ଭୁବନେଶ୍ୱର: ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ମେଟ୍ରୋ ଟ୍ରେନ୍ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଛି । ରେଳ ଷ୍ଟେସନ, ବାଣୀବିହାର, ପଟିଆ, ନନ୍ଦନକାନନ ରାସ୍ତାକୁ ଏହା ସଂଯୋଗ କରିବ । ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଇନଷ୍ଟାଗ୍ରାମ୍ ରେ ଏହି ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପୂର୍ବରୁ ଏହି ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଓ ଏହାର ଅଧିଗ୍ରହଣଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା, ଅଣ୍ଡରଗ୍ରାଉଣ୍ଡ ବ୍ୟବସ୍ଥା ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ ଉଚ୍ଚସ୍ତରୀୟ ସଚିବ ଟିମ୍ ।

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ଟିମ୍ ଫିଲ୍ଡ ଭିଜିଟ୍ କରିଥିଲେ । ଉନ୍ନୟନ କମିସନର ଅନୁ ଗର୍ଗ, ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ୍, ପରିବହନ ସଚିବ ଉଷା ପାଢ଼ୀ, ଆଇଟି ସଚିବ ମନୋଜ ମିଶ୍ର, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ସାମିଲ ହୋଇଥିଲେ ।

ଆଜି ଭୋର୍ ୪.୩୦ ରୁ ଏହି ଟିମ୍ ଭୁବନେଶ୍ୱର ବିମାନ ବନ୍ଦରରୁ ଫିଲ୍ଡ ଭିଜିଟ୍ ଆରମ୍ଭ କରିଥିଲେ । ବିମାନ ବନ୍ଦର ଛକରୁ ଶିଶୁଭବନ ଛକ, ମାଷ୍ଟର କ୍ୟାଣ୍ଟିନ୍ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ, କଳିଙ୍ଗ ହସ୍ପିଟାଲ୍ ଛକ, ପଟିଆ, ନନ୍ଦନକାନନ ଛକ ଦେଇ ତ୍ରିଶୂଳିଆ ଛକରେ ପହଞ୍ଚିଥିଲେ । ରାସ୍ତାରେ ବିଭିନ୍ନ ଜାଗାରେ ଓହ୍ଲାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଭୁବନେଶ୍ୱର ଓ କଟକ ମଧ୍ୟରେ ମେଟ୍ରୋ ଚଳାଚଳ ହେଲେ କେତେ ଜମି ଅଧିଗ୍ରହଣ କରିବାକୁ ହେବ, କେଉଁ ସ୍ଥାନରେ ଅଣ୍ଡର ଗ୍ରାଉଣ୍ଡ କରାଯିବ ଏବଂ ବିଭିନ୍ନ ସମ୍ଭାବ୍ୟ ସମସ୍ୟା ଓ ଏହାର ପ୍ରତିକାର ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।








