ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଜ୍ୟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ମେଡ଼ିକାଲ କଲେଜ ପର୍ଯ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ୍ ରୋଗୀଙ୍କ ତାଲିମ ଦିଆଯିବ । ତୃତୀୟ ଲହରର ମୁକାବିଲା ପାଇଁ ୩ ହଜାର ବେଡ୍, ୨୩୯୦ ଆଇସୋଲେସନ୍ ବେଡ୍, ୬୧୦ ଆଇସିୟୁ ବେଡ୍ ପ୍ରସ୍ତୁତ ରଖାଯାଇଛି । ସର୍ବୋପରି ଟେକନିକାଲ୍ ଟାକ୍ସଫୋର୍ସ କମିଟିର ସୁପାରିଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡ଼ିଓ କନଫରେନ୍ସିଂ ଯୋଗେ କୋଭିଡ୍ ପରିସ୍ଥିତିର ସମୀକ୍ଷା ବେଳେ ଏହା ଉପରେ ଗୁରୁତ୍ୱ ଦେଇଥିଲେ । କୋଭିଡ୍ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଦୃଷ୍ଟିରୁ ଏବେଠାରୁ ଏହାର ମୁକାବିଲା କରାଯିବ । ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ଚିକିତ୍ସା ସୁବିଧାର ବିକାଶ, ଆବଶ୍ୟକ ଉପକରଣ ଏବଂ ଔଷଧ ମହଜୁଦ ରଖିବା ସହ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଶିଶୁରୋଗ ସମ୍ପର୍କରେ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ଇତିମଧ୍ୟରେ ରାଜ୍ୟରେ କୋଭିଡ୍ ସଂକ୍ରମଣରେ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ପରିସ୍ଥିତିରେ ଆହୁରି ଉନ୍ନତି ଆସିବ ବୋଲି ଆଶା କରାଯାଉଛି । ତଥାପି କେତେକ ଜିଲ୍ଲାରେ ପଜିଟିଭିଟି ହାର ଅଧିକ ରହିବା ଚିନ୍ତାର ବିଷୟ ହୋଇଛି । ସୁତରାଂ ପରିସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ ଦ୍ୱିତୀୟ ଲହର ପ୍ରଭାବରୁ ଆମେ ଏବେ ମଧ୍ୟ ସମ୍ପୂର୍ଣ୍ଣ ମୁକ୍ତ ହୋଇନାହୁଁ । ଆଗକୁ ବିଭିନ୍ନ ପର୍ବପର୍ବାଣୀ ଆସୁଥିବାରୁ ଆମମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ହେବ । ଏଥିପାଇଁ କୋଭିଡ୍ ନିୟମାବଳୀକୁ ଆହୁରି କଡ଼ାକଡ଼ି ଭାବରେ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ଲକଡାଉନ୍ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ହାର କମୁଛି ସେଠାରେ ପର୍ଯ୍ୟାୟକ୍ରମେ ଅନ୍ ଲକ୍ ପ୍ରକ୍ରିୟା ଆରମ୍ଭ କରିବାକୁ ବିଚାର କରାଯାଉଛି । ଏହି ଅବସରରେ ବର୍ତ୍ତମାନ ଚାଲିଥିବା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟର ଉପଯୁକ୍ତ ତଦାରଖ ଏବଂ ଲକ୍ଷଣଯୁକ୍ତ ରୋଗୀଙ୍କର ତୁରନ୍ତ ଚିକିତ୍ସା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।
ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ସେଥିପାଇଁ ଆବଶ୍ୟକ ଔଷଧ ମହଜୁଦ ରଖିବା ଏବଂ ଆବଶ୍ୟକ ସ୍ଥଳେ ଜରୁରୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟରେ ଅକ୍ସିଜେନ ଯୋଗାଣ ସନ୍ତୋଷଜନକ ରହିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ସିଲିଣ୍ଡର ଉପଲବ୍ଧତାରେ ଉନ୍ନତି ଘଟିଛି ବୋଲି କହିଥିଲେ ।
ଖୁବଶୀଘ୍ର ସଂକ୍ରମଣ ୫% କୁ ହ୍ରାସ୍ ପାଇବ: ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବିତ ଅଞ୍ଚଳରେ କୋଭିଡ୍ ସଂକ୍ରମଣରେ କୌଣସି ବୃଦ୍ଧି ହୋଇନାହିଁ । ଏହା ଆମ ସମସ୍ତଙ୍କ ପାଇଁ ଆଶ୍ୱସ୍ତିର ବିଷୟ । ରାଜ୍ୟରେ ପଜିଟିଭିଟି ହାର କମିଥିବାରୁ ଆଇସିୟୁ ଓ ଅକ୍ସିଜେନ୍ ସଂଯୁକ୍ତ ବେଡ୍ ଉପରେ ଚାପ ହ୍ରାସ ପାଇଛି । ଖୁବଶୀଘ୍ର ସଂକ୍ରମଣ ୫% କୁ ହ୍ରାସ୍ ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ ।
୬୮% ବେଡ୍ ଖାଲି: ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଜୁନ୍ ମଧ୍ୟ ଭାଗରୁ ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ଚତୁର୍ଥ ସେରୋ ସର୍ଭେରେ ପିଲାମାନଙ୍କ ବିଷୟରେ ବିଶେଷ ତଥ୍ୟ ସଂଗ୍ରହ କରାଯିବ । ବର୍ତ୍ତମାନ ୮୬ ପ୍ରତିଶତ କୋଭିଡ୍ ରୋଗୀ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଡାକ୍ତରଖାନାରେ ୬୮ ପ୍ରତିଶତ ବେଡ୍ ଖାଲି ରହିଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୩ ଲକ୍ଷ ୬୨ ହଜାର ୧୦୫ ଡୋଜ୍ ଟିକା ଦିଆଯାଇଛି ଏବଂ ଟିକାକରଣ କ୍ଷେତ୍ରରେ ଭୁବନେଶ୍ବର ସବୁଠାରୁ ଆଗରେ ରହିଛି ବୋଲି ଜଣାଯାଇଛି । ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ସବୁ ଲୋକଙ୍କର ଦୁଇଟି ଡୋଜ ଟିକାକରଣ ହେବା ସହିତ ୧୮ ରୁ ୪୪ ବର୍ଷ ସମସ୍ତଙ୍କ ପ୍ରଥମ ଡୋଜ ସଂପୂର୍ଣ୍ଣ ହୋଇଯିବ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଉନ୍ନୟନ କମିଶନର, ପୋଲିସ ଡିଜି, ଅଗ୍ନିଶମ ସେବା ଡିଜି, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍.ପି ମାନେ ଯୋଗ ଦେଇଥିଲେ ।