ଭୁବନେଶ୍ୱର: ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ରାଜ୍ୟସ୍ତରୀୟ ଅନୁଷ୍ଠାନ ” ପରିବେଶ ସୁରକ୍ଷା ଅଭିଯାନ”ର ବାର୍ଷିକ ସାଧାରଣ ପରିଷଦ ବୈଠକ ଆଜି ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି।
ସ୍ଥାନୀୟ ସେଣ୍ଟ ଜନ୍ ଆମ୍ବୁଲାନ୍ସ ପ୍ରେକ୍ଷାଳୟରେ ଅନୁଷ୍ଠାନର ସଭାପତି ଡକ୍ଟର ପ୍ରଦୀପ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସମ୍ପାଦକ ରଘୁନାଥ ପୃଷ୍ଟି ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବା ବେଳେ କୋଷାଧ୍ୟକ୍ଷ ଶ୍ରୀମତୀ ନମିତା ମହାପାତ୍ର ବାର୍ଷିକ ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ବୈଠକରେ କାର୍ଯ୍ୟକାରୀ କମିଟି ସଦସ୍ୟ ଦିଲୀପ ମିଶ୍ର ଏବଂ ଆଜୀବନ ସଦସ୍ୟ ହିମାଂଶୁ ପତି, ଅମିତା କୁମାରୀ ମିଶ୍ର, ନରେନ୍ଦ୍ର ବେହେରାଙ୍କ ସମେତ ଅନ୍ୟମାନେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ।
ଶେଷରେ ନୂତନ କର୍ମକର୍ତ୍ତା ମନୋନୀତ ହୋଇ ଦାୟିତ୍ଵ ଗ୍ରହଣ କରିଥିଲେ। ଡକ୍ଟର ପ୍ରଦୀପ ରଥ, ରଘୁନାଥ ପୃଷ୍ଟି ଏବଂ ଶ୍ରୀମତୀ ନମିତା ମହାପାତ୍ର ନିଜର ପଦବୀ ବଜାୟ ରଖିଥିବା ବେଳେ ନୂତନ ଭାବେ ଡକ୍ଟର କଲ୍ୟାଣୀ ମହାନ୍ତି ଉପସଭାପତି, ଡକ୍ଟର ନାରାୟଣ ତ୍ରିପାଠୀ ଯୁଗ୍ମ ସମ୍ପାଦକ ତଥା ଦେବୀ ପ୍ରସନ୍ନ ମହାନ୍ତି ଓ ରାଜେନ୍ଦ୍ର କୁମାର ଦାଶ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ମନୋନୀତ ହୋଇ ଦାୟିତ୍ଵ ଗ୍ରହଣ କରିଥିଲେ । ଶେଷରେ ଯୁଗ୍ମ ସମ୍ପାଦକ ଡକ୍ଟର ନାରାୟଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।