ସୁନ୍ଦରଗଡ଼/ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର କୋଇଡାସ୍ଥିତ ଓଏମସି ପରିଚାଳିତ ଖଣ୍ଡାଧାର କୁରୁମିତ୍ର ମାଇନସ୍ ରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପ୍ରତିନିଧି ବନିଥିବା ବାଗୁନ୍ ଗାଗରାଇଙ୍କ ସମ୍ପର୍କରେ ଆହୁରି ସାଂଘାତିକ ତଥ୍ୟ ହସ୍ତଗତ ହୋଇଛି । ଟ୍ରାନ୍ସପୋର୍ଟିଂ, ଠିକାଦାରୀ କାମ ହାତେଇବା ପାଇଁ ଗୁଣ୍ଡାଗର୍ଦ୍ଦି କି ବଟି ଆଦାୟ ଅଭିଯୋଗରେ ସେ ସୀମିତ ନାହାନ୍ତି । ତାଙ୍କ ବିରୋଧରେ ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା ବି ରହିଛି ।
ବାଗୁନ୍ ଗାଗରାଇଙ୍କ ବିରୋଧରେ ରାଉରକେଲା ମହିଳା ଥାନାରେ ଏହି ସଙ୍ଗୀନ ମାମଲା ରହିଛି । ଯାହାର ପିଏସ୍ କେସ୍ ନଂ ହେଉଛି ୦୮/୧୭ । ଦଫା ଲାଗିଛି ଆଇପିସି ଧାରା ୩୭୬ ଏବଂ ୫୦୬ । ଲହୁଣୀପଡ଼ା ଥାନା ଅନ୍ତର୍ଗତ ବରସୁଆଁ ତଳବଜାରର ପୁଷ୍ପା ଜୟନ୍ତୀ କୁଜୁରଙ୍କ ଅଭିଯୋଗକ୍ରମେ ଏହି ମାମଲା ରୁଜୁ ହୋଇଥିଲା ।

ମାମଲାଟି ୨୦୧୭ ଫେବ୍ରୁଆରୀ ମାସର । ଅଭିଯୋଗ ଅନୁଯାୟୀ, କୁଜୁରଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ ବାଗୁନ୍ ଗାଗରାଇ ଘରେ ଜବରଦସ୍ତ ପଶି ବଳପୂର୍ବକ ତାଙ୍କର ଇଜ୍ଜତ ଲୁଟିଥିଲେ । ଏକଥା ବାହାରେ ପ୍ରଘଟ କଲେ ମାରିଦେବାକୁ ଧମକ ଦେଇଥିଲେ । ଦୁଇଦିନ ପରେ ପୁଣି ଥରେ ତାଙ୍କ ସହ ଜବରଦସ୍ତି କରିବାକୁ ଉଦ୍ୟମ କରିଥିଲେ । ମାତ୍ର ସେଥିରେ ସଫଳ ନ ହେବାରୁ ତାଙ୍କୁ ହତ୍ୟା ଧମକ ଦେଇ ଚାଲି ଆସିଥିଲେ ।
ଦିନେ ଦୁଷ୍କର୍ମ ଏବଂ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲାର ଅଭିଯୁକ୍ତ ବାଗୁନ୍ ଏବେ ସ୍ଥାନୀୟ ବିଜେପିର କ୍ଷମତାଶାଳୀ ନେତା । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କର କୁଆଡ଼େ ପାଖ ଲୋକ । କେଇଡା ମାଇନସ୍ ରେ ସାଂସଦଙ୍କ ପ୍ରତିନିଧି ବୋଲାଇ ଥରହର କରୁଛନ୍ତି । ଆଦାନୀ ଠିକାଦାର କାମକୁ ଅବରୋଧ କରି ସର୍ବ ସମ୍ମୁଖରେ ତାଙ୍କର ଉଲୁକୁମାତ୍ ଗଲା ୧୧ ତାରିଖରୁ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି ।
ବାଗୁନ୍ ଙ୍କ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ମାତ୍ର ଜୁଏଲ୍ ଙ୍କ ଖାତିରରେ କେହି ମୁହଁ ଖୋଲିବାକୁ ସାହାସ କରୁନାହାନ୍ତି ।
ଅନ୍ୟପକ୍ଷରେ, ଟ୍ରାନସପୋର୍ଟିଂ ବ୍ୟବସାୟୀ ମହାନ୍ତି ବାବୁଙ୍କ ସହ ତାଙ୍କର ପରମ ମିତ୍ରତା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ଅସାଧୁ କାମ ପାଇଁ ଦେଢ଼ବର୍ଷ ତଳେ ରୁଙ୍ଗଟା ମାଇନସ୍ ମହାନ୍ତି ବାବୁଙ୍କର ସମସ୍ତ କାମକୁ ବାତିଲ କରିଦେଇଥିବା ବେଳେ ଏହି କାମକୁ ଫେରି ପାଇବା ପାଇଁ ବାଗୁନ୍ ଙ୍କ ଜରିଆରେ ଚାପ ପକାଯାଉଥିବା କୁହାଯାଉଛି ।
ଖାଲି ମହାନ୍ତି ବାବୁ ନୁହଁନ୍ତି, ତାଙ୍କର ଜଣେ ବନ୍ଧୁଙ୍କ ସହ ବାଗୁନ୍ ଙ୍କର ଏବେ କୁଆଡ଼େ କ୍ଷୀର ନୀର ସମ୍ପର୍କ । ଏହି ବନ୍ଧୁ ପୂର୍ବରୁ ବିଜେଡିରେ ଥିଲେ । ବିଜେଡି ସରକାରରେ ତାଙ୍କର ପ୍ରବଳ ପତିଆରା ଥିଲା । ସ୍ଥାନୀୟ ଅଞ୍ଚଳର ଖଣି ଖାଦାନ ଗୁଡିକରେ ତାଙ୍କର କର୍ତ୍ତୃତ୍ୱ ଥିଲା । ତାଙ୍କର ଦମ୍ ଏବଂ ଅଭିଜ୍ଞତାକୁ କାମରେ ଲଗାଇବାକୁ ବାଗୁନ୍ ତାଙ୍କ ସହ ମିଶିଯାଇଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ଗଲା ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଙ୍କ ଉପସ୍ଥିତିରେ ସେହି ବନ୍ଧୁଙ୍କୁ ବିଜେପିରେ ମିଶାଇଛନ୍ତି ।
ବିଜେପିରେ ଏହି ବ୍ୟକ୍ତିଙ୍କ ଯୋଗଦାନକୁ କୋଇଡ଼ା ଅଞ୍ଚଳର ବିଜେପି କର୍ମୀମାନେ ତୀବ୍ର ବିରୋଧ କରିଛନ୍ତି । ଖୋଦ୍ ମଣ୍ଡଳ ସଭାପତି ଅସନ୍ତୁଷ୍ଟ ଅଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ ସେମାନଙ୍କ ଅସନ୍ତୋଷ ଜଣାଇଛନ୍ତି । ବାଗୁନ୍, ମହାନ୍ତି ବାବୁ ଏବଂ ବନ୍ଧୁଙ୍କର ନୂଆ ସିଣ୍ଡିକେଟ୍ ଉପରେ ସେମାନେ ଆପତ୍ତି ଉଠାଇବା ସହ ଖଣ୍ଡାଧାର ମାଇନ୍ସ ଓ କୋଇଡ଼ା ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ।
ଏଭଳି ଜଣେ ବ୍ୟକ୍ତିଙ୍କୁ ଜୁଏଲ୍ ଓରାମ୍ ଯେ କାନ୍ଧ ଦେଇଛନ୍ତି ତାହା ଅନେକଙ୍କୁ ବିଶ୍ୱାସ ହେଉନି । ଜୁଏଲ୍ ଙ୍କୁ ଅନ୍ଧାରରେ ରଖାଯାାଇଛି, ନଚେତ ତାଙ୍କ ସରଳାର ସୁଯୋଗ ନିଆଯାଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ସୂଚନାଥାଉକି, ଖଣ୍ଡାଧାର କୁରୁମିତ୍ର ମାଇନସ୍ ରେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପ୍ରତିନିଧି ଭାବେ ନିଯୁକ୍ତି ପାଇଛନ୍ତି ବାଗୁନ୍ ଗଗରାଇ । ସାଂସଦଙ୍କ ପକ୍ଷରୁ ସେ ସବୁ କଥା ବୁଝିବେ ଏବଂ ସବୁ ବୈଠକରେ ଯୋଗଦେଇ ଅନୁମୋଦନ ଓ ପରାମର୍ଶ ରଖିବେ ବୋଲି ଜୁଏଲ୍ ଙ୍କ ପ୍ୟାଡ୍ ରେ ଚିଠି ହୋଇଛି । ଏହି କ୍ଷମତା ବଳରେ ବିଜେପିର ଏହି ସ୍ଥାନୀୟ ନେତା ଖଣି ଟ୍ରାନସପୋର୍ଟିଂ କାରବାର ନିଜ ଦଖଲକୁ ନେବାକୁ ଉଦ୍ୟମ ଆରମ୍ଭ କରିଥିବା ଆମେ ପୂର୍ବରୁ ରିପୋର୍ଟ କରିଥିଲୁ ।
ଓଏମସି ଖଣିରେ ସାଂସଦ ପ୍ରତିନିଧିଙ୍କ ଦାଦାଗିରି!






