ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି । ଆସନ୍ତା ୨୫ ତାରିଖ ସୋମବାର ଦିନ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ସେ ଯୋଗଦେବେ । ଏହାପୂର୍ବରୁ ସେ ନୂଆ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଅଛି । ଦିଲ୍ଲୀ ରହଣି ସମୟରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ସେ କିଛି କିଛି କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ । ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବେ ।
ସୂଚନାଥାଉକି, ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ସାରା ରାଜ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ଆସନ୍ତା ସୋମବାର ତାଙ୍କର ଶପଥ ଗ୍ରହଣ ଉତ୍ସବକୁ ଧୂମଧାମ ପାଳନ କରିବାକୁ ପ୍ରସ୍ତୁତି ଚାଲିଛି । ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ରାଇରଙ୍ଗପୁରରୁ ତାଙ୍କର ଭାଇ, ଭାଉଜଙ୍କ ସମେତ ଦ୍ରୌପଦୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏସଏଲଏସ ସ୍କୁଲର ପରିଚାଳକ ଆଜି ଦିଲ୍ଲୀ ଯାଇଛନ୍ତି । ମୟରୁଭଞ୍ଜ ଜିଲ୍ଲାର ୬ ଜଣ ଯାକ ବିଧାୟକ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ଦିଲ୍ଲୀ ଯାଉଛନ୍ତି ।