ଭୁବନେଶ୍ୱର: କଳାହାଣ୍ଡିର ଭବାନୀପାଟଣାଠାରେ କିସ୍ ପକ୍ଷରୁ ପ୍ରତିଷ୍ଠା ହୋଇଛି ଏକ ସ୍କୁଲ । ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢ଼ିବାର ସୁଯୋଗ ପାଇବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଯୋଗେ ଏହି ସ୍କୁଲର ଉଦଘାଟନ କରିଛନ୍ତି । ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ କିସ୍ ର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ, କଳାହାଣ୍ଡି ଏବେ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ୁଛି । ଜିଲ୍ଲାରେ ବିଶ୍ୱବିଦ୍ୟାଳୟ, ସରକାରୀ ଇଞ୍ଜିନିୟରିଂ କଲେଜ ନୂଆ ପରିଚୟ ସୃଷ୍ଟି କରିପାରିଛି । ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ସବୁଠାରୁ ଅଧିକ ଗୁରୁତ୍ୱ ଦେଉଥିବା କହିଥିଲେ ।
୫-ଟି ଉପକ୍ରମରେ ସ୍କୁଲ ରୂପାନ୍ତରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ୪୦୦ ଟି ସ୍କୁଲର ରୂପାନ୍ତର କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୨୯ ଟି ସ୍କୁଲର ରୂପାନ୍ତର କରାଯାଇଛି । ଏହି ରୂପାନ୍ତର ପିଲାଙ୍କ ଭିତରେ ଆଗ୍ରହ, ଉତ୍ସାହ ଓ ଭବିଷ୍ୟତ ପ୍ରତି ଦୃଢ଼ ସଂକଳ୍ପ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ବସନ୍ତ ପଣ୍ଡା, ସୁଜିତ୍ କୁମାର, ବିଧାୟକ ପ୍ରଦୀପ ଦିଶାରୀ ପ୍ରମୁଖ ଯୋଗଦେଇଥିଲେ । ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର କ୍ଷେତ୍ରରେ କିସ୍ ର ଉଦ୍ୟମ ପାଇଁ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଚ୍ଚ ପ୍ରଶଂସା କରିଥିଲେ ।
ଡକ୍ଟର ସାମନ୍ତ ତାଙ୍କ ସ୍ୱାଗତ ଭାଷଣରେ ଏହି ସ୍କୁଲ ପ୍ରତିଷ୍ଠା ପଛରେ କିସ୍ ଆଭିମୁଖ୍ୟ ରଖିଥିଲେ । ଶେଷରେ କଳାହାଣ୍ଡି ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।