ଭୁବନେଶ୍ୱର: କଟକ ସହର ରୂପାନ୍ତରୀକରଣର ପ୍ରଥମ ପାହାଚ । ଏସସିବି ମେଡିକାଲ କଲେଜକୁ ସଂଯୋଗ କରୁଥିବା ରାସ୍ତା ଜୋବ୍ରାରୁ ରାଣୀହାଟ ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାଶ୍ୱର୍ରେ ତିନି ଥାକିଆ ରାସ୍ତା ଖୋଲିଛି । ୭ ମାସରେ ନିର୍ମିତ ହୋଇଥିବା ଏହି ସୁଦୃଶ୍ୟ ରାସ୍ତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦଘାଟନ କରିଛନ୍ତି । ଏଣିକି କଟକ ବାହାରୁ ଆସୁଥିବା ରୋଗୀମାନେ ବିନା ଟ୍ରାଫିକ୍ ସମସ୍ୟାରେ ସିଧା କଟକ ବଡ଼ ମେଡ଼ିକାଲ୍ ରେ ପହଞ୍ଚିପାରିବେ ।
ଜୋବ୍ରା ରିଂଗ୍ ରୋଡଠାରୁ ରାଣୀହାଟକୁ ସଂଯୋଗ କରୁଥିବା ତାଳଦଣ୍ଡା କେନାଲ ଉଭୟ ପାଶ୍ୱର୍ର ଏହି ତିନି ଥାକିଆ ରାସ୍ତାର ଲମ୍ବ ଦେଢ଼ କିଲୋମିଟର ଏବଂ ଚଉଡା ରହିଛି ୧୫ ମିଟର । ଏଥିରେ ପାଦଚଲା ରାସ୍ତା ସହିତ ପାର୍କିଂ, ସୌନ୍ଦର୍ଯ୍ୟକରଣ ଏବଂ ଆଲୋକୀକରଣ କରାଯାଇଛି ।
ତାଳଦଣ୍ଡା କେନାଲର ଉଭୟ ପାଶ୍ୱର୍ର ରାସ୍ତାକୁ ଆଗାମୀ ଦିନରେ ଆହୁରି ସମ୍ପ୍ରସାରିତ କରାଯିବ ଏବଂ ବିସ୍ଥାପିତ ଲୋକଙ୍କୁ ମାନବିକତା ଦୃଷ୍ଟିକୋଣରୁ ଉପଯୁକ୍ତ ଭାବେ ଥଇଥାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି ।

କଟକ ଏସସିବିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ସହ କଟକ ସହର ରୂପାନ୍ତରୀକରଣ ପ୍ରକ୍ରିୟାର ଏହା ପ୍ରଥମ ପାହାଚ ବୋଲି କୁହାଯାଇଛି । ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ଘୋଷଣା କରିଥିଲେ । ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । କୋଭିଡ ବେଳେ ରେକର୍ଡ ସମୟରେ ୧୪ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ହୋଇଛି ।
ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ସମୟରେ କଟକବାସୀ ଅଶେଷ ତ୍ୟାଗ ଓ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । କୋଭିଡ ସମୟରେ ଦିନରାତି କାମ କରି ଏହି ରାସ୍ତା ପ୍ରକଳ୍ପକୁ ରେକର୍ଡ ସମୟରେ ଶେଷ କରିଥିବାରୁ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗ ଓ କଟକ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କଟକ-ଚୈାଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ପ୍ରମୁଖ ଭାଷଣ ଦେଇଥିଲେ ।
କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ । କଟକବାସୀଙ୍କ ପାଇଁ ଏହା ଏକ ଐତିହାସିକ ମୁହୁର୍ତ୍ତ ବୋଲି ସେ କହିଥିଲେ । ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ, ତାଳଦଣ୍ଡା କେନାଲର ଲାଇନିଂ କାମ ଖୁବ ଶୀଘ୍ର ଆରମ୍ଭ କରାଯିବ । ଏଥିରେ ବୋଟିଂ ଓ କ୍ରୀଡ଼ା ବ୍ୟବସ୍ଥାର ବିକାଶ କରାଯିବ ବୋଲି ସୂଚନା ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର.ବାଲକ୍ରିଷ୍ଣନ୍, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର, କଟକ ଜିଲ୍ଲାପାଳ, ସିଏମସି କମିଶନର ପ୍ରମୁଖ ଯୋଗଦେଇଥିଲେ ।







