ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୫-ଟି କାର୍ଯ୍ୟକ୍ରମର ସୁଫଳ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦେଖିବାକୁ ମିଳୁଛି । ଏହିକ୍ରମରେ ଓଡ଼ିଶା ଅବକାରୀ ବିଭାଗ ଜାତୀୟସ୍ତରରେ ସଫଳତା ହାସଲ କରିଛି । ଓଡ଼ିଶା ଅବକାରୀ ବିଭାଗକୁ “ଡିଜିଟାଲ୍ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର’ ମିଳିଛି । ଗତକାଲି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ଅବକାରୀ କମିସନର ଆଶିଷ ସିଂହଙ୍କ ଦକ୍ଷ ନେତୃତ୍ୱରେ ବିଭାଗର ଏହି ସଫଳତାକୁ ସବୁଆଡୁ ପ୍ରଶଂସା ମିଳିଛି ।
ଓଡ଼ିଶା ସରକାରଙ୍କ ପକ୍ଷରୁ ଅବକାରୀ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଅବକାରୀ କମିସନର ଶ୍ରୀ ସିଂହ, ଅତିରିକ୍ତ ଅବକାରୀ କମିସନର ରାମଚନ୍ଦ୍ର ପାଲଟା, ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଲବ କେଶରୀ ପ୍ରଧାନ ଓ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନିହାର ରଞ୍ଜନ ବିଶ୍ୱାଳ ଏହି ପୁରସ୍କାର ଗ୍ରହଣ କରିଥିଲେ । କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଓଡ଼ିଶା ସରକାରଙ୍କ ୫ଟି ସୂତ୍ର ଅନୁସାରେ ଅବକାରୀ ବିଭାଗ ୨୦୧୯-୨୦ ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ସହାୟତାରେ ୩୦ ରୁ ଅଧିକ ଅନଲାଇନ୍ ପରିମାପକ ଉପଯୋଗ କରି ସ୍ୱଚ୍ଛ, ଅବାଧ, ସ୍ୱଳ୍ପ ସମୟ, ନିରବଚ୍ଛିନ୍ନ ଏବଂ ସମୟାନୁବର୍ତ୍ତୀ ସେବା ଯୋଗାଇ ଆସୁଛି । ଏହା ଅବକାରୀ ଅପରାଧର ସଠିକ୍ ନିରୀକ୍ଷଣ ଓ ଏହାର କାର୍ଯ୍ୟକାରିତାକୁ ମଜବୁତ କରିବା, ଅବୈଧ ତଥା ନକଲି ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ କରିବା, ମଦର ଉତ୍ପାଦନ ଏବଂ ଉତ୍ପାଦନ ନିୟନ୍ତ୍ରଣ, ଉପଯୁକ୍ତ ଯୋଗାଣ ଓ ପରିଚାଳନା ଏବଂ ସାମୂହିତ ସେବାରେ ସହାୟତା ପ୍ରଦାନ କରିଆସୁଛି ।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ସୁଦ୍ଧା ୨୯, ୦୩୮ ଟି ଅବକାରୀ ମାମଲା ରୁଜୁ କରାଯାଇଥିଲା ବେଳେ ଚଳିତବର୍ଷ ୪୫, ୫୪୧ ଟି ମାମଲା ରୁଜୁ ହୋଇଛି । ଯାହାକି ଗତବର୍ଷ ତୁଳନାରେ ୫୬% ଅଧିକ । ସେହିଭଳି ଗତବର୍ଷ ଡିସେମ୍ବର ସୁଦ୍ଧା ଏନଡିପିଏସ୍ ଆଇନରେ ୫୭୫ ଟି ମକଦ୍ଦମା ରୁଜୁ କରାଯାଇଥିବା ବେଳେ ଚଳିତବର୍ଷ ୧୩୧୦ ଟି ମକଦ୍ଦମା ରୁଜୁ ହୋଇଛି । ଯାହାକି ୧୨୭% ଅଧିକ ।
ଚଳିତବର୍ଷ ଅବକାରୀ ରାଜସ୍ୱ ୬୧୯୭.୫୪ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଗତବର୍ଷ ଏହାଥିଲା ୫୦୨୩.୯୨ କୋଟି । ଯାହାକି ୨୩.୩୬% ଅଧିକ । ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ଓଡ଼ିଶା ଅବକାରୀ ବିଭାଗରେ ବ୍ୟାପକ ପରିବର୍ତ୍ତନ କରାଯିବା ସହ ଏହାକୁ ସ୍ୱଚ୍ଛ, କ୍ରିୟାଶୀଳ ଓ ଉତ୍ତରଦାୟୀ କରାଯାଉଛି ।