ଭୁବନେଶ୍ୱର: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା ଉପରେ ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଆଡଭୋକେଟ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଆମିକସ୍ କ୍ୟୁରିଙ୍କ ଉପରେ ଦେଇଥିବା ଟିପ୍ପଣୀ ପାଇଁ ଆଜି କୋର୍ଟରେ କ୍ଷମା ମାଗିଛନ୍ତି ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା । ଏଜିଙ୍କ ଏଭଳି ମନ୍ତବ୍ୟ ପାଇଁ ସେ ଦୁଃଖ ପ୍ରକାଶ କରୁଥିବା କହିଥିଲେ । ଡିଜିପି ନିଯୁକ୍ତି ମାମଲାରେ ଆଜି ଆବେଦନକାରୀଙ୍କ ପକ୍ଷର ଯୁକ୍ତି ସରିଥିବା ବେଳେ ଆସନ୍ତାକାଲି ସରକାରଙ୍କ ପକ୍ଷରୁ ଜବାବ ଦାଖଲ ହେବ ।
ସୁଚନାଥାଉକି, ଡିଜିପି ନିଯୁକ୍ତି ମାମଲା ଉପରେ ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଏଜି ପୀତାମ୍ବର ଆଚାର୍ଯ୍ୟ ଆମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ନିରପେକ୍ଷତାକୁ ପ୍ରଶ୍ନ କରିଥିଲେ । ଆମିକସ୍ କ୍ୟୁରି ଆବେଦନକାରୀଙ୍କ ଓକିଲ ଭଳି ଯୁକ୍ତି କରୁଥିବା ଅନୁଭବ ହେଉଛି ବୋଲି ଏଜି କହିଥିଲେ । ତାଙ୍କ ୫୦ ବର୍ଷର ଆଇନ ବୃତ୍ତିରେ କେହି ଏଭଳି ପକ୍ଷପାତୀ ଅଭିଯୋଗ କରି ନ ଥିଲେ ବୋଲି ରାମଚନ୍ଦ୍ରନ୍ କହିବା ସହ ଟିପ୍ପଣୀ ପ୍ରତ୍ୟାହାର ନ ହେଲେ ଆଗକୁ ଶୁଣାଣିରେ ଯୁକ୍ତି ରଖିବେ ନାହିଁ ବୋଲି କହିଥିଲେ ।
ଶ୍ରୀ ଆଚାର୍ଯ୍ୟଙ୍କ ଏଭଳି ଟିପ୍ପଣୀକୁ ଖୋଦ୍ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ନାପସନ୍ଦ କରିଥିଲେ । କୋର୍ଟରେ ଉପସ୍ଥିତ ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ନୀରଜା କିଷାନ କୌଲ ମଧ୍ୟ ରାମଚନ୍ଦ୍ରନଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନକୁ ନାପସନ୍ଦ କରିଥିଲେ । ଏହାପରେ ଏଜି ନିଜର ଭୁଲ୍ ବୁଝିପାରି ତାଙ୍କର ମନ୍ତବ୍ୟକୁ ଭୁଲିଯିବା ପାଇଁ ରାମଚନ୍ଦ୍ରନଙ୍କୁ ଅନୁରୋଧ କରିଥିଲେ ।