ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରୁ ବିଦା ହୋଇଛନ୍ତି ବିବାଦୀୟ ଅଧିକାରୀ ପ୍ରମୋଦ ପୃଷ୍ଟି । ଡେପୁଟି କମିସନର ଭାବେ ମାର୍କେଟ୍ ଏବଂ ଲିଗାଲ୍ ଦାୟିତ୍ୱରେ ଥିଲେ । ଗତକାଲି ରାଜ୍ୟ ସରକାର ତାଙ୍କର ବଦଳି ଆଦେଶ ବାହାର କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନରେ ଉପପ୍ରକାଶକ(ରାଜସ୍ୱ) ଭାବରେ ତାଙ୍କର ବଦଳି ହୋଇଛି । ତାଙ୍କର କାର୍ଯ୍ୟକଳାପ ସମ୍ପର୍କରେ ‘ମିଡ ଡେ ଓଡ଼ିଶା’ରେ ତଥ୍ୟମୂଳକ ଖବର ପ୍ରକାଶ ପାଇଥିଲା ।
ବିଏମସି ଦାୟିତ୍ୱରେ ଥିବା ବେଳେ ଶ୍ରୀ ପୃଷ୍ଟି ହାଇକୋର୍ଟରୁ ଆସୁଥିବା ଅର୍ଡରକୁ କମିସନରଙ୍କୁ ଅବଗତ କରାଉ ନ ଥିବାର ନିକଟରେ ସଙ୍ଗୀନ ଅଭିଯୋଗ ଥିଲା । ବାରମ୍ବାର ଆସୁଥିବା ଅର୍ଡର କପିକୁ ଫାଇଲ ଗଦାରେ ଫିଙ୍ଗି ଦେଉଥିଲେ । ଯାହାର ଫଳ ଭୋଗିବାକୁ ପଡ଼ିଥିଲା ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କୁ । ହାଇକୋର୍ଟ ଆଦେଶ ଅବମାନନା ମାମଲାରେ ତାଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିଥିଲା ।
ସୂଚନାଥାଉକି, ୨୦୧୮ ସେପ୍ଟେମ୍ବର ୧୯ ତାରିଖରେ ଶ୍ରୀ ପୃଷ୍ଟି ବିଏମସି ଡେପୁଟି କମିସନର ଭାବେ ଉତ୍ତର ଜୋନ୍ ଦାୟିତ୍ୱରେ ନିଯୁକ୍ତି ପାଇଥିଲେ । ତାଙ୍କର କିଛି ମାସର କାର୍ଯ୍ୟକଳାପରୁ ଭ୍ରଷ୍ଟାଚାର ଏବଂ ଦୁର୍ନୀତିର ଗନ୍ଧ ଆସିଥିଲା ।
ତାଙ୍କ ଅଫିସ୍ ରେ କମ୍ପ୍ୟୁଟର ଡାଟା ଏଣ୍ଟ୍ରି ଅପରେଟର କାମ କରୁଥିବା ଜଣେ ଯୁବତୀ ତାଙ୍କ ବିରୋଧରେ ଅଶାଳୀନ ବ୍ୟବହାର ଅଭିଯୋଗ ଆଣିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ । ଅଫିସ ଆଭ୍ୟନ୍ତରୀଣ କମିଟି ତଦନ୍ତ ଜରିଆରେ ମାମଲାକୁ ଚପାଇ ଦିଆଯିବାରୁ ସଂପୃକ୍ତା ଯୁବତୀ ନ୍ୟାୟ ଭିକ୍ଷା କରି ଥାନାକୁ ଯାଇଥିଲେ । ମାତ୍ର ତକ୍ରାଳୀନ କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କର ହସ୍ତକ୍ଷେପରେ ମାମଲା ଚପିଗଲା । ଓଲଟି ଅଭିଯୋଗକାରିଣୀ ଧମକ ପାଇ ଚାକିରି ଛାଡ଼ିଦେଲେ ।
ଉତ୍ତର ଜୋନ୍ ର ଡେପୁଟି କମିସନର ଭାବେ ଶ୍ରୀ ପୃଷ୍ଟିଙ୍କ କାର୍ଯ୍ୟକାଳ ସମୟରେ ବିଏମସିର କୋଟି କୋଟି ଟଙ୍କାର ହୋଲଡିଂ ଟିକସ ଆଦାୟ ନ ହେବା ଏବଂ ତାହା ପଛରେ ମୋଟା ହାତଗୁଞ୍ଜା ଓ ଚଞ୍ଚକତାର ଅନେକ ଅଭିଯୋଗ ଆସିଥିଲା । ସେହି ଜୋନ୍ ରେ ଅନାଦେୟ କୋଟି କୋଟି ଟଙ୍କାର ବକେୟା ହୋଲଡିଂ ଟିକସ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ପଦାକୁ ଆସିଥିଲା ।
ସେହିଭଳି ଫନି ବାତ୍ୟାରେ ବିଧ୍ୱସ୍ତ ଭୁବନେଶ୍ୱରକୁ ସଜାଡ଼ିବା ପାଇଁ ପୃଷ୍ଟିଙ୍କ ହେପାଜତରେ ଆସିଥିବା ସବୁ ଅଗ୍ରୀମ ଟଙ୍କା ଆଡଜଷ୍ଟରେ ଗଡ଼ବଡ଼ ହୋଇଥିଲା । ଜଣେ ମହିଳା କ୍ୟାସିୟରଙ୍କ ବିରୋଧରେ ୫ ଲକ୍ଷରୁ ଅଧିକ ଟଙ୍କାର ତୋଷରପାତ ଅଭିଯୋଗ ଆସିଥିଲେ ମଧ୍ୟ ପୃଷ୍ଟିବାବୁ ପଦକ୍ଷେପ ନେଇ ନ ଥିଲେ । ତାଙ୍କ ଅମଳରେ ଡିମାଣ୍ଡ ରେଜିଷ୍ଟର ମେଣ୍ଟେନ୍ ରେ ମଧ୍ୟ ବ୍ୟାପକ ଅନିୟମିତତା ଅଭିଯୋଗ ରହିଥିଲା ।
ତେବେ କେବଳ ବିଏମସି କାର୍ଯ୍ୟରେ ଦୃଷ୍ଟିଗୋଚର ନ ଥିଲେ ପ୍ରମୋଦ ପୃଷ୍ଟି । ୨୦୨୦ ନଭେମ୍ବରରେ ତାଙ୍କ ନାଁ ଟିଭି ଓ ଖବରକାଗଜର ହେଡଲାଇନ୍ ବନିଥିଲା । ତାଙ୍କ ଘରେ ଆଦିବାସୀ ନାବାଳିକା ଚାକରାଣୀଙ୍କୁ ଙ୍କୁ ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଶ୍ରୀ ପୃଷ୍ଟିଙ୍କ ୮୪ ବର୍ଷୀୟ ଶ୍ୱଶୁରଙ୍କୁ ଯାଜପୁର ପୁଲିସ ଗିରଫ କରିଥିବା ବେଳେ ଶିଶୁ ଶ୍ରମିକ ଆଇନର ଉଲ୍ଲଂଘନ କରି ନାବାଳିକାଙ୍କୁ ଘରେ ଚାକରାଣୀ ରଖିଥିବା ପୃଷ୍ଟି ଫେରାର ହୋଇଯାଇଥିଲେ ।
ଏହି ମାମଲାରେ ରାଜ୍ୟ ସରକାର ତାଙ୍କୁ ବଦଳି କରିଥିଲେ । ଜୋନାଲ୍ ଡେପୁଟି କମିସନ ପଦବୀରୁ ବଦଳି ହୋଇଥିଲେ ବିଏମସି ମୁଖ୍ୟ କାର୍ଯ୍ୟାଳୟକୁ । ସେଠି ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମାର୍କେଟ୍/ ଲିଗାଲ୍ ବିଭାଗ ଦାୟିତ୍ୱ ଧରାଇ ଏକପ୍ରକାର ପୁରସ୍କୃତ କରାଯାଇଥିଲା । ଶେଷରେ ତାଙ୍କର କାର୍ଯ୍ୟକଳାପ ବିଏମସି କମିସନରଙ୍କୁ କାଠଗଡ଼ାରେ ଛିଡ଼ା କରାଇଥିଲା । ଆଇନ ଲଢ଼େଇରେ ବିଏମସିର ଇଜ୍ଜତ ମାଟିରେ ମିଶି ଯାଇଥିଲା ।