ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦେଇଥିବା ଚିଠିର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନବୀନଙ୍କ ଚିଠିରେ କୌଣସିସି ଗଠନମୂଳକ ପ୍ରସ୍ତାବ ପରିବର୍ତ୍ତେ ରାଜନୈତିକ ଦୃଷ୍ଟିକୋଣ ଥିବା ମୋହନ ତାଙ୍କୁ ପେଞ୍ଚ ମାରିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ଏବଂ ନ୍ୟାଯ୍ୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ । ମାତ୍ର ଆପଣଙ୍କ ପତ୍ରରେ ଉଲ୍ଲେଖ ଥିବା ବିଷୟବସ୍ତୁ ଏହି ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ ପାଇଁ କୌଣସି ଗଠନମୂଳକ କିମ୍ବା ଆଇନଗତ ଭାବେ ଗ୍ରହଣଯୋଗ୍ୟ ପନ୍ଥା ପ୍ରଦାନ କରିବା ପରିବର୍ତ୍ତେ ଏହାକୁ ଏକ ରାଜନୈତିକ ଦୃଷ୍ଟିକୋଣରୁ ଦେଖୁଥିବା ପରି ମନେହେଉଛି ।
ରାଜ୍ୟ ସରକାର ସର୍ବଦା ଆଇନଗତ ଏବଂ ସାମ୍ବିଧାନିକ ଉପାୟ ମାଧ୍ୟମରେ ରାଜ୍ୟର ଭୌଗୋଳିକ ସ୍ୱାର୍ଥକୁ ସୁରକ୍ଷିତ ରଖି ଆସିଛନ୍ତି । କୋଟିଆ ଓ ଏହାର ଆଖପାଖ ଅଞ୍ଚଳର ସମନ୍ୱିତ ବିକାଶ ଉପରେ ନଜର ରଖିବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ରାଜ୍ୟସ୍ୱ ମନ୍ତ୍ରୀ, ଅନ୍ୟ ମନ୍ତ୍ରୀଗଣ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଅଞ୍ଚଳର ବିକାଶମୂଳକ ଆବଶ୍ୟକତାଗୁଡ଼ିକର ସମୀକ୍ଷା କରିବା ଏବଂ ସାମଗ୍ରିକ ବିକାଶ ପାଇଁ ସମନ୍ୱିତ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ଏଠାକୁ ବାରମ୍ବାର ଗସ୍ତ କରିଛନ୍ତି ।
ଦୀର୍ଘଦିନ ଧରି ପଡ଼ି ରହିଥିବା ସମସ୍ୟାର ସମାଧାନ ପାଇଁ ଯଦି ଆପଣଙ୍କ ପାଖରେ କୌଣସି ଗଠନମୂଳକ ପରାମର୍ଶ ଥାଏ ତେବେ ସରକାରଙ୍କ ବିଚାର ନିମନ୍ତେ ମୁଁ ତାହା ପାଇବାକୁ ଆଶା କରିବି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି ।
ସୂଚନାଥାଉକି, ଗତ ୧୯ ତାରିଖରେ ନବୀନ ଦେଇଥିବା ପତ୍ରରେ କୋଟିଆ ସଂକ୍ରାନ୍ତୀୟ ନିର୍ବାଚନ ପ୍ରତିଶ୍ରୁତି ପାଳନରେ ଡବଲ ଇଞ୍ଜିନ ସରକାର କାହିଁକି ପଛଘୁଞ୍ଚା ଦେଉଛି ବୋଲି ପଚାରିଥିଲେ । ସରକାର ତୁରନ୍ତ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଲେଖିଥିଲେ ।