ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ‘ଧାମ’ ଶବ୍ଦ । ତୁରନ୍ତ ଏହାକୁ ହଟାଇବୁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଜଗନ୍ନାଥ ମନ୍ଦିରର ନାମ ପରିବର୍ତ୍ତନ ପାଇଁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଏହି ଚିଠି ଉପରେ ତକ୍ରାଳ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ପୂର୍ବ ସରକାର ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ଶବ୍ଦ ଯୋଡିବା ସନାତନ ଧର୍ମ ପ୍ରତି ଅପମାନ । ଏହାକୁ ଆମେ ଶୀଘ୍ର ହଟାଇଦେବୁ । ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି ।
ଦିଘା ଜଗନ୍ନାଥ ମନ୍ଦିରର ନାମ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ଏକ ଚିଠି ଲେଖି ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ହାତରେ ପଠାଇଥିଲେ । ସମ୍ବିତ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ଭେଟି ଏହି ଚିଠି ଦେଇଥିଲେ । ‘ଦୀଘା ଜଗନ୍ନାଥ ଧାମ’ ବଦଳରେ ‘ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା’ ଲେଖିବାକୁ ଶ୍ରୀ ମାଝୀ ପ୍ରସ୍ତାବ ଦେଇଥିଲେ । ଜଗନ୍ନାଥ ଧାମ କହିଲେ କେବଳ ପୁରୀ, ଅନ୍ୟ କୌଣସି ସ୍ଥାନ ପାଇଁ ଗ୍ରହଣୀୟ ନୁହେଁ । ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁ ଭାବାବେଗକୁ ଆଘାତ ଦେଉଛି । ଶ୍ରୀକ୍ଷେତ୍ରର ଅନନ୍ୟ ଐତିହାସିକ ଓ ସାଂସ୍କୃତିକ ପରିଚୟ ବଜାୟ ରଖିବାକୁ ଅନୁରୋଧ କରି ତାଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ । ଏହାଦ୍ୱାରା ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଲେଖିଥିଲେ ।