ଭୁବନେଶ୍ୱର : ଡିଏଭି ପୋଖରୀପୁଟରେ ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ ତଥା ଓଡ଼ିଆ ଜାତୀୟ ଅଭ୍ୟୁତ୍ଥାନର କର୍ଣ୍ଣଧାର ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପାଳିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ପ୍ରରୋଚନାରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଦ୍ୱାରା ବ୍ୟାସକବିଙ୍କ ଜୟନ୍ତୀକୁ ଅତ୍ୟନ୍ତ ସଦ୍ଭାବନାର ସହିତ ପାଳନ କରାଯାଇଛି । ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଶୁଭ୍ରାଂଶୁ ମୋହନ ଦାଶ ପ୍ରଦୀପ ପ୍ରଜ୍ୱଳନପୂର୍ବକ ବ୍ୟାସକବିଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଉପସ୍ଥିତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ବିଦ୍ୟାର୍ଥୀମାନଙ୍କୁ ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରାଇଥିଲେ।
ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ନରୋତ୍ତମ ଷଡ଼ଙ୍ଗୀ ଫକୀରମୋହନଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଫକୀରମୋହନଙ୍କ ରଚିତ ଛ’ମାଣ ଆଠ ଗୁଣ୍ଠ , ମାମୁ , ଲଛମା ଓ ପ୍ରାୟଶ୍ଚିତ ଉପନ୍ୟାସଗୁଡ଼ିକର ଭାବବସ୍ତୁକୁ ବିଦ୍ୟାର୍ଥୀମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା । ଶିକ୍ଷକ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ପ୍ରଧାନ ବ୍ୟାସକବିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ ସଭିଙ୍କୁ ଶପଥ ପାଠ କରାଇଥିଲେ । ଓଡ଼ିଆ ବିଭାଗର ଶିକ୍ଷୟିତ୍ରୀ କ୍ଷଣପ୍ରଭା ନନ୍ଦ ଓ ସୁଜାତା ମହାନ୍ତି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଧନ୍ୟବାଦ ପର୍ବ ଅନୁଷ୍ଠିତ ହୋଇଥିଲା ।







