ଭୁବନେଶ୍ୱର: ରାଜ୍ୟର ବିଜେପି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି । କଂଗ୍ରେସର ୧୪ ବିଧାୟକ ଏବଂ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହି ପ୍ରସ୍ତାବରେ ଦସ୍ତଖତ କରିଛନ୍ତି । ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରୁ ଲୋକଙ୍କ ଆସ୍ଥା ତୁଟିଯାଇଛି ବୋଲି କଂଗ୍ରେସର ଅଭିଯୋଗ ।
ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ମଧ୍ୟ ବିଜେପି ସରକାରଙ୍କର ଚିନ୍ତା ନାହିଁ । କାରଣ ସଂଖ୍ୟା ଗଣିତରେ ସରକାର ସୁବିଧାଜନକ ସ୍ଥିତିରେ ଅଛନ୍ତି । ହେଲେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ପାଇଁ କଂଗ୍ରେସ ମୁଖ୍ୟ ବିରୋଧୀ ଦଳର ସହଯୋଗ ଲୋଡ଼ିଥିବାରୁ ବିଜେଡି ଅଡୁଆରେ ପଡ଼ିଯାଇଛି ।
ବିଜେଡିର ମୁଖିଆ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବେ ଦିଲ୍ଲୀରେ । ନବୀନଙ୍କ ମୁଖିଆ ପାଣ୍ଡିଆନ୍ ବିଦେଶରେ । ସେମାନଙ୍କ ନିଷ୍ପତ୍ତି ଅପେକ୍ଷାରେ ଥିବା ବେଳେ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଆଜି ସଂଧ୍ୟାରେ ନବୀନ ନିବାସରେ ବୈଠକ କରିଥିଲେ । କେବଳ ଔପଚାରିକତା ଦୃଷ୍ଟିରୁ ଏମାନେ ବସିଥିଲେ ।
ବୈଠକ ସାରି ଫେରିଲା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଏ ପର୍ଯ୍ୟନ୍ତ ଗ୍ରହଣ କରି ନାହାନ୍ତି । ଏ ନେଇ ଦଳ ଠିକ୍ ସମୟରେ ନିଷ୍ପତ୍ତି ନେବ । ତେଣୁ ନଈ ନ ଦେଖୁଣୁ କାହିଁକି ଲଙ୍ଗଳା?
ବିଧାନସଭାରେ ବିଜେପିର ସଂଖ୍ୟା ୭୮ ଥିବା ବେଳେ ବିଜେଡିର ୫୦, କଂଗ୍ରେସର ୧୪, ସିପିଏମ୍ ର ୧ ଏବଂ ୩ ଜଣ ବିଜେପି ସମର୍ଥିତ ସ୍ୱାଧୀନ ବିଧାୟକ ଅଛନ୍ତି । ତେଣୁ କରି କଂଗ୍ରେସ ପ୍ରସ୍ତାବକୁ ବିଜେଡି ସମର୍ଥନ ଦେଲେ ମଧ୍ୟ ସରକାରଙ୍କ ଉପରେ ବିପଦ ନାହିଁ । ଏହି ଦୃଷ୍ଟିରୁ ଏହି ଅନାସ୍ଥା ପ୍ରସ୍ତାବକୁ ନେଇ ସରକାର ସମ୍ପୂର୍ଣ୍ଣ ଅଚିନ୍ତାରେ ।
ମାତ୍ର ଅଡୁଆ ବିଜେଡିକୁ । ସମର୍ଥନ କଲେ ଅସୁବିଧା । ନ କଲେ ଆହୁରି ଅସୁବିଧା । ସମର୍ଥନ କଲେ ଏଥିପାଇଁ ଅସୁବିଧା ଯେ ବିଜେପି ସହ ମଧୁର ସମ୍ପର୍କ ଗଡ଼ବଡ଼ ହୋଇଯିବ । ହାଇକମାଣ୍ଡଙ୍କ ପାଖକୁ ଭୁଲ୍ ବାର୍ତ୍ତା ଯିବ । ହାଇକମାଣ୍ଡ ରାଗିଲେ କଥା ସରିଯିବ । ଅବଶ୍ୟ ଏସବୁ ଅନୁମାନର କଥା । ଏମିତିରେ ବିଜେପି ସହ ବିଜେଡିର ମଧୁର ସମ୍ପର୍କକୁ ନେଇ ଆଉ କାହା ମନରେ ଦ୍ୱନ୍ଦ ନାହିଁ । ବିଜେପି ସରକାର ପଛରେ ନବୀନ ନିବାସର ପ୍ରଚ୍ଛଦପଟ ସମର୍ଥନ ରହିଛି ବୋଲି ମଧ୍ୟ ଖୋଦ୍ ବିଜେଡି ମହଲର ବିଶ୍ୱାସ ।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ପ୍ରସ୍ତାବିତ ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ ନ କଲେ ଲୋକଙ୍କ ପାଖକୁ ସ୍ପଷ୍ଟ ବାର୍ତ୍ତା ପଳେଇବ । ବିଜେପି-ବିଜେଡି ଏକାଠି ଅଛନ୍ତି ବୋଲି ଲୋକଙ୍କର ବିଶ୍ୱାସ ଆହୁରି ଦୃଢ଼ୀଭୂତ ହେବ । ଫଳ ହେବ ଯେ ବିଜେଡି ମୁଖ୍ୟ ବିରୋଧୀ ଦଳ ଭାବେ ଲୋକଙ୍କ ପାଖରେ ଉଭା ରହିପାରିବନି । ବିଜେପି ସରକାର ଅମଳରେ ନାରୀ ନିର୍ଯ୍ୟାତନା, ଆଇନ ଶୃଙ୍ଖଳା, ବେକାରୀ ଠାରୁ ଆରମ୍ଭ କରି ସାର ସଙ୍କଟକୁ ନେଇ ବିଜେଡିର ଆନେ୍ଦାଳନକୁ ଲୋକ ଯାତ୍ରା କହି ଟାହି ଟାପରା କରିବେ । ସରକାରଙ୍କ ବିରୋଧରେ ଲଢ଼ିବା ପାଇଁ ବିଜେଡି ନେତା ଓ କର୍ମୀଙ୍କର ନୈତିକତା ରହିବନି ।
ନିୟମ ଅନୁସାରେ ବିଧାନସଭା ସଦସ୍ୟ ସଂଖ୍ୟାର ଦଶ ଭାଗରୁ ଏକ ଭାଗ ସଦସ୍ୟଙ୍କ ସମର୍ଥନ ରହିଲେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇପାରିବ । ପରେ ବତର୍କ ଏବଂ ଆଲୋଚନା ଶେଷରେ ଆବଶ୍ୟକ ପଡ଼ିଲେ ଅନାସ୍ଥା ଆଣିଥିବା କଂଗ୍ରେସ ଯଦି ବାଚନିକ ଭୋଟ ଦାବି କରେ ତାହାହେଲେ ଭୋଟ ମଧ୍ୟ ହୋଇପାରେ । ଯଦି ବିଜେଡି ସମର୍ଥନ ନ ଦିଏ ହୁଏତ ଭୋଟକୁ କଂଗ୍ରେସ ନ ଯାଇପାରେ ।
ସୂଚନାଥାଉକି, ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ଅଚାନକ ଆସିଯାଇନି । ପିସିସି ସଭାପତି ଭକ୍ତ ଚରଣ ଦାସ ବହୁ ପୂର୍ବରୁ ଏହା ଘୋଷଣା କରିଥିଲେ । ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ ଆମେ ସମର୍ଥନ କରିବୁ ବୋଲି କହିଥିଲେ । ନଚେତ ଆମେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିଜେଡି ଏହାକୁ ସମର୍ଥନ କରୁ ବୋଲି ପ୍ରସ୍ତାବ ଦେଇଥିଲେ ।
ଏହା କାହାରିକୁ ଅବୁଝା ନୁହେଁ ଯେ ବିଜେଡିକୁ ଅଡୁଆରେ ପକାଇବା ପାଇଁ କଂଗ୍ରେସର ଏହା ଚାଲ୍ । ତେବେ ଏହାର ରାଜନୈତିକ ଗୁରୁତ୍ୱ ଦୃଷ୍ଟିରୁ ବିଜେଡିର ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ ।






