ଭୁୁବନେଶ୍ୱର: ଚଳିତ ସିବିଏସଇ ଦଶମ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱରର ଲୋକସେବା ଭବନରେ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଉଭୟ ଟପର ଛାତ୍ରୀଙ୍କୁ ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇ ସମ୍ବର୍ଦ୍ଧିତ କରି ରୂପା ତାରକସିର ଉପହାର ଓ ଉତ୍ତରୀୟ ପ୍ରଦାନ କରିଥିଲେ। ଭବିଷ୍ୟତରେ ସେମାନେ ଦୁଇ ଜଣ ଆହୁରି ସଫଳତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।
ଉଭୟ ଛାତ୍ରୀ ଭବିଷ୍ୟତରେ ଜଣେ ଜଣେ ଡାକ୍ତର ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ଟିନା ଭବିଷ୍ୟତରେ କାର୍ଡିଓଲୋଜିଷ୍ଟ ହେବାର ଲକ୍ଷ୍ୟ ରଖିଥିବା ବେଳେ, ଆଲିଶା ନ୍ୟୁରୋଲୋଜିଷ୍ଟ ହେବାର ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଉଭୟ ଛାତ୍ରୀଙ୍କୁ ନିଷ୍ଠା ଓ ପରିଶ୍ରମ ଜାରି ରଖି, ନିଜର ଲକ୍ଷ୍ୟରେ ନିଶ୍ଚୟ ସଫଳ ହେବ ବୋଲି କହିଥିଲେ । ଏହି ସଫଳତା ରାଜ୍ୟର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ ଯେ, ଟିନା ରଥ ପୁରୀର ମଦର୍ସ ପବ୍ଲିକ୍ ସ୍କୁଲ୍ ରେ ଅଧ୍ୟୟନ କରୁଥିବା ବେଳେ ଆଲିଶା ବିଶ୍ୱାଳ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଅଧ୍ୟୟନ କରି, ୫୦୦ରୁ ୫୦୦ ମାର୍କ ରଖି ରାଜ୍ୟକୁ ଗର୍ବିତ କରିବା ସହ ଦୁହେଁ ଓଡ଼ିଶାର ସିବିଏସଇ ଟପର୍ ଭାବେ ପରିଚିତ ହୋଇଛନ୍ତି।
ପୁରୀର ଟିନା ରଥଙ୍କ ପିତା ସମୀର କୁମାର ରଥ ଓ ମାତା ରେଣୁ ପ୍ରଭା ଦାସ। ସେହିପରି ଭୁବନେଶ୍ୱର ୟୁନିଟ୍-୯ ରେ ବାସ କରୁଥିବା ଆଲିଶା ବିଶ୍ୱାଳଙ୍କ ପିତା ହେଉଛନ୍ତି ସୁଦର୍ଶନ ବିଶ୍ୱାଳ ଓ ମାତା ସୌଦାମିନୀ ମଲ୍ଲିକ୍।
Continue Reading







