ଭୁବନେଶ୍ୱର: ପାର୍ବଣ ବେଳେ କରୋନାର ଅଧିକ ସଂକ୍ରମଣର ଆଶଙ୍କା ରହୁଥିବାରୁ ଭୁବନେଶ୍ୱର ଓ କଟକରେ କୋଭିଡ୍ କଟକଣା ଏବଂ ନାଇଟ୍ କର୍ଫ୍ୟୁକୁ କଡ଼ାକଡ଼ି କରାଯାଇଛି । ଅକ୍ଟୋବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଟୁଇନ୍ ସିଟିରେ ନାଇଟ୍ କର୍ଫ୍ୟୁ ସଂଧ୍ୟା ୮ଟାରୁ ଲାଗୁ ହୋଇ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏଥିସହ ରାଜ୍ୟ ସରକାର ସାରା ରାଜ୍ୟ ପାଇଁ ଅକ୍ଟୋବର ମାସର ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅକ୍ଟୋବର ୧ରୁ ନଭେମ୍ବର ୧ ସକାଳ ଯାଏଁ ଲାଗୁ ରହିବ ।
ମୋଟାମୋଟି ଭାବେ ସେପ୍ଟେମ୍ବର ଗାଇଡଲାଇନ୍ ଅପରିବର୍ତ୍ତିତ ରହିଛି । ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ପୂର୍ବଭଳି ଜାରି ରହିବ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ଏହା ବଳବତ୍ତର ରହିବ । କେବଳ ଭୁବନେଶ୍ୱର ଓ କଟକରେ ଦୁର୍ଗାପୂଜା ବେଳେ ୧୦ ଦିନ ପାଇଁ ନାଇଟ୍ କର୍ଫ୍ୟୁ ଅଧିକ କଡ଼ାକଡ଼ି କରାଯାଇଛି ।
ତେବେ ପାର୍ବଣ ବେଳେ ପୂଜା ବଜାର ଓ ଭିଡ଼ରୁ ଦୂରେଇ ରହିବାକୁ ଏସଆରସି ଶ୍ରୀ ଜେନା ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ପାର୍ବଣ ବେଳେ ନିରାଡ଼ମ୍ବର ରହି କୋଭିଡ୍ କଟକଣା ପାଳନ କଲେ କରୋନା ସଂକ୍ରମଣରୁ ଆମେ ଦୂରେଇ ରହିପାରିବା । ସୁତରାଂ ପାର୍ବଣ ବେଳେ କଟକଣା ମାନିବା ଜରୁରୀ । ଯଦିଓ ଓଡ଼ିଶାରେ ସଂକ୍ରମଣ ହାର କମିଛି, ତେବେ ଏବେ ବି ୫,୫୪୨ ରୋଗୀ ଚିକିତ୍ସିତ ହେଉଛନ୍ତି । ସାରା ଦେଶରେ ୨ ଲକ୍ଷ ସକ୍ରିୟ ରୋଗୀ ଅଛନ୍ତି । ଆଗକୁ ପାର୍ବଣ ଦୁଇମାସ ସତର୍କ ରହିଲେ ଆମେ ତୃତୀୟ ଲହରକୁ ରୋକିପାରିବା । ଏଥିପାଇଁ ସମସ୍ତେ ସତର୍କ ହେବା ଜରୁରୀ । ମାସ୍କ ପିନ୍ଧିବା, ଗହଳିରୁ ଦୂରେଇ ରହିବା ଏବଂ ହାତ ସଫା ରଖିବା ଭଳି କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି ।