ପୁଣି ଗୋଟିଏ ବର୍ଷ ଅତୀତ ପୃଷ୍ଠାକୁ ଚାଲିଯାଉଛି । ଆଜି ବିଦାୟ ନେଉଛି ୨୦୨୪ । ଖଟା ମିଠା ଅନେକ ସ୍ମୃତିକୁ ଛାଡ଼ି ଯାଉଛି । ପ୍ରତିବର୍ଷ ଏମିତି ସମୟ ଆସେ । ଗୋଟିଏ ବର୍ଷ ଚାଲିଯାଏ, ଆଉ ଏକ ବର୍ଷ ଆରମ୍ଭ ହୁଏ । ସୃଷ୍ଟିର ଏହା ଧରାବନ୍ଧା ନିୟମ । ବିଦାୟ ବେଳା ସବୁବେଳେ ଯନ୍ତ୍ରଣାଦାୟକ । କାରଣ ସେହି ସମୟ ଆଉ ଫେରି ଆସେ ନାହିଁ । ଇତିହାସ ପାଲଟିଯାଏ । ମଣିଷ ଜୀବନ ବି ସେୟା । ଶିଶୁ, କିଶୋର, ଯୁବକ, ପ୍ରୌଢ଼ ଏବଂ ବୃଦ୍ଧ ଅବସ୍ଥା ହେଉଛି ମଣିଷର ଗତିପଥ । । ତା’ପରେ ସଂସାରରୁ ବିଦାୟ ନିଏ । ସବୁ କ୍ଷଣସ୍ଥାୟୀ ଏଠି । ତଥାପି ମଣିଷ ସ୍ୱାର୍ଥପରତାରେ ବଞ୍ଚିଛି । ସଂସାରରେ ଦୁଃଖ ଯନ୍ତ୍ରଣାରେ ବଞ୍ଚୁଥିବା ମଣିଷକୁ ଆହା କରିପାରୁନାହିଁ । ଥିଲାବାଲା ନ ଥିଲାବାଲା ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ଅନ୍ୟର ଯନ୍ତ୍ରଣା ଦେଖୁଥିବା ମଣିଷ ମାନବିକତା ଭୁଲିଯାଉଛି । ବିବେକ ହାର୍ ମାନିଯାଉଛି । କିନ୍ତୁ କାହିଁକି? ଗୋଟେ ବର୍ଷର ବିଦାୟ ବେଳାରେ ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କିମାରେ । ଯାହାର ଉତ୍ତର ମିଳେନି । ନୂଆ ବର୍ଷ ନୂଆ ସମ୍ଭାବନା ଏବଂ ନୂଆ ଆଶାର ସଂଚାର କରୁ । ମଣିଷ ସ୍ୱାର୍ଥପରତାରୁ ଉପରକୁ ଉଠୁ । ସମସ୍ତେ ଖୁସିରେ ରୁହନ୍ତୁ । ଅନ୍ୟର ଦୁଃଖକୁ ଆପଣେଇବାର ସାହାସ ଆସୁ । ଭଗବାନ ସମସ୍ତଙ୍କୁ ଖୁସି ଓ ଆନନ୍ଦରେ ରଖନ୍ତୁ । ଆଜିର ବିଦାୟ ମୁହୁର୍ତ୍ତ ଏବଂ ନୂଆବର୍ଷର ଆଗମନରେ ଏତିକି କାମନା ।