ନୂଆଦିଲ୍ଲୀ: କଂଗ୍ରେସଠାରୁ ଦୀର୍ଘ ପାଞ୍ଚ ଦଶନ୍ଧୀର ସମ୍ପର୍କ ତୁଟାଇଛନ୍ତି ଭେଟେରାନ୍ ଗୁଲାମନବୀ ଆଜାଦ । ଦଳର ସମସ୍ତ ପଦପଦବୀ ତଥା ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି । ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି । ସେଥିରେ ରାହୁଲ ଗାନ୍ଧୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି । କଂଗ୍ରେସର ପତ୍ତନ ପାଇଁ ସେ ରାହୁଲଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । ଗୁଲାମନବୀଙ୍କ ଇସ୍ତଫା କଂଗ୍ରେସ ପାଇଁ ପୁଣି ଏକ ଶକ୍ତ ଝଟକା ହୋଇଛି ।
ଗୁଲାମନବୀ ତାଙ୍କ ଚିଠିରେ ଲେଖିଛନ୍ତି, ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦଳ ଭଲ କାମ କରୁଥିଲା । ମାତ୍ର ରାହୁଲ ଗାନ୍ଧୀ ୨୦୧୩ ରେ ଦଳର ଉପାଧ୍ୟକ୍ଷ ହେବା ପରେ ସବୁ ନଷ୍ଟ କରିଦେଲେ । ବରିଷ୍ଠ ନେତାଙ୍କ ପରାମର୍ଶ ଅନୁସରଣ ପରମ୍ପରା ଏବଂ ମତ ବିନିମୟ ବ୍ୟବସ୍ଥାକୁ ସେ ଶେଷ କରିଦେଲେ । ରାହୁଲଙ୍କ ଆଗମନ ପରେ ସମସ୍ତ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ କୋଣଠେସା କରିଦିଆଗଲା । ବରିଷ୍ଠଙ୍କୁ କୋଣଠେସା କରି ନିର୍ଦ୍ଦିଷ୍ଟ କୋଟେରୀ ଦ୍ୱାରା ସବୁ ଚାଲିଲା । ଅନଭିଜ୍ଞନେତାମାନେ ଦଳର ସର୍ବେସର୍ବା ହୋଇଗଲେ ।
ରାହୁଲଙ୍କ ପିଲାଳିଆମୀ ଓ ଅପରିକ୍ୱତାର ଉଦାହରଣ ଦେଇ ଗୁଲାମନବୀ ଲେଖିଛନ୍ତି, ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିବା ଅଧ୍ୟାଦେଶ କାଗଜକୁ ସେ ଗଣମାଧ୍ୟମ ଆଗରେ ଚିରି ଦେଇଥିଲେ । ସେହି ଅଧ୍ୟାଦେଶ ଉପରେ କଂଗ୍ରେସର କୋର୍ ଗ୍ରୁପ୍ ରେ ଆଲୋଚନା ହୋଇ କ୍ୟାବିନେଟ୍ ଅନୁମୋଦନ ପାଇଥିଲା । ରାହୁଲଙ୍କ ଏହି ପିଲାଳିଆମୀ ପାଇଁ ପ୍ରଧାନମନ୍ତ୍ରୀ ପଦ ଓ ସରକାର ବିକୃତ ହୋଇଥିଲା । ଏହି ଘଟଣା ୨୦୧୪ ରେ କଂଗ୍ରେସ ପରାଜୟର ଏକ ବଡ଼ କାରଣ ଥିଲା ।
କଂଗ୍ରେସରେ କିଛି ଠିକ୍ ଚାଲିନି ବୋଲି ଗୁଲାମନବୀ ଦର୍ଶାଇଛନ୍ତି । ସେ ଲେଖିଛନ୍ତି, ସୋନିଆ ସଭାପତି ଥିଲେ ବି ରାହୁଲଙ୍କ ମର୍ଜିରେ ହିଁ ସବୁ ଚାଲେ । ସୋନିଆ କେବଳ ନାମକୁ ମାତ୍ର ଦଳ ମୁଖ୍ୟ । ରାହୁଲ କିନ୍ତୁ ସର୍ବେସର୍ବା । ପାର୍ଟିର ସବୁ ବଡ଼ ବଡ଼ ନିଷ୍ପତ୍ତି ରାହୁଲ ଗାନ୍ଧୀ ହିଁ ନେଉଛନ୍ତି । ଏପରିକି ରାହୁଲଙ୍କ ପିଏ ଓ ସୁରକ୍ଷା କର୍ମୀ ବି ଦଳୀୟ ନିଷ୍ପତ୍ତି ନେଉଛନ୍ତି । ରିମୋଟ୍ କଣ୍ଟ୍ରୋଲ୍ ମଡେଲ ୟୁପିଏ ସରକାରର ସଂହତି ନଷ୍ଟ କରିଥିଲା । ଏବେ ସେହି ମଡେଲ କଂଗ୍ରେସରେ ପ୍ରୟୋଗ ହେଉଛି ।
ସୋନିଆଙ୍କୁ ଲେଖିଥିବା ଏହି ଚିଠିରେ ଗୁଲାମନବୀ ଆଜାଦ କଂଗ୍ରେସ ଓ ଗାନ୍ଧୀ ପରିବାର ସହ ତାଙ୍କର ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ଇନ୍ଦିରା ଗାନ୍ଧୀ, ସଞ୍ଜୟ ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ସହ ମୁଁ କାମ କରିଛି । କଂଗ୍ରେସକୁ ନିଜ ଜୀବନର ୫୧ ବର୍ଷରୁ ଅଧିକ ସମୟ ଦେଇଛି । କିନ୍ତୁ ବର୍ତ୍ତମାନ ଦୁଃଖର ସହିତ କଂଗ୍ରେସର ସମସ୍ତ ପଦବୀରୁ ଇସ୍ତଫା ଦେଉଛି ଏବଂ ଦଳ ସହିତ ମୋର ସମସ୍ତ ସମ୍ପର୍କ ଛିନ୍ନ କରୁଛି ।