍ଚଳ ପାଇଁ ଇଣ୍ଡଷ୍ଟ୍ରିଆଲ୍ ପୁଲିସ ଷ୍ଟେସନ୍ ଏବଂ କେନ୍ଦୁଝର ଓ ବଡ଼ବିଲ ସହରରେ ଦୁଇଟି ଟ୍ରାଫିକ ପୁଲିସ ଷ୍ଟେସନ୍ ସ୍ଥାପନ ହେବ । ଏହି ତିନୋଟି ନୂଆ ପୁଲିସ ଷ୍ଟେସନ୍ ପାଇଁ ୪୭ ପଦବୀ ସୃଷ୍ଟି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କିତ ପ୍ରସ୍ତାବକୁ ଆଜି ଅନୁମୋଦନ କରିଛନ୍ତି ।
ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଏହିକ୍ରମରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୁଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ପୁଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି ଏବଂ ସେଥିପାଇଁ ୨୩ ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି ।
ଏହି ପୁଲିସ ଷ୍ଟେସନରେ ସୃଷ୍ଟି ହୋଇଥିବା ୨୩ଟି ନୂତନ ପଦବୀ ମଧ୍ୟରେ ଗୋଟିଏ ଇନସପେକ୍ଟର, ୬ ସବଇନସପେକ୍ଟର, ୩ ଆସିଷ୍ଟାଣ୍ଟ ସବଇନସପେକ୍ଟର, ୨ ହାବିଲଦାର ଏବଂ ୧୧ କନେଷ୍ଟବଳ ପଦବୀ ରହିଛି ।
ସେହିଭଳି କେନ୍ଦୁଝର ଓ ବଡ଼ବିଲ ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦୁଇଟି ଟ୍ରାଫିକ ପୁଲିସ ଷ୍ଟେସନ୍ ହେବ ଏବଂ ସେଥିପାଇଁ ୨୪ଟି ନୂଆ ପଦବୀ ମଂଜୁର ହୋଇଛି । ଏହି ୨୪ ପଦବୀ ମଧ୍ୟରେ ୨ ଇନସପେକ୍ଟର, ୬ ଆସିଷ୍ଟାଣ୍ଟ ସବଇନସପେକ୍ଟର ଓ ୧୬ କନେଷ୍ଟବଳ ପଦବୀ ରହିଛି ।