ଭୁୁବନେଶ୍ୱର: ଦୁଷ୍ମନ୍ତ ଦାସଙ୍କୁ ଏସସିବିରୁ ବିଧାନସଭା ପାଖକୁ ଡାକିନେଇଥିବା ଲୋକଟିର ପରିଚୟ ଏ ଯାଏଁ ଜଣାପଡ଼ିନାହିଁ । ତେବେ ଦୁଷ୍ମନ୍ତଙ୍କ ମା ଏବଂ ପତ୍ନୀଙ୍କ ଅଭିଯୋଗ ସତ ହୋଇଥିଲେ ନିଶ୍ଚିତ ସାଂଘାତିକ । ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ନେଇ ଆତ୍ମହତ୍ୟା ପାଇଁ ଉସକାଇଥିବା ବ୍ୟକ୍ତିଜଣଙ୍କ ସାମ୍ବାଦିକ ବୋଲି ସେମାନେ କହୁଛନ୍ତି । ତାଙ୍କ ମା’ କଥାଟିକୁ ଆହୁରି ସ୍ପଷ୍ଟ କରିଛନ୍ତି । ମୋ ପୁଅକୁ ଟିଭିବାଲା ଭୁବନେଶ୍ୱର ଡାକିକି ନେଇ ମାରିଦେଲେ ବୋଲି ସେ ସିଧା ସିଧା ଅଭିଯୋଗ କରିଛନ୍ତି ।
ଆଶା କରାଯାଉଛି, ପୁଲିସ ଏ ଦିଗରେ ତଦନ୍ତ କରୁଥିବ । ଇତିମଧ୍ୟରେ ମାମଲା କୁଜଙ୍ଗ ଥାନାରୁ କଟକକୁ ସ୍ଥାନାନ୍ତର କରାଯାଇଥିବା କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ସୂଚନା ଦେଇଛନ୍ତି । ଦୁଷ୍ମନ୍ତ ମା’ ଙ୍କ ଏତଲା ଆଧାରରେ ସବୁ ଦିଗରୁ ତଦନ୍ତ ହେବ ବୋଲି କମିଶନର କହିଛନ୍ତି ।
ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ମାମଲା ସ୍ଥାନାନ୍ତର କ୍ଷଣି କଟକ ପୁଲିସ ଛାନଭିନ୍ ଆରମ୍ଭ କରିଦେଇଛି । କେଉଁ ଭଦ୍ରବ୍ୟକ୍ତି ଦୁଷ୍ମନ୍ତଙ୍କୁ ଧରି ଭୁବନେଶ୍ୱର ନେଇଥିଲେ, ହାତ କାଟିଦେବା ପାଇଁ ଛୁରୀ ଧରାଇଥିଲେ ଏବଂ ବିଷ ପିଇବାକୁ ବୋତଲ କିଣି ଦେଇଥିଲେ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ଏକ ସ୍ୱତନ୍ତ୍ର ଟିମ୍ । ଦୁଷ୍ମନ୍ତଙ୍କ ମୋବାଇଲ୍ କୁ ଆସିଥିବା ନମ୍ବରଗୁଡ଼ିକୁ ଧରି ପୁଲିସ ଆଗକୁ ବଢୁଛି ।
ସୂଚନାଥାଉକି, କୁଜଙ୍ଗ ଥାନାରେ ଦୁଷ୍ମନ୍ତଙ୍କ ମା ବାସନ୍ତୀ ଦାସ ଦେଇଥିବା ଏତଲାରେ ଦର୍ଶାଇଛନ୍ତି, ତାଙ୍କ ପୁଅ ଚଲାବୁଲା କରିବାକୁ ଅକ୍ଷମ ଥିଲା । ତା’ ପାଖେ ଦୁଇ ମାସ ହେଲା ଏସସିବି ମେଡ଼ିକାଲ୍ ରେ ରହି ଆସୁଥିଲେ । ବୁଧବାର ସକାଳେ ଜଣେ ଲୋକ ମେଡ଼ିକାଲ୍ ରେ ପହଞ୍ଚିଥିଲେ ଏବଂ ତାଙ୍କୁ ବିଭିନ୍ନ କଥା କହି ଭୁବନେଶ୍ୱର ନେଇ ଆସିଥିଲେ । ଭୁବନେଶ୍ୱରରୁ ଫେରିଲେ ଗାଁ କୁ ଯିବା ବୋଲି ପୁଅ ଗଲା ବେଳେ କହିଥିଲା । ହେଲେ ସେ ଯିବାର କିଛି ସମୟ ପରେ ବିଧାନସଭା ସମ୍ମୁଖରେ ହାତକାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ପାଇଥିଲେ । କଟକରୁ ତାଙ୍କ ପୁଅକୁ ନେଇ ଯାଇଥିବା ବ୍ୟକ୍ତି ଏହି କାଣ୍ଡ କରାଇଥିବା ସେ ସନେ୍ଦହ କରୁଛନ୍ତି ବୋଲି ଏତଲାରେ ଲେଖିଛନ୍ତି ମା ବାସନ୍ତୀ ।
ପତ୍ନୀ ଏଲିନା କହିଛନ୍ତି, ଦୁଷ୍ମନ୍ତ ଏଭଳି କାମ କେବେ ବି କରିବେନି । ତାଙ୍କୁ ପ୍ଲାନ୍ କରି ବିଷ ଖୁଆଇ ମାରିଦେଲେ । କଟକ ଏସସିବିରେ ଚିକିତ୍ସା ଅବହେଳା ଯୋଗୁଁ ସେ ପଙ୍ଗୁ ଜୀବନ ବିତାଉଥିଲେ । ମାତ୍ର ମିଡ଼ିଆବାଲା ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସକାଇଲେ । ଜଣେ ରିପୋର୍ଟର ତାଙ୍କୁ ଭୁବନେଶ୍ୱର ନେଇକି ଯାଇଥିଲେ । ସ୍ୱର୍ଗରେ ଥିବା ମୋ ସ୍ୱାମୀଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ଏଲିନା ।
ମା ଓ ପତ୍ନୀଙ୍କ ଅଭିଯୋଗ ସତ ହୋଇଥିଲେ, ଦୁଷ୍ମନ୍ତଙ୍କୁ ମରଣ ମୁହଁକୁ ଠେଲିଦେବା ପାଇଁ ଏକ ସୁଚିନ୍ତତ ଷଡ଼ଯନ୍ତ୍ର ହୋଇଥିବା କୁହାଯାଇପାରିବ । ଏକ ବା ଏକାଧିକ ମିଡ଼ିଆ ସଂସ୍ଥା ସେମାନଙ୍କ ରାଜନୈତିକ ପ୍ରଭୁଙ୍କ ସ୍ୱାର୍ଥ ଚରିତାର୍ଥ ପାଇଁ ନିଜର ସାମ୍ବାଦିକଙ୍କୁ ଲଗାଇ ଏହି ବର୍ବର କାଣ୍ଡ ଘଟାଇ ଥିବେ । ବିଧାନସଭା ଚାଲିଥିବାରୁ ସରକାରଙ୍କୁ ସହଜରେ ବଦନାମ କରିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବ । ମିଡ଼ିଆର ଟିଆରପି ବଢ଼େଇବାର ସୁଯୋଗକୁ ବି ଧ୍ୟାନ ଦିଆଯାଇଥିବ ।
ଦୁଷ୍ମନ୍ତଙ୍କ ମା ଓ ପତ୍ନୀଙ୍କ ଏହି ଅଭିଯୋଗର ସତ୍ୟତା ବାହାର କରିବା ଦାୟିତ୍ୱ ପୁଲିସର । ପୁଲିସ ଏହି ସତ୍ୟକୁ ଯଥାଶୀଘ୍ର ଲୋକଲୋଚନକୁ ଆଣିବା ଦରକାର । ନଚେତ ଏହିଭଳି ଗୋଟିଏ ଗୁଳିରେ ଦି ଦିଇଟା ଶିକାର ସଂଖ୍ୟା ବଢ଼ିଚାଲିଥିବ । ରାଜନୈତିକ ଷଡ଼ଯନ୍ତ୍ରରେ ତଥାକଥିତ ମିଡ଼ିଆ ମୋହରା ସାଜୁଥିବେ । ଆଉ.. ଗରିବ, ନିଷ୍ପେସିତ ଲୋକ ଅକାଳରେ ଝଡି ପଡୁଥିବେ ।
ସୂଚନାଥାଉକି, ପୂର୍ବରୁ ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ପରୀର ବାପା ମା’ ଙ୍କୁ ଭୁବନେଶ୍ୱର ଆଣି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିବା ପାଇଁ ଉସୁକା ଯାଇଥିବା ଅଭିଯୋଗ ହୋଇଥିଲା । ଘଟଣାର କିଛି ସମୟ ପୂର୍ବରୁ ଜୟଦେବ ଭବନ ଆଗରେ ନିର୍ଦ୍ଦିଷ୍ଟ ଦଳର ନେତା ଓ ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କ ମେଳରେ ପରୀର ବାପା ଚା ପିଉଥିବାର ଦେଖିବାକୁ ମିଳିଥିଲା । ଘଟଣାର ପୃଷ୍ଠଭୂମି ଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଏହି ଭିଡ଼ିଓରୁ ଆତ୍ମହତ୍ୟା ଉଦ୍ୟମ ସମ୍ପୂର୍ଣ୍ଣ ପ୍ରାୟୋଜିତ ଥିବାର ବାରି ହୋଇଯାଉଥିଲା ।
ତେବେ ସେ ଯାହା ହେଉ, ଦୁଷ୍ମନ୍ତଙ୍କ କ୍ଷେତ୍ରରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗଟିକୁ ସରକାର ଅଣଦେଖା କରିପାରିବେ ନାହିଁ । ତାଙ୍କୁ କେହି ଆତ୍ମହତ୍ୟା କରିବା ପାଇଁ ଉସକାଇ ଥାଇପାରନ୍ତି । ମାତ୍ର ତାଙ୍କର ଯେ ଜୀବନ ପ୍ରତି ମୋହ ତୁଟି ସାରିଥିଲା ତାହା ସ୍ୱୀକାର କରିବାକୁ ପଡ଼ିବ । ଏସସିବିରେ ଦୁଷ୍ମନ୍ତଙ୍କର ଚିକିତ୍ସାରେ କୌଣସି ଅବହେଳା ହୋଇନାହିଁ ବୋଲି କର୍ତ୍ତୃପକ୍ଷ ସଫେଇ ଦେଇଥିଲେ ମଧ୍ୟ ତାଙ୍କ ଘର ଲୋକ ମନା କରୁଛନ୍ତି । ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସାରେ ବାଛବିଚାରର ଲମ୍ବା ଅଭିଯୋଗ ଥିବାରୁ ଏହାକୁ ଅବିଶ୍ୱାସ କରିହେବ ନାହିଁ । ଏହା ଏକ ବ୍ୟବସ୍ଥାରେ ପରିଣତ ହୋଇଯାଇଥିବା ଅନୁଭବୀ ଜାଣନ୍ତି । ସୁତରାଂ ସରକାର ଏ ଦିଗକୁ ଧ୍ୟାନ ଦେବା ନିହାତି ଆବଶ୍ୟକ ।
ଦୁଷ୍ମନ୍ତଙ୍କ ମୃତ୍ୟୁ ପରଦିନ ବିଜେପି ନେତା ମନମୋହନ ସାମଲ, ସୁରମା ପାଢ଼ୀ, ରମା ବଳିଆରସିଂହ ପ୍ରମୁଖ ଦୁଷ୍ମନ୍ତଙ୍କ ଘରକୁ ଶାନ୍ତ୍ୱନା ଦେବା ଆଳରେ ଯାଇଥିଲେ । ପୂର୍ବତନ ବିଧାୟକ ରମା ବଳିଆରସିଂହ ତାଙ୍କ ବାପା ମା ଓ ପତ୍ନୀଙ୍କୁ ପୁଲିସ ଠାଣିରେ ଜେରା କରିବା ଆରମ୍ଭ କରିଥିଲେ । ଏହି ଦୃଶ୍ୟର ଭିଡ଼ିଓ ରେକର୍ଡ କରିବା ପାଇଁ ସେ ସହଯୋଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦୁଃଖରେ ଭାଙ୍ଗି ପଡ଼ିଥିବା ଦୁଷ୍ମନ୍ତଙ୍କ ମାଆ ଏଥିରେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ମୋ ପୁଅ ଭଲ ଚିକିତ୍ସା ପାଇବା ପାଇଁ ସମସ୍ତଙ୍କୁ ନେହୁରା ହେଲାବେଳେ ଆପଣମାନେ କେଉଁଠି ଥିଲେ ବୋଲି ଉପସ୍ଥିତ ବିଜେପି ନେତାଙ୍କୁ ପଚାରିଥିଲେ । ତାଙ୍କ ପୁଅ ମୃତ୍ୟୁକୁ ନେଇ ରାଜନୀତି କରିବା ଘଟଣାକୁ ଦୁଷ୍ମନ୍ତଙ୍କ ପରିବାର ପସନ୍ଦ କରି ନ ଥିଲେ ।