ଭୁବନେଶ୍ୱର: ମଙ୍ଗଳବାର ମଧ୍ୟରାତ୍ରରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଛି ଅତିଭୀଷଣ ବାତ୍ୟା ‘ଅର୍ଣ୍ଣବ’ । ରାତି ପ୍ରାୟ ୨ଟାରେ ୟାନାମର ଦକ୍ଷିଣ ଦିଗରେ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇ ସାଢ଼େ ୬ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିଥିଲା । ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୧୨୫ରୁ ୧୩୫ କିଲୋମିଟର ଏବଂ ଝଟକା ପବନ ୧୫୦ କିଲୋମିଟର ଥିଲା । ଏହାର ପ୍ରକୋପ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳ ଅଞ୍ଚଳରେ ବେଶୀ ଦେଖିବାକୁ ମିଳିଛି । ସେଠାରେ ପ୍ରବଳ ବର୍ଷା ଓ ପବନ ହୋଇଛି । ବାତ୍ୟା ପ୍ରଭାବରେ ଆନ୍ଧ୍ରର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଓଡ଼ିଶାର ୬ଟି ଜିଲ୍ଲା ଗଞ୍ଜାମ, ରାୟଗଡ଼ା, ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ଉପକୂଳ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଓ ପବନ ଲାଗି ରହିଛି । ବାତ୍ୟା ‘ଅର୍ଣ୍ଣବ’ ରେ ଓଡ଼ିଶାର ୧୭ଟି ଜିଲ୍ଲା ପ୍ରଭାବିତ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।