ଭୁବନେଶ୍ୱର: ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍ଇନ୍ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ (By way of Redistribution) ଦ୍ୱାରା ଏହି ପଦବୀ ଗୁଡିକ ସୃଷ୍ଟି କରାଯାଇଛି। ଏହାଦ୍ୱାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି।
ଏହି ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟରେ ନିଯୁକ୍ତ ହେବେ। ପ୍ରତ୍ୟେକ ଆଉଟପୋଷ୍ଟରେ ଜଣେ ଲେଖାଏଁ ସବ୍ଇନିସ୍ପେକ୍ଟର ଓ ୬ ଜଣ ଲେଖାଏଁ କନେଷ୍ଟବଳ ନିୟୋଜିତ ହେବେ। ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧୀକ ଅନୁସଂଧାନ କ୍ଷେତ୍ରରେ ସେମାନେ ଦାୟିତ୍ୱ ନିର୍ବାହ କରିବେ। ଏହାଦ୍ୱାରା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବାସ୍ଥା ଅଧିକ ଦୃଢ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ନୂତନ ପଦବୀ ଗୁଡିକ ରାଜ୍ୟ ସରକାରଙ୍କ ORV Act ସମେତ ନିଯୁକ୍ତି ନିୟମାବଳୀର ସମସ୍ତ ବ୍ୟବସ୍ଥା ଅନୁଯାୟୀ ପୂରଣ କରାଯିବ।