ଭୁବନେଶ୍ୱର: ସମ୍ବଲପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଲଢ଼େଇ ହେଉଛି ବିଜେଡି ପ୍ରାର୍ଥୀ ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) । ଉଭୟ ପକ୍ଷ ନିର୍ବାଚନ ପ୍ରଚାର ଆରମ୍ଭ କରିସାରିଥିବା ବେଳେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି ।
ଯୁଯୁମରା ବ୍ଲକ୍ ର ଏକ ଗାଁରେ ଜଣେ ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ଘଟଣାରେ ଧର୍ମେନ୍ଦ୍ର କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସ୍ୱାଧୀନତାର ୭୬ ବର୍ଷ ପରେ ବି ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରୁନି । ନୂଆପିଢିର ପିଲା ଅପପୁଷ୍ଟିର ଶିକାର ହେଉଛନ୍ତି । ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଏହା ୨୫ ବର୍ଷ ଶାସନର ରୂପାନ୍ତରଣ କି ବୋଲି ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷେ ଶାସକ ଦଳର କୁହାଳିଆ ନେତା ମାନେ ଓଡ଼ିଶାକୁ ଏକ ନମ୍ବର କରିବାର ମିଛ ପ୍ରଚାର କରୁଛନ୍ତି । ଏହି ଘଟଣା ରାଜ୍ୟର ସ୍ୱାସ୍ଥ୍ୟବସ୍ଥାର ବାସ୍ତବ ସ୍ଥିତିକୁ ପଦାରେ ପକାଇଛି । କୁହାଳିଆ ନେତାଙ୍କ ମିଛ ପ୍ରଚାର ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ ଆହୁରି କହିଛନ୍ତି, ଦେଶରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଜନକଲ୍ୟାଣକାରୀ ସରକାର ଚାଲିଛି । ଅନ୍ୟ ରାଜ୍ୟମାନେ ଏହାକୁ ଗ୍ରହଣ କଲେଣି । ଓଡ଼ିଶାବାସୀ ମଧ୍ୟ ପୁଣି ଥରେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ସହ ଡବଲ ଇଞ୍ଜିନ ସରକାର ଆଣିବାକୁ ମନସ୍ଥ କଲେଣି ।
ସେପଟେ ଧର୍ମେନ୍ଦ୍ରଙ୍କୁ ସୋସିଆଲ୍ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ(ବବି) । କହିଛନ୍ତି,
ଧର୍ମେନ୍ଦ୍ର ଭାଇ, ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁର-କଟକ ଏନଏଚ-୫୫ ର ଦୂରାବସ୍ଥା ଯୋଗୁଁ ୨୦୦ ରୁ ଅଧିକ ଦୁର୍ଘଟଣାରେ ୪୦୦ ରୁ ଅଧିକ ବହୁମୂଲ୍ୟ ଜୀବନ ଚାଲିଯାଇଛି । କାହା ପାଇଁ? କାହାର ଅପାରଗତା ଓ ସ୍ଥାଣୁତା ଯୋଗୁଁ? ଆପଣ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ସାମାନ୍ୟ ରାସ୍ତା କାମଟିଏ ସାରିପାରିଲେ ନାହିଁ । ଏହାଠାରୁ ବଡ଼ ବିଫଳତା ଆଉ କ’ଣ ହୋଇପାରେ? କେଉଁ ମୁହଁ ନେଇ ଆପଣ ସମ୍ବଲପୁରବାସୀଙ୍କୁ ସାମ୍ନା କରିବେ । ଯାହାଙ୍କ ଜୀବନରେଖାକୁ ଆପଣ ବିପର୍ଯ୍ୟସ୍ତ କରି ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କର ୧୦ ବର୍ଷର ବିଫଳତାର ଚିଠା ସମ୍ବଲପୁରବାସୀଙ୍କ ପାଖରେ ଅଛି । ଜନସାଧାରଣ ଆପଣଙ୍କୁ ଉଚିତ୍ ଜବାବ ଦେବେ ।