ଭୁବନେଶ୍ୱର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନଭରସିଟି ଅଫ ଟେକନୋଲୋଜି (ଭିସୁଟ୍) ର ରୂପାନ୍ତରୀକରଣ ହେବ । ଏହାର ଉନ୍ନତିକରଣ ପାଇଁ ପ୍ରସ୍ତୁତି ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ୨୦୨୬ ସୁଦ୍ଧା ଏହି ଅନୁଷ୍ଠାନରେ ୨୪ ଟି ଅଣ୍ଡର ଗ୍ରାଜୁଏଟ୍ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ତିନୋଟି ପର୍ଯ୍ୟାୟରେ ଦୁଇ ହଜାର କୋଟି ଟଙ୍କା ଟଙ୍କା ଖର୍ଚ୍ଚ କରାଯିବ ।
ମାଷ୍ଟରପ୍ଲାନ ଅନୁଯାୟୀ, ୨୦୩୦ ସୁଦ୍ଧା ଏହାକୁ ଏକ ମଲଟି ଡିସିପ୍ଲିନାରି ଇଞ୍ଜିନିୟରିଂ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି ଭାବରେ ବିକଶିତ କରାଯିବ । ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ ଆଇଆଇଟି ଓ ଏନଆଇଟି ପରି ସଂସ୍ଥାମାନଙ୍କ ସହିତ ସମକକ୍ଷ ହେବ । ଏଥିରେ ସ୍କୁଲ ଅଫ ଇଞ୍ଜିନିୟରିଂ, ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟର, ସ୍କୁଲ ଅଫ ମେଡିକାଲ ଟେକେନୋଲୋଜି ଓ ସ୍କୁଲ ଅଫ ବେସିକ୍ ସାଇନ୍ସ ପରି ୭ଟି ସ୍କୁଲ ରହିବ ।
ଉକ୍ତ ଅନୁଷ୍ଠାନରେ ବର୍ତ୍ତମାନ ୨୮୪୯ ଛାତ୍ରଛାତ୍ରୀ ବିଭିନ୍ନ କୋର୍ସରେ ପାଠ ପଢ଼ୁଛନ୍ତି । ଏବେ ୧୦,୮୬୪ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯିବ । ଏଥିରେ ୭ଟି ସ୍କୁଲରେ ୨୪ ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ ରୁ ଅଧିକ ବିଭାଗ ଓ ୨୭ ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ । ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବରେଟୋରି, ପ୍ରଫେସରମାନଙ୍କ ଚାମ୍ବର ଓ ଗ୍ୟାଲେରୀ ରହିବ । ସମସ୍ତ ସ୍କୁଲରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବରେଟୋରି ସୁବିଧା ଉପଲବ୍ଧ ହେବ । ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ସହିତ ଶିଳ୍ପାନୁଷ୍ଠାନମାନଙ୍କର ସହଭାଗିତା କରାଯିବ ଏବଂ ଏଥିରେ ଅତି କମ୍ ରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ୱ ସମ୍ଭାଳିବେ । ଏହାଦ୍ୱାରା ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ଶିଳ୍ପାନୁଷ୍ଠାନମାନଙ୍କ ପାଇଁ ଅତ୍ୟାଧୁନିକ ଗବେଷଣା ଓ ପରାମର୍ଶ କେନ୍ଦ୍ର ଭାବରେ କାର୍ଯ୍ୟ କରିପାରିବ ।
୩ ମାସ ମଧ୍ୟରେ ସମସ୍ତ ସ୍ମାର୍ଟ କ୍ଲାସରୁମ୍ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ହଷ୍ଟେଲ ଓ ଅନ୍ୟାନ୍ୟ ସାଧାରଣ ମରାମତି କାମକୁ ତୁରନ୍ତ ଶେଷ କରିବା ସହ ଅନୁଷ୍ଠାନକୁ ୨୪ ଘଣ୍ଟିଆ ବିଦୁ୍ୟତ ଯୋଗାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆଲୋଚନାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଦକ୍ଷତା ବିକାଶ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଉପସ୍ଥାପନା ରଖିଥିଲେ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗତ ଅଗଷ୍ଟ ୨୫ ତାରିଖରେ ମୁଖ୍ୟ ଶାସନ ସଚି. ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପ୍ରମୁଖ ବୁର୍ଲା ଗସ୍ତ କରିଥିଲେ । ଭିସୁଟ୍ କୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ।