ଭୁୁବନେଶ୍ୱର: ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସ୍ୱାସ୍ଥ୍ୟ, ବିଜୁଳି, ଜଳସେଚନ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ସେତୁ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷେତ୍ରରେ ୩୯୫୨ କୋଟିର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଗୋପାଳପୁରରେ ୨୭ ହଜାର କୋଟି ଟଙ୍କା ବିନିଯୋଗରେ ରାଜ୍ୟରେ ବୃହତ୍ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ଗୋପାଳପୁରରେ ୮ ହଜାର କୋଟି ଟଙ୍କା ବିନିଯୋଗରେ ଆଭାଡ଼ା ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ, ଗୋପାଳପୁର ବନ୍ଦର ଓ ଟାଟା ଷ୍ଟିଲ ଏସ୍.ଇ.ଜେଡ୍ ଗୋପାଳପୁର ମଧ୍ୟରେ ୧୨୮.୮୮ କୋଟି ଟଙ୍କା ବ୍ୟୟରେ ଯୁଟିଲିଟି କରିଡ଼ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ଶୀତଳାପଲ୍ଲୀଠାରେ ୨୦୦ ଶଯ୍ୟାବିଶିଷ୍ଟ ସମ୍ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶେରଗଡ଼ ଗ୍ରାମପଞ୍ଚାୟତକୁ ଏନ୍.ଏ.ସି. ମାନ୍ୟତା ନେଇ ମଧ୍ୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ପ୍ରଥମେ ହିଞ୍ଜିଳି-ଶେରଗଡ଼ ଯାଇ ସେଠାରେ ୧୮୧.୭୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୭ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହିତ ୧୩୬.୭୮ କୋଟି ଟଙ୍କାର ୮ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରେ ଶୀତଳାପଲ୍ଲୀଠାରେ ୬୩୯.୮୧ କୋଟି ଟଙ୍କା ମୂଲ୍ୟର ୨୪ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହିତ ୨୯୯୪ କୋଟି ଟଙ୍କାର ୫୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।
ଶେରଗଡ଼ଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ସହଯୋଗରେ ହିଞ୍ଜିଳି-ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ୍ ଭାବେ ପରିଚୟ ପାଇଛି ଏବଂ ଏହି ନିର୍ବାଚନ ମଣ୍ଡଳୀ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପରିଣତ ହୋଇଛି । ୫-ଟି ଉପକ୍ରମରେ ରୂପାନ୍ତର ଅଭିଯାନର ଭିତ୍ତି ପ୍ରଥମେ ହିଞ୍ଜିଳି-ଶେରଗଡ଼ରୁ ହିଁ ଆରମ୍ଭ ହୋଇଥିଲା । ମା’ତାରାତାରିଣୀ ପୀଠର ଉନ୍ନତି ସହିତ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ଏଠାରୁ ଆରମ୍ଭ ହୋଇଥିଲା । ଏହିସବୁ ରୂପାନ୍ତର କାର୍ଯ୍ୟ ଆଜି ଦେଶବିଦେଶକୁ ଆକର୍ଷିତ କରୁଛି । ଆଜି ହାଇସ୍କୁଲ ରୂପାନ୍ତର କାର୍ଯ୍ୟ ଶେଷହୋଇ ସାରା ରାଜ୍ୟରେ ୮୦୦୦ରୁ ଅଧିକ ହାଇସ୍କୁଲ ରୂପାନ୍ତରିତ ହୋଇଛି । ପିଲାମାନଙ୍କ ଖୁସି ଓ ଲୋକଙ୍କ ଖୁସି ଦେଖି ସେ ବି ଆନନ୍ଦିତ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶେରଗଡ଼ ଗ୍ରାମପଞ୍ଚାୟତକୁ ଏନ୍.ଏ.ସି ଭାବେ ଘୋଷଣା କରିଥିଲେ ଏବଂ ହିଞ୍ଜିଳି-ଶେରଗଡ଼ର ବିକାଶକୁ ଏକ ନୂଆ ସୋପାନରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଶୀତଳାପଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ସରସ୍ୱତୀ ପୂଜାର ଶୁଭ ଅବସରରେ ଗଞ୍ଜାମ ଜିଲ୍ଲା ପାଇଁ ୫ ହଜାର କୋଟିରୁ ଅଧିକ ଟଙ୍କାର ଜଳସେଚନ ପ୍ରକଳ୍ପ, ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଗଲା । ସେହିପରି ଗୋପାଳପୁର industrial ପାର୍କରେ ଏସିଏମ୍ଇ ଓ ଆଭାଡ଼ା ଦ୍ୱାରା ଗ୍ରୀନ୍ ଫୁଏଲ୍ ପ୍ରକଳ୍ପ ଏବଂ ଗୋପାଳପୁରଠାରେ ଇଡ୍କୋର ୟୁଟିଲିଟି କରିଡ଼ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ଏହା ଦ୍ୱାରା ଜିଲ୍ଲାରେ ଶିଳ୍ପ ବିକାଶ ସହିତ ନିଯୁକ୍ତି ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୀତଳାପଲ୍ଲୀଠାରେ ନବନିର୍ମିତ ୨୦୦ ଶଯ୍ୟାବିଶିଷ୍ଟ ସମ୍ ସୁପରସ୍ପେସିଆଲିଟି ହସ୍ପିଟାଲ୍କୁ ଲୋକାର୍ପିତ କରିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ଗୋପାଳପୁରଠାରେ ୨୭ ହଜାର କୋଟି ଟଙ୍କା ନିବେଶରେ ଏ.ସି.ଏମ୍.ଇ ଦ୍ୱାରା ୧.୧୦ ଏମ୍.ଏମ୍.ଟି.ପି.ଏ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ଏବଂ ୮ ହଜାର କୋଟି ଟଙ୍କା ନିବେଶରେ ଆଭାଡ଼ା ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ପାଇଁ ଭିତ୍ତି ରଖିଥିଲେ । ଏହି ଦୁଇ ପ୍ରକଳ୍ପ ଦ୍ୱାରା ପ୍ରାୟ ୫୨୦୦ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ୍ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରକଳ୍ପ ସଂପର୍କରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ ।