ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ବିଭାଜନକାରୀ ଟିପ୍ପଣୀକୁ ନେଇ ଆଜି ବିଧାନସଭା ହୁଲସ୍ତୁଲ୍ ହୋଇଛି । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ନୀଳଗିରିର ବିଜେପି ବିଧାୟକ ସନ୍ତୋଷ କୁମାର ଖଟୁଆ ଗାନ୍ଧିଜୀଙ୍କ ପ୍ରତି କଟୁ ଓ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏଥିରେ ବିରୋଧୀ ଦଳର ସଦସ୍ୟମାନେ ଉତକ୍ଷିପ୍ତ ହୋଇଯାଇଥିଲେ । ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସି ଏହାର ପ୍ରତିବାଦ କରିଥିଲେ । ନୀଳଗିରି ବିଧାୟକଙ୍କ ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍ ଦେବା ପାଇଁ ସେମାନେ ଅଡ଼ି ବସିଥିଲେ ।
କିଛି ସମୟ ପରେ ବିରୋଧୀ ଦଳର ବିଧାୟକମାନେ କକ୍ଷତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳକୁ ଆସି ଧାରଣାରେ ବସିଥିଲେ । ଶାସକ ଦଳର ଜଣେ ବିଧାୟକଙ୍କ ମୁହଁରେ ଗାନ୍ଧିଜୀଙ୍କ ପ୍ରତି ଏଭଳି ଟିପ୍ପଣୀକୁ ସେମାନେ କଡ଼ା ନିନ୍ଦା କରିଥିଲେ । ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଯେଉଁମାନେ ଇତିହାସକୁ ପଢ଼ିନାହାନ୍ତି ସେମାନେ ଏଭଳି କହିପାରନ୍ତି । ଦେଶ ବିଭାଜନ ପାଇଁ ଗାନ୍ଧିଜୀ କେବେ ଚାହିଁ ନ ଥିଲେ । ଦେଶ ପ୍ରତି ଗାନ୍ଧିଜୀଙ୍କ ଅବଦାନ ଆଜି ବିଶ୍ୱବିଦିତ । ଜାତିର ପିତାଙ୍କ ପ୍ରତି ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ପଡ଼ିବ ।
ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍ ନୀଳଗିରି ବିଧାୟକଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ । ଭବିଷ୍ୟତରେ ମହାତ୍ମା ଗାନ୍ଧୀଙ୍କୁ ଦେଶ ବିଭାଜନକାରୀ ଚିତ୍ରଣରୁ ନିବୃତ୍ତ ରହିବାକୁ ସେ ତାଗିଦ୍ କରିଥିଲେ । ବିଜେଡି ଓ କଂଗ୍ରେସର ସବୁ ସଭ୍ୟ ଏହାକୁ କରି ଘୋର ଉଦବେଗ ପ୍ରକାଶ କରିଥିଲେ ।
ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିବା ବିରୋଧୀ ଦଳ ସଦସ୍ୟମାନଙ୍କୁ ମନେଇବାକୁ ଆସିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିରୋଧୀ ଦଳର ଉଦବେଗ ସହ ସେ ଏକମତ ହୋଇଥିଲେ । ବାଚସ୍ପତି ଏହାକୁ ଗୃହ ବିବରଣୀରୁ ବାଦ୍ ଦେଇଛନ୍ତି ଏବଂ ନୀଳଗିରି ବିଧାୟକ ତାଙ୍କ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିବା ସେ ଅବଗତ କରାଇବା ସହ ଧାରଣାରୁ ଉଠି ଗୃହ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ବିରୋଧୀ ସଦସ୍ୟମାନେ ଗୃହକୁ ଫେରିଥିଲେ । ଏହାପରେ ଗୃହ ସ୍ୱାଭାବିକ ହୋଇଛି ।