ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ୍ ଦାଖଲ କରିଛି । ଭୁବନେଶ୍ୱର ସେସନ୍ସ କୋର୍ଟରେ ଦାଖଲ ହୋଇଥିବା ଏହି ଚାର୍ଜସିଟ୍ ରେ ରହିଛି ମୋଟ ୨୨୪୧ ପୃଷ୍ଠା । ଏଥିରେ ମୁଖ୍ୟ ଅଭିଯୁକ୍ତ ଭାବେ ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ନାଁ ଥିଲା ବେଳେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ପାତ୍ର ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ମୋଟ ୧୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି ।
ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କର ଭୁବନେଶ୍ୱର ସତ୍ୟବିହାରସ୍ଥିତ ଆଲିସାନ୍ କୋଠାକୁ ଇଡି ଜବତ କରିଛି । ଏହି କୋଠାର ମୂଲ୍ୟ ୩ କୋଟି ୪୦ ଲକ୍ଷ ବୋଲି ଆକଳନ କରାଯାଇଛି । ପୂର୍ବରୁ ଅର୍ଚ୍ଚନାଙ୍କର ଏକ ଦାମୀ କାର୍ କୁ ଇଡି ଜବତ କରିଥିଲା । ତାଙ୍କ ଘରୁ ମିଳିଥିବା ଆଉ ଦୁଇଟି ଦାମୀ ଗାଡ଼ିର ଜବତ ପ୍ରକ୍ରିୟା ବି ଜାରି ରହିଛି । ଅର୍ଚ୍ଚନାଙ୍କ ଦାମୀ ଫାର୍ମ ହାଉସ୍ ସମେତ ଅନ୍ୟାନ୍ୟ ସମ୍ପତ୍ତି ବାଡ଼ି ଉପରେ ଖୋଳତାଡ଼ ଜାରି ରହିଥିବାରୁ ସେଗୁଡ଼ିକ ମଧ୍ୟ ଜବତ ହୋଇପାରେ । ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ସତ୍ୟବିହାରସ୍ଥିତ କୋଠାର ଜବତ ପ୍ରକ୍ରିୟା ବି ଚାଲିଥିବା ଜଣାପଡ଼ିଛି ।