ଚେନ୍ନାଇ/ଭୁବନେଶ୍ୱର: ତାମିଲନାଡୁ କ୍ୟାଡରର ଓଡ଼ିଆ ବରିଷ୍ଠ ଆଇପିଏସ୍ ଅଫିସର ରାଜେଶ ଦାସଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗରେ ଜେଲ୍ ଦଣ୍ଡ ହୋଇଛି । ଜଣେ ମହିଳା ପୁଲିସ ଅଫିସରଙ୍କ ଅଭିଯୋଗ ଉପରେ ତାମିଲନାଡୁର ଭିଲ୍ଲୁପୁରମ୍ କୋର୍ଟ ପୂର୍ବତନ ସ୍ପେଶାଲ୍ ଡିଜିପି ଶ୍ରୀ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଅଭିଯୋଗକାରିଣୀଙ୍କୁ ଅଭିଯୋଗରୁ ନିବୃତ୍ତ କରାଇବାକୁ ଉଦ୍ୟମ କରିଥିବା ତକ୍ରାଳୀନ ଚେଙ୍ଗାଲପଟ୍ଟୁ ଏସପି ଡି.କନ୍ନନଙ୍କୁ ମଧ୍ୟ କୋର୍ଟ ୫୦୦ ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି ।
୨୦୨୧ ମସିହା ଫେବ୍ରୁଆରୀ ମାସରେ ଘଟଣା ଘଟିଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ପାଲାନିସ୍ୱାମୀଙ୍କ ଏକ ସଭାରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ଉଲୁନ୍ଦୁରପେଟ୍ ଜିଲ୍ଲାକୁ ଗସ୍ତରେ ଆସୁଥିଲେ ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ଡିଜି ରାଜେଶ ଦାସ । ଗାଡ଼ିରେ ତାଙ୍କ ସାଙ୍ଗରେ ଥିଲେ ଜନୈକ ମହିଳା ଏସପି । ମହିଳା ଅଫିସରଙ୍କ ଅଭିଯୋଗ ଅନୁଯାୟୀ ସ୍ୱତନ୍ତ୍ର ଡିଜିପି ତାଙ୍କ ସହ ଆପତ୍ତିଜନକ ବ୍ୟବହାର କରି ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଛୁଇଁବାକୁ ଚେଷ୍ଟା କରିଥିଲେ । ସେ ଏହାର ପ୍ରତିବାଦ କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଶ୍ରୀ ଦାସଙ୍କ ବିରୋଧରେ ଆଇପିସି ୩୫୪(କ), ୩୪୧, ୫୦୬(୧) ଧାରାରେ ମାମଲା ରୁଜୁ ହୋଇଥିଲା । ତାଙ୍କୁ ଗିରଫ କରାଯାଇଥିଲା ।
ଘଟଣାଟି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହାର ତଦନ୍ତ ପାଇଁ ତାମିଲନାଡୁ ସରକାର ଏକ ୬ ଜଣିଆ କମିଟି ଗଠନ କରିବା ସହ ଶ୍ରୀ ଦାସଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ । ମାଡ୍ରାସ ହାଇକୋର୍ଟ ନିଜ ଆଡୁ ହସ୍ତକ୍ଷପ କରି ମାମଲାକୁ ମୋଷ୍ଟ ସକିଙ୍ଗ୍ ବୋଲି ମନ୍ତବ୍ୟ ଦେଇଥିଲେ । ଉଚ୍ଚପଦବୀରେ ଥିବା ଏଭଳି ବ୍ୟକ୍ତି ଯେ କୌଣସି ହୀନ ଓ ଅପରାଧିକ କାର୍ଯ୍ୟ କରି ଖସିଯାଇପାରିବେ ବୋଲି ଭାବିବା ଉଚିତ୍ ନୁହେଁ । ସହକର୍ମୀଙ୍କୁ ଯୌନ ନିର୍ଯ୍ୟାତନା କ୍ଷେତ୍ରରେ ବ୍ୟକ୍ତିର ପଦବୀ ଅନୁଯାୟୀ କଠୋର ଦଣ୍ଡବିଧାନ ହେବା ଦରକାର ବୋଲି ହାଇକୋର୍ଟ ମନ୍ତବ୍ୟ ଦେଇଥିଲେ ।
ଓଡ଼ିଶାରେ ଜନ୍ମିତ ରାଜେଶ ଦାସ(୫୯) ତାମିଲନାଡୁ କ୍ୟାଡରର ଆଇପିଏସ୍ ଅଫିସର । ତାଙ୍କର ପତ୍ନୀ ବୀଲା ରାଜେଶ ସେହି ତାମିଲନାଡୁ କ୍ୟାଡରର ଜଣେ ଆଇଏଏସ୍ ଅଫିସର(୧୯୯୭ ବ୍ୟାଚ୍) । ତାମିଲନାଡୁ ସରକାରଙ୍କ କମର୍ସିଆଲ୍ ଟାକ୍ସେସ ଆଣ୍ଡ ରେଜିଷ୍ଟ୍ରସନ୍ ସଚିବ ପଦବୀରେ ଅବସ୍ଥାପିତ ଅଛନ୍ତି । ସେମାନଙ୍କର ଦୁଇ ଝିଅ ଅଛନ୍ତି ।