ଭୁୁବନେଶ୍ୱର: କର୍ଣ୍ଣାଟକ ଜିତିବା ପାଇଁ ସବୁ ବଳ କୌଶଳ ଲଗାଇଥିଲା ବିଜେପି । ପ୍ରଚାରର ମୁଖ୍ୟ ଆକର୍ଷଣ ଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୦ ଦିନରେ ୧୭ ରାଲି ଏବଂ ୫ ରୋଡ୍ ସୋ’ କରିଥିଲେ । ଭୋଟରଙ୍କ ମନ ଜିଣିବା ପାଇଁ ପ୍ରଧାନମନ୍ତ୍ରୀ ଦକ୍ଷିଣ କର୍ଣ୍ଣାଟକରେ ଦୁଇରାତି ବି କଟାଇଥିଲେ । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ କର୍ଣ୍ଣାଟକରେ ଡେରା ପକାଇଥିଲେ । ମାତ୍ର ସବୁ ଫସର ଫାଟିଯାଇଛି । କର୍ଣ୍ଣାଟକବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଶିବକୁମାର-ସିଦ୍ଧରମେୟାଙ୍କ ନେତୃତ୍ୱକୁ ସେମାନେ ଗ୍ରହଣ କରିବା ସହ ରାହୁଲ ଗାନ୍ଧୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।
କର୍ଣ୍ଣାଟକରେ ଥିବା ମୋଟ ୨୨୪ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ଭୋଟ ଗଣତି ଫଳାଫଳରୁ କଂଗ୍ରେସ ୧୩୬ ଟି ଆସନରେ ବିଜୟୀ/ଆଗୁଆ ଥିବା ବେଳେ ବିଜେପି ୬୪ ଆସନରେ ବିଜୟୀ/ଆଗୁଆ ରହିଛି । ଜନତା ଦଳ(ଏସ)କୁ ୨୦ ଏବଂ ଅନ୍ୟାନ୍ୟ ଦଳ ୪ ଟି ଆସନରେ ବିଜୟୀ/ଆଗୁଆ ଅଛନ୍ତି । ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ୧୧୩ ହୋଇଥିବା ବେଳେ କଂଗ୍ରେସ ଏହାକୁ ପାର୍ କରି ବହୁତ ଆଗକୁ ଯାଇଛି ।
ଦେଶରେ ସାଧାରଣ ନିର୍ବାଚନ ପାଇଁ ବର୍ଷକରୁ କମ୍ ସମୟ ଥିବା ବେଳେ କର୍ଣ୍ଣାଟକରେ ବିଜେପିର ଶୋଚନୀୟ ପରାଜୟ ବିଜେପି ପାଇଁ ଶକ୍ତ ଧକ୍କା ହୋଇଛି । ଦେଶକୁ କଂଗ୍ରେସମୁକ୍ତ କରିବା ପାଇଁ ସ୍ୱପ୍ନ ଦେଖୁଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏହା ବିଶେଷ ଚିନ୍ତାର ବିଷୟ ହୋଇଛି । ଆଗକୁ ଥିବା ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଏହା ଅଶୁଭ ସଙ୍କେତ ଦେଇଛି ।
ଅନ୍ୟପକ୍ଷରେ କର୍ଣ୍ଣାଟକ ବୃହତ୍ତ ବିଜୟ କଂଗ୍ରେସର ମନୋବଳକୁ ବହୁତ ବଢ଼ାଇ ଦେଇଛି । ପ୍ରେମ ଓ ହିଂସାର ଲଢ଼େଇରେ ପ୍ରେମର ବିଜୟ ହେଲା ବୋଲି ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇଛନ୍ତି । ପ୍ରେମର ଦୋକାନକୁ କର୍ଣ୍ଣାଟକବାସୀ ଆପଣେଇଥିବା ବେଳେ ଘୃଣାର ବଜାରକୁ ପ୍ରତ୍ୟାଖ୍ୟାନ କରିଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ ଶକ୍ତିଶାଳୀ ବିଜେପି ବିରୋଧରେ କଂଗ୍ରେସ ଯୋଜନାବଦ୍ଧ ଭାବେ ଏଥର ନିର୍ବାଚନ ଲଢ଼ିଥିଲା । ରାଜ୍ୟ ସଭାପତି ଡିକେ ଶିବକୁମାର ଏବଂ ବିଧାୟକ ଦଳ ନେତା ସିଏମ ସିଦ୍ଧରମେୟାଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସମନ୍ୱୟ ସଂଗଠନକୁ ଅଧିକ ପ୍ରଭାବୀ କରିଥିଲା । ତୃଣମୂଳସ୍ତରରେ ସାଂଗଠନିକ ପରିଚାଳନାକୁ ବେଶୀ ଗୁରୁତ୍ୱ ଦିଆଯାଇଥିଲା । ନିର୍ବାଚନ ରଣନୀତିକାର ସୁନିଲ କାନୁଗୋଲୁଙ୍କ ଯୋଜନାକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିଥିଲା କଂଗ୍ରେସ ।