ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶା ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାର ଶୁଣାଣି ପୁଣି ଘୁଞ୍ଚିଛି । ଆସନ୍ତା ୧୬ରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ପୁଣି ଦିନ ଧାର୍ଯ୍ୟ କରିଛନ୍ତି । ସିବିଆଇ ମାମଲା କାରଣରୁ ଚୟନ ତାଲିକାରୁ ବାଦ୍ ପଡ଼ିଥିବା ବରିଷ୍ଠ ଆଇପିଏସ୍ ସୁଶାନ୍ତ ନାଥଙ୍କ ପାଇଁ ତାଙ୍କ ଆଇନଜୀବୀ ଆଜି କୋର୍ଟରେ ଏକ ପିଟିସନ୍ କରିଥିଲେ । ଆମିକସକ୍ୟୁରି ମଧ୍ୟ ଆଉ ଏକ ରିପୋର୍ଟ ଦାଖଲ କରିଥିଲେ । ଏହି ଦୁଇଟି ରିପୋର୍ଟ ପଢ଼ିବାକୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସମୟ ମାଗିବାରୁ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଘୁଞ୍ଚାଇଥିଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ।
ପୂର୍ବରୁ ସେପ୍ଟେମ୍ବର ୨ ତାରିଖରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ତା’ ପୂର୍ବଦିନ ପିଟିସନର ଏକ ରିଜେଣ୍ଡର ପିଟିସନ୍ ଦାଖଲ କରିଥିଲା ବେଳେ ସେହିଦିନ ଆମିକସକ୍ୟୁରି ତାଙ୍କ ରିପୋର୍ଟ ଦାଖଲ କରିଥିଲେ । ଏହାକୁ ପଢ଼ିବା ପାଇଁ ସଲିସିଟର ଜେନେରାଲ୍ ଅଧିକ ସମୟ ମାଗିବାରୁ କୋର୍ଟ ତାହାକୁ ଗ୍ରହଣ କରି ସେପ୍ଟେମ୍ବର ୭କୁ ତାରିଖ ଘୁଞ୍ଚାଇ ଦେଇଥିଲେ ।
ସୂଚନାଥାଉକି, ଡିଜିପି ନିଯୁକ୍ତି ପାଇଁ ଓଡ଼ିଶା ସରକାର ୟୁପିଏସସିକୁ ପଠାଇଥିବା ଆଇପିଏସ୍ ଅଫିସରଙ୍କ ତାଲିକାକୁ ନେଇ ପ୍ରଶ୍ନ ଉଠିଛି । ଏହି ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ପ୍ରକାଶ ସିଂ ମାମଲାର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ଅଗଷ୍ଟ ୧୩ରେ ଏହାର ଶୁଣାଣି ହେବାର ଥିଲା । ମାତ୍ର ତାହା ଅଗଷ୍ଟ ୧୮କୁ ଘୁଞ୍ଚିଥିଲା । ଏହା ପରଠାରୁ ଶୁଣାଣି ତାରିଖ ଘୁଞ୍ଚି ଚାଲିଛି । ସୁପ୍ରିମକୋର୍ଟକୁ ମାମଲା ଯାଇଥିବାରୁ ଓଡ଼ିଶାରେ ସ୍ଥାୟୀ ଡିଜିପି ନିଯୁକ୍ତି ହୋଇପାରିନାହିଁ । ବିନୟତୋଷ ମିଶ୍ରଙ୍କୁ ରାଜ୍ୟ ସରକାର ଅନ୍ତରୀଣ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି ।