ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତିଙ୍କ ମା’ ଦମୟନ୍ତୀ ମହାନ୍ତିଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କୁ ୮୮ ବର୍ଷ ହୋଇଥିଲା । ଅତ୍ୟନ୍ତ ସ୍ନେହୀ, ବନ୍ଧୁବତ୍ସଳ ଏବଂ ପରୋପକାରୀ ମଣିଷ ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ତାଙ୍କ ମୃତ୍ୟୁ ଖବର ସମ୍ପର୍କୀୟ ଏବଂ ଜଣାଶୁଣା ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
ଶ୍ରୀମତୀ ମହାନ୍ତି ଦୀର୍ଘ ୫ ବର୍ଷ ତଳୁ ଆଲଜମେରସ୍ ରୋଗରେ ପୀଡ଼ିତ ହୋଇଥିଲେ । ପରେ ପରେ ବିଭିନ୍ନ ପ୍ରକାର ବାର୍ଦ୍ଧକ୍ୟଜନିତ ରୋଗ ତାଙ୍କୁ ମାଡ଼ି ବସିଥିଲା । ଅବିବାହିତ ଥିବା ଦ୍ୱିତୀୟ ପୁତ୍ର ତଥା ବରିଷ୍ଠ ସାମ୍ବାଦିକ ପ୍ରତାପ ମହାନ୍ତି ତାଙ୍କର ସମ୍ପୂର୍ଣ୍ଣ ଯତ୍ନ ନେଉଥିଲେ । ତେବେ ଆଜି ଅପରାହ୍ନ ସାଢ଼େ ଗୋଟାଏ ବେଳେ ହଠାତ ହୃଦଘାତର ଶିକାର ହୋଇ ଆଖି ବୁଜି ଦେଇଥିଲେ ।
ମୃତ୍ୟୁଶଯ୍ୟା ନିକଟରେ ତିନିପୁଅ ପ୍ରଦୀପ ମହାନ୍ତି, ପ୍ରତାପ ମହାନ୍ତି, ରାଜା ମହାନ୍ତି ଏବଂ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ଅପରାହ୍ନରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ସୂଚନାଥାଉକି, ସ୍ୱର୍ଗତଃ ଶ୍ରୀମତୀ ମହାନ୍ତିଙ୍କ ସ୍ୱାମୀ ରସାନନ୍ଦ ମହାନ୍ତି ଓଡ଼ିଶା ଫାଇନାନସ ସର୍ଭିସ୍ ରେ ଥିଲେ । ମାତ୍ର ୪୭ ବର୍ଷ ବୟସରେ ସେ ହୃଦଘାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଅଳ୍ପ ବୟସରେ ସ୍ୱାମୀଙ୍କ ବିଚ୍ଛେଦର ଦାରୁଣ ଦୁଃଖକୁ ସହି ତିନିପୁଅ ପ୍ରଦୀପ, ପ୍ରତାପ, ରାଜା ଏବଂ ତିନି ଝିଅ ମଞ୍ଜୁଶ୍ରୀ, ପୁଷ୍ପଶ୍ରୀ ଏବଂ ପ୍ରୀତିଶ୍ରୀଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବାରେ ଦମୟନ୍ତୀଙ୍କର ତ୍ୟାଗ ଓ ସଂଘର୍ଷ ଅନ୍ୟମାନଙ୍କ ପାଇଁ ପ୍ରେରଣା ଥିଲା । ସେମାନଙ୍କର ସବୁ ପିଲା ଆଜି ନିଜ ନିଜ କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ ।