ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମଧୁ ବାବୁ ପେନସନ୍ ଯୋଜନାରେ ଆଉ ୪ ଲକ୍ଷ ୧୩ ହଜାର ବ୍ୟକ୍ତି ସାମିଲ ହୋଇଛନ୍ତି । ୫-ଟି ସଚିବ ଭି.କେ.ପାଣ୍ଡିଆନ ଓ ଅନ୍ୟାନ୍ୟ ଅଫିସରଙ୍କ ଜିଲ୍ଲାଗସ୍ତ ବେଳେ ଆପତ୍ତି ଅଭିଯୋଗ ଏବଂ ମୋ ସରକାର ଫିଡବ୍ୟାକ୍ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କର ଆବେଦନକୁ ଥରକରେ ମଂଜୁର କରିଛନ୍ତି । ଏଥିସହ ଏହି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୨୮.୬୧ଲକ୍ଷରୁ ୩୨.୭୫ ଲକ୍ଷକୁ ବୃଦ୍ଧି ପାଇଛି । ଆସନ୍ତା ଅଗଷ୍ଟ ୧୫ ତାରିଖ ଜନ ସେବା ଦିବସରେ ନୂଆ ହିତାଧିକାରୀଙ୍କୁ ସେମାନଙ୍କର ପ୍ରଥମ ପେନସନ୍ ଦିଆଯିବ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫ରେ ରାଜ୍ୟର ପ୍ରତି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ୱାର୍ଡ ଅଫିସ୍ ରେ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ନୂଆ ହିତାଧିକାରୀଙ୍କୁ ସେମାନଙ୍କର ପ୍ରଥମ ପେନସନ୍ ପ୍ରଦାନ କରାଯିବ । ପେନସନ୍ ପ୍ରଦାନରେ ଯେଭଳି କୌଣସି ବିଭ୍ରାଟ ନ ଘଟେ ସେଥିପ୍ରତି ଯତ୍ନବାନ ହେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।
ସୂଚନାଯୋଗ୍ୟ, ମଧୁ ବାବୁ ପେନସନ୍ ଯୋଜନାରେ ବୟସ୍କ ବ୍ୟକ୍ତି, ବିଧବା, ଭିନ୍ନକ୍ଷମ ବ୍ୟକ୍ତି, ଅବିବାହିତା ମହିଳା, ଆରୋଗ୍ୟ ଲାଭ କରିଥିବା କୁଷ୍ଠରୋଗୀ, ଏଡସ୍ ରୋଗୀ, ଛାଡପତ୍ରଧାରୀ, କିନ୍ନର ଏବଂ କୋଭିଡରେ ପରିବାର ହରାଇଥିବା ଅନାଥ ପିଲା ଅନ୍ତର୍ଭୁକ୍ତ ଅଛନ୍ତି ।
୭୯ ବର୍ଷ ବୟସ୍କ ପର୍ଯ୍ୟନ୍ତ ବିଭିନ୍ନ ଶ୍ରେଣୀର ବ୍ୟକ୍ତିମାନଙ୍କୁ ଏହି ପେନସନ୍ ଯୋଜନାରେ ମାସକୁ ୫୦୦ ଟଙ୍କା ମିଳୁଥିବା ବେଳେ ୮୦ ବର୍ଷ ଏବଂ ଅଧିକ ବୟସର ବ୍ୟକ୍ତିଙ୍କୁ ମାସକୁ ମିଳୁଛି ୭୦୦ ଟଙ୍କା ।
ସେହିଭଳି ୪୦ରୁ ୫୯ ପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ୫୦୦ ଟଙ୍କା ଏବଂ ୬୦ ପ୍ରତିଶତ ଏବଂ ଅଧିକ ଭିନ୍ନକ୍ଷମଙ୍କୁ ମାସିକ ୭୦୦ ଟଙ୍କା ପ୍ରଦାନ କରାଯାଉଛି । ୬୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ଥିବା ୮୦ ବର୍ଷ ଏବଂ ଏହାଠାରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମାସିକ ୯୦୦ ଟଙ୍କା ଦିଆଯାଉଛି ।






