କଟକ: କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ(୪୯) ଆତ୍ମହତ୍ୟା କରିଛନ୍ତି । ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ଘରେ ସେ ଫ୍ୟାନ୍ ରେ ରସି ଲଗାଇ ଝୁଲି ପଡିଛନ୍ତି । ପରିବାର ଲୋକ ଜାଣିବା ପରେ ତାଙ୍କୁ ସ୍ଥାନୀୟ ଅଶ୍ୱିନୀ ହସ୍ପିଟାଲ୍ ନିଆଯାଇଥିଲା । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ । ବିଚାରପତି ଭାବେ ଅନ୍ୟମାନଙ୍କୁ ନ୍ୟାୟ ଦେଉଥିବା ସରଳ ଓ ଖୁସି ମିଜାଜ୍ ବ୍ୟକ୍ତିତ୍ୱ ସୁବାସ ବାବୁ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେବା ସମସ୍ତଙ୍କୁ ବିଚଳିତ କରିଛି ।
ଗଣେଶ ପୂଜା ଓ ନୂଆଁଖାଇ ପାଇଁ ଦୁଇଦିନ ଛୁଟି ପରେ ଆଜି କୋର୍ଟ ଖୋଲିଥିଲା । ମାତ୍ର ବିଚାରପତି ଆଜି ଦିନ ୧୦ଟା ବେଳକୁ ତାଙ୍କର ଅଫିସ ଷ୍ଟେନୋକୁ ଫୋନ୍ ପୁଣି ଦୁଇଦିନ ଛୁଟି ନେଇଥିଲେ । ସକାଳେ ସେ ସ୍ୱାଭାବିକ ଥିଲେ ଏବଂ ମନରେ ତାଙ୍କର କୌଣସି ଅବସାଦ ଥିବା ଭଳି ଜଣାପଡୁ ନ ଥିଲା । କ୍ୟାମ୍ପସ୍ ଲନ୍ ରେ ଚଲାବୁଲା କରିଥିଲେ । ଆଜି ତାଙ୍କ ବାପାଙ୍କର ଶ୍ରାଦ୍ଧ ଥିବାରୁ ଘରୋଇ କାର୍ଯ୍ୟରେ ବି ସହଯୋଗ କରିଥିଲେ । ଦିନ ୧୨ଟା ବେଳକୁ ତାଙ୍କର ପତ୍ନୀ ଓ ଦୁଇ ଝିଅ ମାର୍କେଟିଂ ପାଇଁ ବାହାରକୁ ଯାଇଥିଲେ । ସେମାନଙ୍କ ଯିବା ପରେ ଘରେ କାମ କରୁଥିବା ସହାୟକଙ୍କୁ ସେ ଘରକୁ ପଠାଇ ଦେଇ ଏକା ରହିଥିଲେ ।
ଦିନ ୧ଟାରୁ ସାଢ଼େ ଗୋଟେ ମଧ୍ୟରେ ବିଚାରପତି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତାଙ୍କ ରୁମ୍ ଭିତରପଟୁ ବନ୍ଦ ହୋଇଥିଲା । ଦିନ ପ୍ରାୟ ୨ ଟା ବେଳକୁ ପରିବାର ଲୋକ ପହଞ୍ଚିବା ପରେ ଯାଇ ଏହା ଜାଣିଥିଲେ । ତାଙ୍କୁ ତୁରନ୍ତ ଅଶ୍ୱିନୀ ହସ୍ପିଟାଲ୍ କୁ ନିଆଯାଇଥିଲେ ମଧ୍ୟ ତାଙ୍କର ପ୍ରାୟବାୟୁ ଉଡ଼ିସାରିଥିଲା । ଏହି ଦୁଃସମ୍ବାଦ ପ୍ରଚାରିତ ହେଲା ପରେ ସହକର୍ମୀ ଏବଂ ଶୁଭେଚ୍ଛୁମାନଙ୍କର ପ୍ରବଳ ଗହଳି ହୋଇଥିଲା । ସୁବାସଙ୍କ ଭଳି ଦକ୍ଷ ବିଚାରପତି, ଅମାୟିକ ଓ ଖୁସି ମିଜାଜ୍ ର ବ୍ୟକ୍ତି ଯେ ଆତ୍ମହତ୍ୟା କରିବେ ତାହା କେହି ବିଶ୍ୱାସ କରୁ ନ ଥିଲେ । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି କଟକ ଏସସିବିକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।
ଯାଜପୁର ଜିଲ୍ଲା ପାଣିକୋଇଲିର ବାସିନ୍ଦା ଥିଲେ ବିଚାରପତି ସୁବାସ ବିହାରୀ । ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ କେବଳ ବିଚାରପତି ଭାବେ ନୁହେଁ, ସାଧାରଣ ଜୀବନରେ ତାଙ୍କର ବେଶ୍ ସୁନାମ ଥିଲା । ଯୁବପୀଢ଼ିଙ୍କର ସେ ଆଦର୍ଶ ଥିଲେ । ଗାଁରେ ରହୁଥିବା ବିଧବା ମା’ ଏବଂ ଏକମାତ୍ର ଭାଇ ପରିବାରର ସେ ସମ୍ପୂର୍ଣ୍ଣ ଦାୟିତ୍ୱ ବୁଝୁଥିଲେ । ଅଞ୍ଚଳବାସୀଙ୍କ ଭଲମନ୍ଦରେ ସବୁବେଳେ ଛିଡ଼ା ହେଉଥିଲେ ।
କିଛି ସମ୍ପର୍କୀୟଙ୍କ କହିବାନୁଯାୟୀ, ତାଙ୍କର କିଛି ବ୍ୟକ୍ତିଗତ ସମସ୍ୟା ଥିବା ଆମେ ଜାଣିନାହୁଁ । ଗାଁରେ ପରିବାର ଏବଂ କଟକରେ ନିଜର ପତ୍ନୀ ଏବଂ ଦୁଇ ଝିଅଙ୍କୁ ନେଇ ତାଙ୍କର ଖୁସିର ସଂସାର ଥିଲା । ଅଫିସରେ ବି ସେଭଳି କିଛି ଚାପ ନ ଥିଲା । ଆଉ କିଛି ବନ୍ଧୁଙ୍କ ସୂଚନା ଅନୁଯାୟୀ, ଆତ୍ମହତ୍ୟା ପଛରେ ସ୍ୱାସ୍ଥ୍ୟଗତ ସମସ୍ୟା ଏକମାତ୍ର କାରଣ ହୋଇପାରେ । ତେବେ ସେଇ ସମସ୍ୟାଟି କ’ଣ ତାହା ସେ ସ୍ପଷ୍ଟ କରିନାହାନ୍ତି ।
କାରଣ ଯାହା ହେଉନା କାହିଁକି, ଜଣେ ବିଚାରପତିଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଛି ।