ଭୁବନେଶ୍ୱର: ଭୁବନେଶ୍ୱରର ପୂର୍ବତନ ପୌରାଧ୍ୟକ୍ଷ ତଥା ଲୋକପ୍ରିୟ ଚିକିତ୍ସକ ଡାକ୍ତର ଜଗନ୍ନାଥ ମହାପାତ୍ର ଆଉ ନାହାନ୍ତି । ୮୪ ବର୍ଷ ବୟସରେ ତାଙ୍କ ସହିଦନଗରସ୍ଥିତ ବାସଭବନରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
ଭୁବନେଶ୍ୱରରେ ଡାକ୍ତର ଜଗନ୍ନାଥ ମହାପାତ୍ର ଏକ ଜଣାଶୁଣା ନାଁ । ପେଷାରେ ଡାକ୍ତର ଥିଲେ କିନ୍ତୁ ନିଶା ତାଙ୍କର ଥିଲା ରାଜନୀତି ଓ ସମାଜସେବା । ସେ କଂଗ୍ରେସ ଦଳରେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୨୦୦୦ ମସିହାରେ ଭୁବନେଶ୍ୱର ମହାନଗର ନିଗମ ହେବା ପୂର୍ବରୁ ୧୯୯୭ ମସିହାରେ ଭୁବନେଶ୍ୱର ମ୍ୟୁନିସିପାଲିଟିର ସେ ଥିଲେ ଶେଷ ପୌରାଧ୍ୟକ୍ଷ । ସେହି ସମୟରେ ଅଖିଳ ଭାରତ ମେୟର ସଂଘର ସେ ଉପସଭାପତି ବି ଥିଲେ ।
ସମାଜସେବା ତଥା ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ସେ ଅଗ୍ର ଭାଗରେ ରହୁଥିଲେ । ସହିଦନଗର ଦୁର୍ଗା ପୂଜା କମିଟି ସହ ଦୀର୍ଘ ବର୍ଷ ଧରି ସଂପୃକ୍ତ ଥିଲେ । ସହିଦନଗରରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଜଗନ୍ନାଥ ହସ୍ପିଟାଲ୍ ରାଜଧାନୀର ଏକ ଖ୍ୟାତିସମ୍ପନ୍ନ ନର୍ସିଂହୋମ।
ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ତଥା ବିଶିଷ୍ଟ ଲେଖିକା ସଂଘମିତ୍ରା ମିଶ୍ର ହେଉଛନ୍ତି ତାଙ୍କର ପତ୍ନୀ ।
ସତ୍ୟନଗର ଶ୍ମଶାନରେ ସ୍ୱର୍ଗତଃ ମହାପାତ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।