ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ‘ଦାନା’ । ଆଜି ସଂଧ୍ୟା ୮ଟାରେ ପାରାଦ୍ୱୀପର ଦକ୍ଷିଣପୂର୍ବକୁ ୧୦୦ କିମି ଦୂର ଏବଂ ଧାମରାର ଦକ୍ଷିଣ-ପୂର୍ବର ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ଥିଲା । ଘଣ୍ଟାକୁ ୧୦ରୁ ୧୨ କିମି ବେଗରେ ଏହା ଆଗକୁ ବଢ଼ୁଛି । ଆଜି ମଧ୍ୟରାତ୍ରରୁ ଭୋର୍ ମଧ୍ୟରେ ଏହା ଓଡ଼ିଶା ଉପକୂଳ ଛୁଇଁବ । ଭିତରକନିକା ଓ ଧାମରା ପାଖରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି । ଏହି ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ୧୦୦ରୁ ୧୨୦ କିମି ରହିବ । ତେବେ ଏହାର ତୀବ୍ରତା ଅତି ଭୀଷଣ ହୋଇ ନ ଥିବାରୁ ବାତ୍ୟାର ଆଖି ସୃଷ୍ଟି ହେବ ନାହିଁ । ବାତ୍ୟାର ସବୁଠୁ ଅଧିକ ପ୍ରଭାବ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ଉପରେ ପଡ଼ିବ ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଦୁର୍ବଳ ହେବା ସହ ଏହାର ଗତିପଥରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ଏହା ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରି ଦିନ ସାଢ଼େ ୧୧ଟା ସୁଦ୍ଧା ଦୁର୍ବଳ ହେବ । କ୍ରମଶଃ ଏହା ଭୀଷଣ ବାତ୍ୟାରୁ ବାତ୍ୟା ଏବଂ ରାତି ସାଢ଼େ ୧୧ଟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି ।
ବାତ୍ୟାର ଅଧିକ ପ୍ରଭାବ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ଉପରେ ପଡ଼ିବ । ଲ୍ୟାଣ୍ଡଫଲ୍ ବେଳେ ଏହିସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ୧୦୦ରୁ ୧୨୦ କିମି ବେଗରେ ପବନ ବହିପାରେ । ଆଜି ଅପରାହ୍ନରୁ ଏହି ଜିଲ୍ଲାଗୁଡ଼ିକରେ ବର୍ଷା ଓ ବାତ୍ୟା ପ୍ରକୋପ ଆରମ୍ଭ ହୋଇଗଲାଣି । ଘଣ୍ଟାକୁ ୬୦ ରୁ ୮୦ କିମି ବେଗରେ ପବନ ବହୁଛି । ପ୍ରବଳ ବର୍ଷା ପବନ ଯୋଗୁଁ ଅଧିକାଂଶ ଜାଗାରେ ଘରର ଚାଳଛପର ଉଡ଼ାଇ ନେବା ସହ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରର କିଛି ସମୁଦ୍ରକୂଳିଆ ଜନବସତି ଆଡକୁ ଜୁଆର ମାଡ଼ି ଆସିଛି ।
ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିସନର ଦେଓରଂଜନ କୁମାର ସିଂଙ୍କ ସୂଚନା ଅନୁଯାୟୀ, ଏହି ବାତ୍ୟା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ସମେତ ୧୧ଟି ଜିଲ୍ଲାକୁ ପ୍ରଭାବିତ କରିବ । ଏହିସବୁ ଜିଲ୍ଲାର ୬୦ ବ୍ଲକ୍ ର ୨୧୩୧ ଗାଁ ଏବଂ ୧୨ଟି ପୌରାଞ୍ଚଳର ପ୍ରାୟ ୫୫ଟି ୱାର୍ଡ ପ୍ରଭାବିତ ହେବ । ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଛି । ସଂଧ୍ୟା ସୁଦ୍ଧା ସାଢ଼େ ତିନି ଲକ୍ଷ ଲୋକ ସ୍ଥାନାନ୍ତର ହୋଇ ସାରିଛନ୍ତି । ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭୩୦୭ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି ।
ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫର ୧୯ଟି ଟିମ୍ ସହ ଓଡ୍ରାଫ୍ ର ୫୧ ଓ ଅଗ୍ନିଶମର ୨୨୦ ଟିମ୍ ପ୍ରସ୍ତୁତ ଅଛନ୍ତି । ରାସ୍ତାରୁ ଗଛ ହଟାଇବାରେ ସହାୟତା ଲାଗି ବନ ବିଭାଗର ୯୫ଟି ଟିମ୍ ପ୍ରସ୍ତୁତ ଥିବା ରାଜସ୍ୱମନ୍ତ୍ରୀ ସୂଚନା ଦେଇଛନ୍ତି ।