ଭୁବନେଶ୍ୱର: ବିଜେପିର ଛାତ୍ର ସଂଗଠନ ଏବିଭିପିର ନିର୍ଦ୍ଦେଶରେ ହୋଇଛି କଲେଜ ଛାତ୍ର ସଂସଦ ନିର୍ବାଚନ । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ନିଆଁ ଲଗେଇ ଦେଇଛି । ଗତକାଲି ଭୁବନେଶ୍ୱରରେ ଆୟୋଜିତ ଏବିଭିପି ଛାତ୍ର ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ସଂଗଠନର କଲେଜ ନିର୍ବାଚନ ପ୍ରସ୍ତୁତି ଓ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପର ଖୁଲାସା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଆମେ ନିର୍ବାଚନ କରିବୁ ନା ଦ୍ବନ୍ଦରେ ଥିଲୁ । କାଳେ ନିର୍ବାଚନ ହାରିଯିବୁ ସେଇ ଭୟ ଥିଲା । ମାତ୍ର ଏବିଭିପି ନେତୃବୃନ୍ଦ ଆମକୁ ନିର୍ଭୟ ପ୍ରତିଶ୍ରୁତି ଦେଲେ । କାଲି ନିର୍ବାଚନ ଘୋଷଣା କଲେ ବି ଆମେ ପ୍ରସ୍ତୁତ ବୋଲି କଥା ଦେଲେ । ସେମାନଙ୍କ କହିବାନୁଯାୟୀ ସରକାର ପରଦିନ ନିର୍ବାଚନ ତାରିଖ ଘୋଷଣା କଲେ ଏବଂ ଯାହା ଆଶା ଥିଲା ଫଳ ପାଇଲୁ । ସେଥିପାଇଁ ସମସ୍ତ ଏବିଭିପି ଛାତ୍ରବୃନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କର ଏହି ମନ୍ତବ୍ୟ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି । ବିଜେଡି ଏହାକୁ କଡା ଭାଷାରେ ନିନ୍ଦା କରିଛି । ଜଣେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଏଭଳି ମନ୍ତବ୍ୟ ଶୋଭା ପାଏନି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଏବଂ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ । ମୋହନ ମାଝୀ ଓଡିଶାର ମୁଖ୍ୟମନ୍ତ୍ରୀ ନା ତାଙ୍କ ଦଳ ର ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି । ଛାତ୍ର ସଂସଦ ନିର୍ବାଚନ ରେ ସରକାରୀ କଳର ବ୍ୟାପକ ଅପବ୍ୟବହାର ନେଇ ବିଜେଡି ଯେଉଁ ଅଭିଯୋଗ କରି ଆସୁଥିଲା ମୁଖ୍ୟମନ୍ତ୍ରୀ ତାହାକୁ ସତ ମାନିଲେ । ଆଗାମୀ ଦିନରେ ଏହାର କଡା ଜବାବ ଦିଆଯିବ ବୋଲି ସେମାନେ କହିଛନ୍ତି ।