ଭୁୁବନେଶ୍ୱର: ପୂର୍ବତନ ପୁଲିସ ଡିଜି ତଥା ବିଶିଷ୍ଟ ସାହିତି୍ୟକ ଶରତ ଚନ୍ଦ୍ର ମିଶ୍ର ଆଉ ନାହାନ୍ତି । ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ତାଙ୍କୁ ୮୮ ବର୍ଷ ହୋଇଥିଲା । ଓଡ଼ିଶାର ଏହି ସୁଯୋଗ୍ୟ ସନ୍ତାନଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ଶ୍ରୀ ମିଶ୍ର କିଛି ଦିନ ତଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ । ପ୍ଲେଟଲେଟ୍ କମିଯିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସି ନ ଥିଲା । ଡାକ୍ତରମାନଙ୍କ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ଆଜି ସକାଳ ୭ଟା ୨୪ ମିନିଟ୍ ରେ ସେ ଆଖି ବୁଜି ଦେଇଥିଲେ ।
ସ୍ୱର୍ଗତ ମିଶ୍ର ୧୯୫୯ ମସିହା ବ୍ୟାଚ୍ ର ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଧିକାରୀ ଥିଲେ । ଜଣେ ଦକ୍ଷ ଓ କର୍ମଠ ଅଧିକାରୀ ଭାବେ ତାଙ୍କର ସୁନାମ ଥିଲା । ଚାକିରିକାଳରେ ବହୁତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିଲେ । “ର’ ରେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିଲେ । ଓଡ଼ିଶା ପୁଲିସର ଡିଜି ଭାବେ ସେ ଚାକିରିରୁ ଅବସର ନେଇଥିଲେ । ତେବେ ଅବସର ପରେ ସେ ବିଭିନ୍ନ ସଂଗଠନ ସହ ସଂପୃକ୍ତ ରହିବା ସହ ସାହିତ୍ୟ ସାଧନାରେ ସମ୍ପୂର୍ଣ୍ଣ ମନୋନିବେଶ କରିଥିଲେ ।
ନିଜର ସାହିତ୍ୟ କୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ବିଭିନ୍ନ ପୁସ୍ତକ ରଚନା ସହ ବିଭିନ୍ନ ସମ୍ବାଦପତ୍ରରେ ସ୍ତମ୍ଭକାର ଥିଲେ । ସାଧାରଣ ଜୀବନରେ ଅତ୍ୟନ୍ତ ସ୍ନେହୀ ଓ ମେଳାପି ଥିଲେ । ଡିଏଭି ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ ।
ହସ୍ପିଟାଲ୍ ରୁ ତାଙ୍କର ମୃତଦେହ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ, ୮ ନମ୍ବର ଡିଏଭି ସ୍କୁଲ ଏବଂ କଳିଙ୍ଗନଗର ଡିଏଭି ସ୍କୁଲକୁ ଶେଷଦର୍ଶନ ପାଇଁ ଅଣାଯାଇଥିଲା । ଏହି ସ୍କୁଲଗୁଡ଼ିକର ପରିଚାଳନା କମିଟିର ସେ ପୂର୍ବରୁ ଅଧ୍ୟକ୍ଷ ଥିଲେ । ଏହାପରେ ତାଙ୍କ ମରଶରୀର ବିଜେବି ନଗରସ୍ଥିତ ବାସଭବନକୁ ଅଣାଯାଇଥିଲା । ସେଠାରେ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କର ଶେଷ ଦର୍ଶନ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି ।